କୋଭିଡ୍ କଟକଣା କରୁଛି ବାଉଳା: କେତେବେ​‌ଳେ ହଁ... କେତେବେଳେ ନା

Published By : Prameya-News7 Bureau | June 12, 2020 IST

ଭୁବନେଶ୍ୱର,୧୨/୦୬: ଜୁନ୍‌ ୧୦ ଅର୍ଥାତ୍‌ ଗତକାଲି ରାଜ୍ୟ ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଗଲା, ଜୁନ୍‌ ୧୮ ତାରିଖରୁ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ୨୯ରୁ ଲର୍ଣ୍ଣିଂ ଲାଇସେନ୍ସ (ଏଲ୍‌ଏଲ୍‌) ପରୀକ୍ଷା ଆରମ୍ଭ ହେବ । ଲକ୍‌ଡାଉନ୍‌ ସମୟ ମଧ୍ୟରେ ଯେଉଁମାନଙ୍କର ସ୍ଲଟ୍‌ ବୁକିଂ ହୋଇଥିବ, ସେମାନଙ୍କୁ ହିଁ ଏ ସୁଯୋଗ ମିଳିବ। ଗୁରୁବାର ଅପରାହ୍ଣରେ ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସାମ୍ବାଦିକ ସମ୍ମିଳନୀରେ କହିଲେ, ଡିଏଲ୍‌ କିମ୍ବା ଏଲ୍‌ଏଲ୍‌ ପରୀକ୍ଷା ପାଇଁ ଗତକାଲି ହୋଇଥିବା ଘୋଷଣା ବାତିଲ କରାଗଲା । ଖୁବ୍‌ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ।

ଏମିତି ଚାଲିଛି ଓଡ଼ିଶାରେ ‘ଆଜି ହଁ.. କାଲି ନା’ କୋଭିଡ୍‌ କଟକଣା । ଘନଘନ ବଦଳୁଛି ନିୟମ । କେବେ କୁହାଯାଉଛି ପରୀକ୍ଷା ହେବ, ଆଉ କେବେ ଶୁଣିବାକୁ ମିଳୁଛି ହେବନି ପରୀକ୍ଷା । ରଜକୁ ନିରାଡ଼ମ୍ବର ଭାବେ ପାଳିବାକୁ ନିବେଦନ କରାଯାଉଛି, ଅଥଚ ରଜ କିଣାକିଣି ପାଇଁ ରାତି ୧୦ଟା ଯାଏଁ ଦୋକାନ ମେଲି ଦିଆଯାଉଛି । ଏଥିରୁ ବୁଝାପଡ଼ୁନି, କରୋନା ମୁକାବିଲା ପାଇଁ କେଉଁ ନିୟମଟା ଠିକ୍‌ ।

ଗତ କିଛି ଦିନ ଭିତରେ ରାଜ୍ୟରେ ଏଭଳି ଗଣ୍ଡା ଗଣ୍ଡା ବାଉଳା ନିୟମର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ରାତି ପାହିଲା ବେଳକୁ ବଦଳିଯାଉଛି କଟକଣା । ଜାରି ହେଉଛି ନୂଆ ନିୟମ । କ’ଣ କରିବେ, କ’ଣ କରିବେନି ଜାଣି ପାରୁନାହାନ୍ତି ଜନତା । ଦ୍ୱନ୍ଦ୍ୱରେ ରହୁଛନ୍ତି, ବାଉଳା ହେଉଛନ୍ତି । ଆଜି ଅପରାହ୍ଣରେ ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସାମ୍ବାଦିକ ସମ୍ମିଳନୀରେ କହିଲେ, ରଜ ପାଇଁ ନିଜ ଜୀବନକୁ ବିପନ୍ନ କରନାହିଁ । ନିରାଡ଼ମ୍ବର ଭାବେ ପାଳନ କର । ସଜ୍ଜବାଜ ହୋଇ ପିଠାପଣା ବାଣ୍ଟନାହିଁ କି ପାନ ଖାଇ ପିକ ଥୁକ ନାହିଁ ।

