ବେଙ୍ଗଲରେ ହ୍ରାସ ହେଉଛି କରୋନା ସଂକ୍ରମଣ, କମୁଛି ପଜିଟିଭିଟି

Published By : Prameya-News7 Bureau | May 30, 2021 IST

କୋଲକାତା ୩୦।୫: କରୋନା ଭାଇରସ ମହାମାରୀ ସଂକ୍ରମଣ ଲାଗି ପଶ୍ଚିମବଙ୍ଗ ସରକାର କୋଭିଡ ଲକଡାଉନକୁ ଆଉ ୧୫ ଦିନ ସମ୍ପ୍ରସାରଣ କରିଛନ୍ତି। ତେବେ ରାଜ୍ୟରେ ବଢି ଚାଲିଥିବା ସଂକ୍ରମଣ ଆୟତ୍ତ ଲାଗି ମମତା ବାନାର୍ଜୀ ସରକାର ଲାଗୁ କରିଥିବା ପ୍ରଥମ ଲକଡାଉନ୍‌ ବେଶ ସଫଳ ହୋଇଥିବା ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ସୂଚିତ କରିଛନ୍ତି। ପ୍ରଥମ ଲକଡାଉନ ଅବଧି ଶନିବାର ଶେଷ ହୋଇଛି। ତେବେ ଏହି ଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ଢେର ହ୍ରାସ ହୋଇଥିବା ବିଭାଗ କହିଛନ୍ତି।

ଲକଡାଉନ ଆରମ୍ଭ କାଳରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଯେତିକି ଥିଲା ଗତ୫ ଦିନ ହେଲା ସେଥିରେ ହ୍ରାସ ଦେଖାଯାଉଥିଲା। ସେହି ଅନୁସାରେ ପଜିଟିଭିଟି ହାର ମଧ୍ୟ ଖସିଥିଲା। ତେବେ ପରିସ୍ଥିତିକୁ ସମ୍ପୂର୍ଣ୍ଣ  ଆୟତ୍ତାଧୀନ କରିବା ଲାଗି ରାଜ୍ୟରେ ଲକଡାଉନ କଟକଣାକୁ ଆଉ ୧୫ ଦିନ ସମ୍ପ୍ରସାରଣ କରାଯାଇଛି। ରାଜ୍ୟ ସରକାରଙ୍କ ସୂତ୍ରରୁ ଜାରି ତଥ୍ୟ ଅନୁସାରେ ପଶ୍ଚିମବଙ୍ଗରେ ଶନିବାର ୧୧ ହଜାର ୫୧୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏପ୍ରିଲ ଶେଷ ସପ୍ତାହରେ ଚିହ୍ନଟ ପଜିଟିଭ ସଂଖ୍ୟାଠାରୁ ଏହା ଢେର କମ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି।

{"id":459155,"width":838,"height":469,"sizeSlug":"large","linkDestination":"none"}

ସେହିପରି ସକରାତ୍ମକତା ହାର ୧୮.୧ ପ୍ରତିଶତକୁ ଖସିଛି। ରାଜ୍ୟରେ କରୋନା ଦ୍ୱିତୀୟ ଲହରରେ ଏପ୍ରିଲ ୨୯ ତାରିଖ ଦିନ ଏହି ହାର  ୩୨.୯ ପ୍ରତିଶତ ଥିବା ବେଳେ ୩୦ ଏପ୍ରିଲରେ  ୩୨.୬ ପ୍ରତିଶତ ଥିଲା। ମେ ୨୫ ତାରିଖରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ୫ ଥିଲା। ଧିରେ ଧିରେ ଏହା ହ୍ରାସ ହୋଇ ମେ ୨୭ ତାରିଖ ବେଳକୁ ୧୩ ହଜାର ୪୬କୁ ହ୍ରାସ ହୋଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅଜୟ ଚକ୍ରବର୍ତ୍ତି କରୋନା ନିୟନ୍ତ୍ରଣରେ ଏହା ସଫଳ ପଦକ୍ଷେପ ବୋଲି କହିଛନ୍ତି।

ରାଜ୍ୟରେ ମେ ୧୬ ତାରିଖ ଦିନ ପ୍ରଥମ ଲକଡାଉନ ଘୋଷଣା ହୋଇଥିଲା। ସେତେବେଳକୁ ସକରାତ୍ମକତା ହାର ୨୯.୭ ପ୍ରତିଶତକୁ ଆସି ସାରିଥିଲା। ତେବେ ଲକଡାଉନ ଏହି ହାରକୁ ୧୮.୧ ପ୍ରତିଶତକୁ ଖସାଇ ଆଣିଛି। ଆମକୁ ଆଉ କିଛି ଦିନ ଏହିପରି କଷ୍ଟରେ କଟାଇବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଏଠାରେ କରୋନା ମୃତ୍ୟୁ ହାର ମଧ୍ୟ ପ୍ରଥମ ଲହର ଠାରୁ କମ୍‌ ରହିଛି। ଦ୍ୱିତୀୟ ଲହରରେ ଏଠାରେ ମୃତ୍ୟୁ ହାର ୦.୫୯ ପ୍ରତିଶତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.