କୋଭିଡ ଲକଡାଉନ ଭାଙ୍ଗିଦେଇଛି ଅର୍ଥନୈତିକ, ସାମାଜିକ ଓ ଭାବନାତ୍ମକ ବ୍ୟବସ୍ଥା

Published By : Prameya-News7 Bureau | May 16, 2020 IST

କୋଭିଡ-୧୯ ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବାକୁ ଯାଇ ଭାରତର ତାର ଅର୍ଥନୈତିକ, ସାମାଜିକ ଓ ଭାବନାତ୍ମକ ବ୍ୟବସ୍ଥାକୁ ଚୁରମାର କରିଦେଇଛି।  ଭୂତାଣୁ ବିରୋଧରେ ସଂଗ୍ରାମ ଲାଗି  ଅନ୍ୟ ଦେଶଙ୍କ ଭଳି ଭାରତ ମଧ୍ୟ ଲକଡାଉନରେ। ସଂକ୍ରମଣ ପ୍ରତିହତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୫ ତାରିଖରେ ଦେଶକୁ ୨୧ ଦିନିଆ ଲକଡାଉନକୁ ନେଇଥିଲେ। ସେବେଠାରୁ ଏପର୍ଯ୍ୟନ୍ତ ଆଉ ୨ ଥର ଦେଶ ଲକଡାଉନ୍ ହୋଇଥିବା ବେଳେ ଆଉ କିଛି ଘଣ୍ଟାରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଶେଷ ହେବାକୁ ଯାଉଛି। ଏଥିରେ ଦେଶକୁ ଆଉ ଅଧିକ ସମୟ ଲକଡାଉନ୍‌ରେ ରଖିବା ଦରକାର କି? ଏହା ଏବେକା ସମୟର ସବୁଠୁ ବଡ ପ୍ରଶ୍ନ ଭାବେ ଉଭାହୋଇଛି।

{"id":270915,"sizeSlug":"large"}

ଲକଡାଉନ ଘୋଷଣା ବେଳେ ଏଥିପ୍ରତି ଏତଟା କେହି ଗୁରୁତ୍ୱ ଦେଇନଥିଲେ। ହୁଏତ ବର୍ତ୍ତମାନ ସମୟର ଏହା ସବୁଠୁ ବଡ ଆବଶ୍ୟକତା ଭାବି ଲୋକେ ନିଜକୁ ନିଜେ ଘରେ ବନ୍ଦୀ କରିଦେଇଥିଲେ। ହେଲେ ସବୁଥର ଭଳି ଏଥର ମଧ୍ୟ ପୁଣି ଭୁଲଟିଏ ହୋଇଗଲା। ଦିନମଜୁରିଆ, ଗରିବ, ଖଟିଖିଆ, ଶ୍ରମଜୀବିଙ୍କୁ ନୀତିନିର୍ଦ୍ଧାରକ ଭୁଲିଗଲେ। ୨୧ ଦିନିଆ ଲକ ଡାଉନକୁ ଦିନେ ଦୁଇ ଦିନ ନ ଯାଉଣୁ ଲୋକେ ଚାଲିଚାଲି ଘରକୁ  ଫେରିବାକୁ ଲାଗିଲେ। ଯାହା ଲକଡାଉନ ୨ ଓ ୩ରେ ଗୁରୁତର ହେବା ସହ ଲୋକେ ଘରକୁ ଫେରିବା ପାଇଁ ଦିଲ୍ଲୀ, ମୁମ୍ବାଇ ଓ ଅନ୍ୟ ବଡବଡ ସହରରେ ରାସ୍ତାକୁ  ଚାଲି ଆସିଲେ। ଯାହା ପରବର୍ତ୍ତି ସମୟରେ ଗୁରୁତର ମାନବୀୟ ସଂକଟର କାରଣ ପାଲଟିଛି।  

{"id":270932,"sizeSlug":"large"}

ଲକଡାଉନରେ ସାର୍ବଜନିକ ପରିବହନ ବନ୍ଦ କରିଦିଆଯିବା ଦେଶ ଲାଗି ସବୁଠାରୁ ବଡ ବିପର୍ଯ୍ୟୟ ପ୍ରମାଣିତ ହେଲା। ଲୋକେ ଘରକୁ ଫେରିବା ଲାଗି ଅନ୍ୟ ଉପାୟ ନ ପାଇ ଚାଲି ଚାଲି ହଜାର ହଜାର ମାଇଲ ଅତିକ୍ରମ କଲେ। ଏହି କ୍ରମରେ ମଧ୍ୟପ୍ରଦେଶର ଲୋକେ ଘରକୁ ଫେରିବା ଲାଗି ଟ୍ରେନ ଲାଇନରେ ଚାଲିଚାଲି ଥକି ପଡି ଶୋଇପଡିଥିଲେ , ଆଉ ଘଟିଗଲା ବିରାଟ ଅଘଟଣ।  ସାଧାରଣ ସମୟ ହୋଇଥିଲେ ହୁଏତ ଏହା ଦେଶର ବଡ ପ୍ରସଙ୍ଗ ପାଲଟିଥାନ୍ତା।  ହେଲେ ଯେଉଁ ରାଜ୍ୟର ଲୋକେ ଏପରି ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହେଲେ ଲକଡାଉନର ଠିକ୍ ପୂର୍ବରୁ ସେହି ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିଲା। ଏଣୁ କେନ୍ଦ୍ର ସମର୍ଥିତ ସରକାର ପ୍ରସଙ୍ଗରେ ନୀରବ ରହିବା ନେଇ ଅନ୍ୟମାନେ ମଧ୍ୟ ଆପତ୍ତି କରିନଥିଲେ।

