କରୋନା ଦ୍ୱିତୀୟ ଲହରରେ ଅଧିକ ପ୍ରଭାବିତ ହୋଇଛନ୍ତି ଦିଲ୍ଲୀର ସମ୍ପନ୍ନ ଲୋକେ: ରିପୋର୍ଟ

Published By : Prameya-News7 Bureau | June 17, 2021 IST

ନୂଆଦିଲ୍ଲୀ ୧୭।୬: ରାଜଧାନୀ ଦିଲ୍ଲୀରେ କରୋନା ଦ୍ୱିତୀୟ ଲହର ପ୍ରସମିତ ହେଲାଣି। ସଂକ୍ରମଣ ଥମିବା ପରେ ସରକାର ମଧ୍ୟ ଲକଡାଉନ୍‌ କୋହଳ କରିଛନ୍ତି। ଜନଜୀବନ ମଧ୍ୟ ସ୍ୱଭାବିକ ହେଲାଣି। ହେଲେ ମହାମାରୀରେ ପ୍ରିୟଜନଙ୍କୁ ହରାଇଥିବା ପରିବାର କିନ୍ତୁ ଏପର୍ଯ୍ୟନ୍ତ ସ୍ୱଭାବିକ ହୋଇ ପାରିନାହାନ୍ତି।  କରୋନା ଦ୍ୱିତୀୟ ଲହର ଏତେ ଶକ୍ତିଶାଳୀ ଥିଲା ଯେ ଏଥିରୁ ବର୍ତ୍ତିବା ଲାଗି ଲୋକଙ୍କୁ ଉପାୟ କରିବାକୁ ବି ବେଳ ମିଳିନଥିଲା। ତେବେ ଏହି ଲହର ଜାତୀୟ ରାଜଧାନୀର ସମ୍ପନ୍ନ ପରିବାରଙ୍କୁ ସର୍ବାଧିକ ପ୍ରଭାବିତ କରିଥିବାର ବିଭିନ୍ନ ଖବର କାଗଜରେ ପ୍ରକାଶିତ ଶ୍ରଦ୍ଧାଞ୍ଜଳି ବିଜ୍ଞାପନ ହାରରୁ ଜଣାପଡିଛି।

ଦିଲ୍ଲୀରେ କରୋନା ମୃତ୍ୟୁ ହାର ଏତେ ବଢିଯାଇଥିଲା ଯେ ଶ୍ମଶାନରେ ବି ଧାଡି ଲାଗୁଥିଲା। କିଏ କେଉଁଠି ସଂକ୍ରମିତ ହୋଇ କେଉଁ ହସ୍ପିଟାଲରେ ଆଡମିଟ୍‌ ଥିବା ବେଳେ କିପରି ପ୍ରାଣ ହରାଇଲେ ତାର ହିସାବ ବି କିଏ ରଖିନି। ହେଲେ ଏହି ସମୟରେ ଦିଲ୍ଲୀର ସମ୍ପନ୍ନ ପରିବାରରେ ହୋଇଥିବା କୋଭିଡ ମୃତ୍ୟୁର ସୂଚନା କିନ୍ତୁ ଗଣମାଧ୍ୟମ ବିଜ୍ଞାପନରେ ନିୟମିତ ପ୍ରକାଶିତ ହେଉଥିଲା। ଏଥିରୁ କରୋନା ଦ୍ୱିତୀୟ ଲହର ଜାତୀୟ ରାଜଧାନୀରେ ଉଚ୍ଚ ଆୟକାରୀ ବର୍ଗଙ୍କ ଉପରେ ପ୍ରକୋପ କରିଥିବାର ଅନୁମାନ ସ୍ପଷ୍ଟ ହୋଇଯାଇଛି।

ସାଧାରଣତଃ ବାଣିଜ୍ୟ ବ୍ୟବସାୟ କରୁଥିବା ଲୋକଙ୍କ ପରିବାରରେ ଶ୍ରଦ୍ଧାଞ୍ଜଳି ବିଜ୍ଞାପନର ପ୍ରଚଳନ ରହିଛି। ଏହା ଦ୍ୱାରା ସେମାନଙ୍କ ନିକଟ ସମପର୍କିୟ ଓ ବ୍ୟବାସାୟୀକ ଅଂଶୀଦାରଙ୍କୁ ସୂଚନା ଦେବା  ପରିବାରର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ କରୋନା ଆକ୍ରନ୍ତଙ୍କ ପରିବାରର ଜଣେ ସଂକ୍ରମିତଙ୍କ ମୃତ୍ୟୁର ମାସକରେ ଅନ୍ୟ ସଦସ୍ୟଙ୍କ ପରଲୋକ ଏପରିକି  ଦଶାହ ପୂର୍ବରୁ ମଧ୍ୟ ପରିବାର ସଦସ୍ୟଙ୍କ ମୃତ୍ୟୁ ହୋଇଥିବାର ଅନେକ ନଜିର ରହିଛି। 

କେତେକ କ୍ଷେତ୍ରରେ ପରିବାରରେ ଏପରି ପରିସ୍ଥିତି ଥିଲା ଯେ ମୃତକଙ୍କ ସଂସ୍କାର ଓ ଅନ୍ତ୍ୟେଷ୍ଟିବି ପରିବାର କରିପାରୁନଥିଲେ। କରୋନାରେ ପରିବାର ସଦସ୍ୟ ପୃଥକପୃଥକ ସ୍ଥାନରେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଉଥିଲେ। ଘରେ ରହିଥିବା ଲୋକେ କେବଳ ହସ୍ପିଟାଲରୁ ମିଳୁଥିବା ସୂଚନାରୁ ପରିଜନଙ୍କ ମୃତ୍ୟୁ ଖବର ପାଉଥିଲେ ହେଁ କରୋନାରେ ଆକ୍ରାନ୍ତ ଥିବା ଯୋଗୁ କୌଣସି କ୍ରିୟା କର୍ମ କରିବାକୁ ଅସମର୍ଥ ଥିଲେ। ଏଣୁ ଦିବଙ୍ଗତଙ୍କୁ ସମ୍ବାଦପତ୍ରର ଶ୍ରଦ୍ଧାଞ୍ଜଳି ସ୍ତମ୍ବରେ ସ୍ଥାନିତ କରିବା ବ୍ୟତୀତ ପରିବାର ଲୋକଙ୍କର ଅନ୍ୟ ଚାରା ନଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.