ଏପାଖେ ଏସ୍‌ଆର୍‌ସିଙ୍କ ପକ୍ଷରୁ ନୂଆ ଆଦେଶନାମା ଜାରି ହୋଇଛି, ଉପକୂଳ ଓଡ଼ିଶାର ବଡ଼ ପର୍ବ ‘ରଜ’ ପାଇଁ କିଣା କିଣି କରିବାକୁ ଅଧିକ ସମୟ ଦେବା ଉଦ୍ଦେଶ୍ୟରେ ଶୁକ୍ରବାର ଦିନ ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲିବ । ଗୋଟିଏ ପଟେ ରଜକୁ ନିରାଡ଼ମ୍ବର ଭାବେ ପାଳିବାକୁ ଲୋକମାନଙ୍କୁ ନିବେଦନ କରାଯାଉଥିବା ବେଳେ ଆଉ ଗୋଟିଏ ପଟେ ରଜ କିଣାକିଣି ପାଇଁ ଅଧିକ ସମୟ ଦେଉଛନ୍ତି । ଏହାକୁ ନେଇ ଦ୍ୱନ୍ଦ୍ୱରେ ଜନତା। ଯଦି ରଜକୁ ନିରାଡ଼ମ୍ବର ଭାବେ ପାଳନ କରାଯିବ, ତେବେ ଶୁକ୍ରବାର ରାତି କର୍ଫ୍ୟୁକୁ ୧୦ଟା କୋହଳ କରିବାର କାରଣ କ’ଣ? ଶୁକ୍ରବାର ରାତି ୭ଟାରୁ ୧୦ଟା ଯାଏଁ କ’ଣ କରୋନା କାହାକୁ ଛୁଇଁପାରିବନି?

ଖାଲି ସେତିକି ନୁହେଁ, ୟୁଜିର ଷଷ୍ଠ ଓ ପିଜିର ଚତୁର୍ଥ ସେମିଷ୍ଟର ପରୀକ୍ଷା ଅଗଷ୍ଟ ସୁଦ୍ଧା ଶେଷ ହେବ ବୋଲି ମେ’ ୨୬ରେ ନିଷ୍ପତ୍ତି ନିଆଯାଇଥିଲା । ସେହି ହିସାବରେ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ହେଲେ, ହଠାତ୍‌ ଆଜି ସରକାର ବଦଳାଇ ଦେଇଛନ୍ତି ନିଷ୍ପତ୍ତି । ୟୁଜି ଓ ପିଜିର ସମସ୍ତ ପରୀକ୍ଷା ବାତିଲ କରାଗଲା ବୋଲି ସୂଚନା ଦେଇଛନ୍ତି ।

ଚଳିତ ମାସର ପ୍ରତି ଶନିବାର ଓ ରବିବାର ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା ସମେତ ରାଜ୍ୟର ୧୧ଟି ଦ୍ରୁତ ସଂକ୍ରମିତ ଜିଲ୍ଲା ସଟ୍‌ଡାଉନ୍‌ ରହିବ ବୋଲି ଜୁନ ୧ରେ ଜାରି ହୋଇଥିଲା ବିଧିବଦ୍ଧ ଆଦେଶନାମା । ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରି ଏସବୁ ଜିଲ୍ଲାର ଲୋକମାନେ ସଟ୍‌ଡାଉନ୍‌ରେ ରହିଲେ । ହେଲେ ଶନିବାର ପୂର୍ବାହ୍ନ ୧୧ଟା ବେଳକୁ ଖବର ପ୍ରକାଶିତ ହେଲା, ପୁରୀରୁ ଦିନକ ପାଇଁ ହଟିଯାଇଛି ସଟ୍‌ଡାଉନ୍‌ । ଏଥିପାଇଁ କୁଆଡ଼େ ରାତିଅଧିଆ ସାନି ଆଦେଶ ବି ଆସିଛି । ହେଲେ, ଖବର ପାଇ ନ ଥିବା କାରଣରୁ ଜନତା କିନ୍ତୁ ସଟ୍‌ଡାଉନ୍‌ରେ ରହିଲେ ।

ଲୋକମାନେ କିନ୍ତୁ କ୍ୱାରେଣ୍ଟାଇନ୍‌ ନିୟମକୁ ନେଇ ସବୁଠୁ ଅଧିକ ଦ୍ୱନ୍ଦ୍ୱରେ ରହୁଛନ୍ତି । କେବେ କ୍ୱାରେଣ୍ଟାଇନ୍‌ରେ ୭ ଦିନ ରହିବାକୁ କୁହାଯାଉଛି ତ’ ପୁଣି କେବେ ୧୪ ଦିନ। ଏମିତି ବି ହେଉଛି, ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ୭ ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌ ନିର୍ଦ୍ଦେଶ ବି ଦିଆଯାଉଛି । ହେଲେ ଏତିକିରେ ଏ ଦ୍ୱନ୍ଦ୍ୱ ସରୁନି । କେଉଁ ଜିଲ୍ଲାରେ ଲୋକମାନେ ୭ ଦିନ କ୍ୱାରେଣ୍ଟାଇନ୍‌ରେ ରହୁଛନ୍ତି ତ’ ଆଉ କେଉଁଠି ୧୪ ଦିନ। ଏ ସବୁ ଦ୍ୱନ୍ଦ୍ୱ ନେଇ ବାସ୍ତବ ବାଉଳା କିଏ? ଘନଘନ ବଦଳୁଥିବା କଟକଣା ନିୟମ ନା ଦ୍ୱନ୍ଦ୍ୱରେ ଥିବା ସାଧାରଣ ଜନତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.