କେନ୍ଦ୍ରାପଡାରେ କାର୍ଯ୍ୟକ୍ଷମ ହେଲା ୧୧୦ ଶଯ୍ୟା ବିଶିଷ୍ଟ ସମ୍ ପରିଚାଳିତ କୋଭିଡ୍ ହସ୍ପିଟାଲ
14/04/2020 at 10:13 PM

କେନ୍ଦ୍ରାପଡା୧୪/୪: କେନ୍ଦ୍ରାପଡାରେ କାର୍ଯ୍ୟକ୍ଷମ ହେଲା ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ। କରୋନା ମହାମାରୀର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗର ହାତ ବଢ଼ାଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଓ ସମ ହସ୍ପିଟାଲ ଦ୍ଵାରା ଭୁବନେଶ୍ଵରଠାରେ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଆରମ୍ଭ ହୋଇସାରିଥିବାବେଳେ ମଙ୍ଗଳବାର କେନ୍ଦ୍ରାପଡ଼ା ଠାରେ ୧୧୦ ଶଯ୍ୟା ବିଶିଷ୍ଟ ଅନ୍ୟ ଏକ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି । କେନ୍ଦ୍ରାପଡ଼ା ନିକଟସ୍ଥ ଛତାରେ ଥିବା ସରକାରୀ ପଲିଟେକ୍ନିକରେ ଏହି ହସ୍ପିଟାଲରେ ୧୦୦ ଟି ଶଯ୍ୟା ଓ ୧୦ ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।

ଏହି ହସ୍ପିଟାଲ ନିମନ୍ତେ ରାଜ୍ୟ ସରକାର ଆର୍ଥିକ ସହଯୋଗ କରୁଥିବାବେଳେ ଡାକ୍ତର, ନର୍ସ, ଏବଂ ପାରାମେଡିକାଲ ଷ୍ଟାଫ ଆଇଏମଏସ ଓ ସମ ହସ୍ପିଟାଲ ପକ୍ଷରୁ ଯୋଗାଇଦିଆ ଯାଇଛି । ସେହିପରି ହସ୍ପିଟାଲ ନିମନ୍ତେ ବ୍ୟବହାର ହେବାକୁ ଥିବା ଆନୁସଙ୍ଗିକ ସରଞ୍ଜାମ ମଧ୍ୟ ସମ ପକ୍ଷରୁ ଯୋଗାଇ ଦିଆ ଯାଇଛି । ହସ୍ପିଟାଲରେ ଲାଇଫ ଶେଭିଂ ଡିଭାଇସେସ ଓ ଭେଣ୍ଟିଲେଟର ରଖାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଉପସ୍ଥିତିରେ ହସ୍ପିଟାଲ ମଙ୍ଗଳବାର କାର୍ଯ୍ୟକ୍ଷମ ହୋଇଛି ।

ଏହି ପ୍ରକଳ୍ପ ନିମନ୍ତେ ସୋମବାର କେନ୍ଦ୍ରାପଡ଼ାଠାରେ ରାଜ୍ୟ ସରକାର ଓ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ବର୍ମା ଓ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଓ କେନ୍ଦ୍ରାପଡ଼ା ଉପଜିଲାପାଳ ଶ୍ରୀ ଜ୍ୟୋତି ପ୍ରକାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଖୁବଶୀଘ୍ର ଅନୁଗୁଳ ଠାରେ ମଧ୍ୟ ସମ ହସ୍ପିଟାଲ୍ ସହାୟତାରେ ଏକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ।