କୃଷି ଉପରେ ନାହିଁ କରୋନାର ପ୍ରଭାବ, କେନ୍ଦ୍ର କୃଷିମନ୍ତ୍ରୀଳୟଙ୍କ ସୂଚନା ଗତବର୍ଷ ଅପେକ୍ଷା ୨୧ ପ୍ରତିଶତ ଅଧିକ ଚାଷ
17/07/2020 at 10:21 PM

ନୂଆଦିଲ୍ଲୀ ୧୭।୭: କରୋନା ଭାଇରସ ମହାମାରୀ ଦେଶର ପ୍ରତ୍ୟେକ କ୍ଷେତ୍ରକୁ ସ୍ଥାଣୁ କରିଦେଇଛି। ଉଦ୍ୟୋଗଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ସବୁ ମାନ୍ଦା। ହେଲେ କୃଷିକ୍ଷେତ୍ରରେ ଏହାର କୌଣସି ପ୍ରଭାବ ନଥିବା କେନ୍ଦ୍ର କୃଷିମନ୍ତ୍ରାଳୟ ଶୁକ୍ରବାର ସୂଚନା ଦେଇଛନ୍ତି। ଏ ନେଇ ଜାରି ବିଜ୍ଞପ୍ତିରେ ଗତବର୍ଷ ଅପେକ୍ଷା ଖରିଫ ଋତୁରେ ୨୧ ପ୍ରତିଶତ ଅଧିକ ଖେତ ଯୋତା ଯାଇଥିବା କୁହାଯାଇଛି। ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାରୁ ବିଭିନ୍ନ ସ୍ଥାନରେ ବଛା ଖେଳୁଆ ସରିଲାଣି। ଏଣୁ କୃଷି ଶ୍ରମିକ ବେଶ ଲାଭବାନ ହେଉଥିବା ଏଥିରୁ ସୂଚନା ମିଳିଛି।

କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ଚାଷ ରିପୋର୍ଟ ଅନୁସାରେ ଚଳିତ ଋତୁରେ ଏପର୍ଯ୍ୟନ୍ତ ୬୯୧.୮୬ ଲକ୍ଷ ହେକ୍ଚର ଜମିରେ ଚାଷ କରାଯାଇଛି। ଗତବର୍ଷ ଏହି ସମୟରେ ଦେଶରେ ୫୭୦.୮୬ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥିଲା। ଅର୍ଥାତ ଗତବର୍ଷ ତୁଳନାରେ ୨୧ ପ୍ରତିଶତରୁ ଅଧିକ ଜମିରେ ଚାଷ ହୋଇଥିବା କୁହାଯାଇଛି।

ଖରିଫ ସିଜିନର ମୁଖ୍ୟ ଫସଲ ସାଧାରଣତଃ ଧାନ ଥାଏ। ଏହା ସହ ଡାଲି ଓ ତୈଳ ବିଜ ସମେତ ମୋଟା ଖାଦ୍ୟ ଶଶ୍ୟର ଚାଷ ହୋଇଥାଏ। ଚଳିତବର୍ଷ ୩୦.୮୪ ଲକ୍ଷ ହେକ୍ଟର ଜମିରେ ହରଡ ଚାଷ ହୋଇଛି। ଗତବର୍ଷ ତୁଳନାରେ ଏହି ହାର ୩୭.୪ ପ୍ରତିଶତ ଅଧିକ। ସେହିପରି ୨୫ଲକ୍ଷ ୪୩ ହେକ୍ଟର ଜମିରେ ବିରି ଓ ୨୦.୯୮ ଲକ୍ଷ ହେକ୍ଟର ଜମିରେ ମୁଗ ଚାଷ ହୋଇଥିବାର କୃଷି ବିଭାଗ ସୂଚନା ଦେଇଛନ୍ତି।

ତିଳ ଓ ଅନ୍ୟ ତୈଳ ବିଜ ଚାଷ ମଧ୍ୟ ବଢିଥିବା କୃଷିମନ୍ତ୍ରାଳୟ କହିଛନ୍ତି। ୮୧.୬୬ ଲକ୍ଷ ହେକ୍ଟର ଜମିରେ ଏଭଳି ଚାଷ ହୋଇଥିବା ବେଳେ ଗତବର୍ଷ ତୁଳନାରେ ଚଳିତବର୍ଷ ଚାଷର ପରିମାଣ ୬୧.୭୦ ପ୍ରତିଶତ ବୃଦ୍ଧି ହୋଇଛି। ଖରିଫର ମୁଖ୍ୟ ଫସଲ ଧାନ ୧୬୮.୪୭ ଲକ୍ଷ ହେକ୍ଟରରେ ଚାଷ ହୋଇଛି। ଗତବର୍ଷ ଏହି ସମୟରେ ହୋଇଥିବା ଧାନଚାଷ ଠାରୁ ଚଳିତବର୍ଷ ଅଧିକ୧୮.୫୯ ପ୍ରତିଶତ ଜମିରେ ଧାନ ଚାଷ ହୋଇଥିବାର ସୂଚିତ କରାଯାଇଛି।