ବାହାରେ ଝୁଲୁଛି ତାଲା, ଭିତରେ ଭକ୍ତ କରୁଛନ୍ତି ପୂଜା : କୋଭିଡ୍ କଟକଣାକୁ ନାହିଁ ପରବାୟ

Published By : Prameya-News7 Bureau | October 22, 2020 IST

ଟାଙ୍ଗୀ ୨୨।୧୦: ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରିଥିବା ବେଳେ ପରିସ୍ଥିତିକୁ ନଜରରେ ରଖି ବିଭିନ୍ନ ମନ୍ଦିର ଗୁଡିକରେ ଭକ୍ତଙ୍କ ଦର୍ଶନ ଉପରେ ନିଷିଦ୍ଧାଦେଶ ଜାରି କରିଛନ୍ତି ସରକାର । ମନ୍ଦିର ଗୁଡିକରେ ପୂଜା ପାଠ ଏବଂ ଦେବ ନୀତି କୋଭିଡ୍ କଟକଣା ମଧ୍ୟରେ କରାଯିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଖୋର୍ଦ୍ଧା ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଥିବା ଭୂଷଣ୍ଡପୁରର ମା’ ଉଗ୍ରତାର ମନ୍ଦିରରେ କୋଭିଡ୍ କଟକଣା ସମ୍ପୂର୍ଣ୍ଣ ବାଟବଣା ହୋଇଛି ।

ଶାରଦୀୟ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଏହି ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବା ସହ ମନ୍ଦିର ମଧ୍ୟକୁ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ଉପରେ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛନ୍ତି । ୧୬ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଭକ୍ତମାନେ ଯେପରି ମନ୍ଦିର ଭିତରକୁ ପ୍ରବେଶ ନକରିବେ ସେଥିପାଇଁ ମନ୍ଦିରର ମୁଖ୍ୟ ଫାଟକରେ ତାଲା ମଧ୍ୟ ଝୁଲୁଛି। ୧୪୪ ଧାରାର ନୋଟିସ୍ ମଧ୍ୟ ଫାଟକରେ ଲଗାଯାଇଛି । ତେବେ ଗଳାବାଟ ଦେଇ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରି ପୂଜାର୍ଚ୍ଚନା କରୁଛନ୍ତି । ମା’ଙ୍କର ଆଶିଷ ମଧ୍ୟ ଲାଭ କରୁଛନ୍ତି ।

ଜିଲ୍ଲା ପ୍ରଶାସନର ଏହି ନିର୍ଦ୍ଦେଶନାମାକୁ ଭକ୍ତ ଓ ପୂଜକ କେହି ପାଳନ କରୁନାହାନ୍ତି । ଏତେ ସବୁ କଟକଣା ପରେ କିଭଳି ଏଠି ଆଇନ-କାନୁନ ବାଟବଣା ହୋଇଛି ତାହା ଏବେ ବଡ ପ୍ରଶ୍ନ ଠିଆ କରିଛି । ମନ୍ଦିର ପରିସରକୁ ଦେଖିଲେ ସତେ ଯେମିତି ଏଠି କୋଭିଡ୍ କଟକଣାକୁ ସରକାର ଉଠେଇ ଦେଇଥିବା ଭଳି ମନେ ହୁଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.