ରାୟଗଡ୨୮/୮: ଜଣେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଗାଁ ପାଖରେ ଥିବା ଏକ ଜମିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ରାୟଗଡ ବ୍ଲକ ବାଇସିଂ ପଞ୍ଚାୟତ ଅନ୍ତର୍ଗତ ଜୁରୁଡ଼ି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଜଣେ କୋଭିଡ୍ ମୃତକଙ୍କ ମର ଶରୀରକୁ ପୋତା ଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ମୃତ ବ୍ୟକ୍ତିଙ୍କ ଶବକୁ ପୁଣି ବାହାର କରି ଅନ୍ୟତ୍ର ପୋତିବା ଲାଗି ଗାଁ ଲୋକେ ଦାବି କରିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯେଉଁ ସ୍ଥାନରେ ଶବ ପୋତାଯାଇଛି ତାହା ଏକ ଘରୋଇ ଜମି । ଜଣେ ଆଦିବାସୀ ବ୍ୟକ୍ତି ଏହି ଜମିରେ ଚାଷ କରୁଛନ୍ତି। ଏଥିସହ ଶବ ପୋତାଯିବା ସ୍ଥାନ ନିକଟରେ ଗାଁର ଝାଙ୍କିରି ପୂଜା ଅନୁଷ୍ଠିତ ହୋଇଥାଏ। ଅପରପକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ଖବରପାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଁଞ୍ଚି ଲୋକଙ୍କ ସହ ସ୍ବର ମିଳାଇଥିଲେ।