{"id":270917,"sizeSlug":"large"}

ଲକଡାଉନ ସମୟରେ ଏହା କେବଳ ଗୋଟିଏ ଘଟଣା ନଥିଲା। ଏପରି ଅନେକ ଘଟଣା ଘଟିଛି ଯାହାର କେହି  କେବେ ଆଲୋଚନା ବି କେଉଁଠି କରିନି। କେବଳ ଅଘଟଣ ବୋଲି କହି ଆଡେଇ ଯିବା ବଳି ଲାଗିଛି । ହେଲେ ତୃତୀୟ ପର୍ଯାୟ ଲକଡାଉନରେ ନିୟମ ସାମାନ୍ୟ କୋହଳ କରାଯାଇ ଏପରି ଲୋକଙ୍କ ଲାଗି ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଯିବା ସହ  ସେମାନଙ୍କୁ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚାଇବା ଲାଗି ଭଡା ମଧ୍ୟ ଆଦାୟ କରାଗଲା। ଲଗାତାର ୬୦ ଦିନର ଲକଡାଉନ୍‌ରେ ଦେଶର ଅର୍ଥ, ବ୍ୟାପାର, ସାମାଜିକ ଓ ଭାବନାତ୍ମକ ବ୍ୟବସ୍ଥା ଭାଙ୍ଗିରୁଜି ଚୁରମାର କରିଦେଲା। 

{"id":270918,"sizeSlug":"large"}

ଏଥିରେ ଲକଡାଉନ ବେଳେ ଏପରି ଲୋକଙ୍କୁ ଅଟକାଇ ରଖିବାକୁ ବି କେଉଁଠି କେଉଁଠି ଚେଷ୍ଟା କରାଗଲା। ସେମାନଙ୍କ ଲାଗି ଲୋଭନୀୟ କାର୍ଯ୍ୟକ୍ରମ ବି ଘୋଷଣା ହେଲା। ହେଲେ ଘରମୁହାଁ ହୋଇସାରିଥିବା ଲୋକେ ଏଥିପ୍ରତି କର୍ଣ୍ଣପାତ କରିବାତ ଛାଡ ଅନେଇଲେ ବି ନାହିଁ । ସେପଟେ ଏପରି ଫେରୁଥିବା ଲୋକେ ନିଜ ଘର ପାଖରେ ଲୋକଙ୍କ ଅସୂୟାର ଶିକାର ହେବା ପ୍ରବାସୀ ଶ୍ରମିକ ପ୍ରଥାରେ ଏପରି ଫାଟ ସୃଷ୍ଟି କରିଛି ଯାହା ନିକଟ ଭବିଷ୍ୟତରେ ଭରିବା ବା ସୁଧୁରିବା ଭଳି ଜଣାପଡୁନି।  

{"id":270919,"sizeSlug":"large"}

ଦେଶର ଆର୍ଥିକ ସଂଚାଳନ ଲାଗି ସରକାରଙ୍କ ନିଦ ଭାଙ୍ଗିବା ବେଳକୁ ସମଗ୍ର ବ୍ୟବସ୍ଥାର ମୂଳ ଶ୍ରମତନ୍ତ୍ର ସବୁଦିନ ଲାଗି ଘର ମୁହାଁ ହୋଇସାରିଛି। ଅଧିକାଂଶ ଶ୍ରମିକ ସେମାନଙ୍କ ଶେଷ ଦିନମାନଙ୍କର ମଜୁରି ପାଇନାହାନ୍ତି। ସେମାନଙ୍କ ସଞ୍ଚିତ ଅର୍ଥ ସବୁ ରାସ୍ତାରେ ଚାଲି ଚାଲି ସାରି ଦେଇଛନ୍ତି। ସେମାନେ ଯେଉଁଠି ପହଞ୍ଚିଛନ୍ତି ସେଠାରେ ସେମାନଙ୍କୁ କାର୍ଯ୍ୟକ୍ଷମ କରି ରଖିବାର କୌଣସି ବ୍ୟବସ୍ଥା ବି ନାହିଁ। ଏଣୁ ଦେଶକୁ ପ୍ରଗତି ପଥରେ ଦଉଡାଉଥିବା ବିଶାଳ ଶ୍ରମ ଶକ୍ତି ଲାଗି ସରକାର କରୋନା ପରବର୍ତ୍ତି ପରିସ୍ଥିତିରେ ନୀତି ମଧ୍ୟ ନିର୍ଦ୍ଧାରଣ କରି ନାହାନ୍ତି। ଏଥିରେ ଅଧିକ ସମୟ ଲକଡାଉନ୍‌ ଲାଗି ନିଷ୍ପତ୍ତି ପରିବର୍ତ୍ତେ ତୁରନ୍ତ ଲକଡାଉନ୍‌ ହଟାଇବାର ଏବେ ଆବଶ୍ୟକତା ଜରୁରି ବୋଲି ଅନେକ ବୁଦ୍ଧିଜୀବି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.