ବୈଜ୍ଞାନିକଙ୍କ ଚେତାବନୀ - ଶୀତ ଦିନେ ଡବଲ ମହାମାରୀ ଭୋଗିବ ଦୁନିଆ, 'ଫ୍ଲୁ ସଟ' ନେବା ପାଇଁ ପରାମର୍ଶ

Published By : Prameya-News7 Bureau | August 17, 2020 IST

ନ୍ୟୁୟର୍କ ୧୭/୦୮ : ଦୁନିଆରେ କରୋନା ସଂକ୍ରମଣ ମାମଲା ଲଗାତାର ବଢ଼ିବାରେ ଲାଗିଛି | ସମ୍ପୂର୍ଣ୍ଣ କରୋନା ମୁକ୍ତ ହେବାପରେ ନ୍ୟୁଜିଲାଣ୍ଡରେ ପୁଣି ନୂଆ ମାମଲା ସାମ୍ନାକୁ ଆସିଛି | ଶୀତ ଦିନରେ ଡବଲ ମହାମାରୀ ଭଳି ସ୍ଥିତି ଉତ୍ପର୍ଣ୍ଣ ହୋଇପାରେ ବୋଲି ବୈଜ୍ଞାନିକ ଚେତାବନୀ ଦେଇଛନ୍ତି | ଶୀତ ଦିନରେ କୋଭିଡ-୧୯ ସହ ଫ୍ଲୁ ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି | ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଶୀତ ଦିନରେ ମୌସୁମୀ ଫ୍ଲୁ ଏକ ସାଧାରଣ ରୋଗ | ଅଧିକାଂଶ ହସ୍ପିଟାଲରେ ଫ୍ଲୁ ରୋଗୀ ଭର୍ତ୍ତି ହୋଇଥାନ୍ତି | କିନ୍ତୁ ୨୦୨୦ ଟିକିଏ ଭିନ୍ନ | ଚଳିତ ବର୍ଷ ସବୁ ହସ୍ପିଟାଲ ପୂର୍ବରୁ ହିଁ କୋଭିଡ ରୋଗୀଙ୍କ ପାଇଁ ଭର୍ତ୍ତି ରହିଛି | ଏହିଭଳି ସ୍ଥିତିରେ ଫ୍ଲୁ ରୋଗୀଙ୍କ ଚିକିତ୍ସା କେଉଁଠି ହେବ ପ୍ରଶ୍ନ ଉଠିଛି | ଅପରପକ୍ଷରେ ଫ୍ଲୁ ଓ କରୋନା ଲକ୍ଷଣ ମଧ୍ୟ ଏକାଭଳି | ଏହିଭଳି ସ୍ଥିତିରେ କନଫ୍ୟୁଜନ ବଢିବା ନେଇ ଆଶଙ୍କା କରାଯାଉଛି | ଫ୍ଲୁରୁ ବଂଚିବା ପାଇଁ ଲୋକଙ୍କୁ ଫ୍ଲୁ ଶଟ ଦିଆଯାଏ ଯାହା ଏଥର ସମ୍ଭବ ନୁହେଁ | ସେଥିପାଇଁ ରୋଗୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ | ଫ୍ଲୁ ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ କରୋନା ସଂକ୍ରମଣ ଘାତକ ପ୍ରମାଣିତ ହୋଇପାରେ |

ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ଶାନ (CDC) ନିର୍ଦେଶକ ରୋବର୍ଟ ରେଡଫିଲ୍ଡ କହିଛନ୍ତି ଯେ, ସେମାନେ ବଡ ବଡ କମ୍ପାନୀଗୁଡିକୁ କହିଛନ୍ତି ଯେ 'ଫ୍ଲୁ ସଟ' ଦେବା ପାଇଁ ଅଭିଯାନ ଆରମ୍ଭ କରନ୍ତୁ | CDC ପ୍ରତିବର୍ଷ ହସ୍ପିଟାଲଗୁଡିକୁ ୫ ଲକ୍ଷ ଡୋଜ ଦିଅନ୍ତି | କିନ୍ତୁ ଚଳିତ ବର୍ଷ ଆଶଙ୍କାକୁ ଦୃଷ୍ଟିରେ ରଖି ୯.୩ ମିଲିୟନ 'ଫ୍ଲୁ ସଟ' ଅର୍ଡର କରାଯାଇଛି | ଆମେରିକାର କରୋନା ଏକ୍ସପର୍ଟ ଡାକ୍ତର ଆନ୍ଥୋନି ଫାଉଚି ମଧ୍ୟ ଲୋକଙ୍କୁ 'ଫ୍ଲୁ ସଟ' ନେବା ପାଇଁ ପରାମର୍ଶ ଦେଇଛନ୍ତି | ଏହାଦ୍ୱାରା ବ୍ୟକ୍ତି ଏକାଥରେ ଶ୍ୱାସ ସମ୍ବନ୍ଧୀୟ ଦୁଇଟି ରୋଗରୁ ଗୋଟିଏ ଭୟରୁ ମୁକ୍ତି ପାଇପାରିବେ |

ବ୍ରିଟେନରେ ମଧ୍ୟ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନା ସ୍ଥିତିକୁ ଦେଖି ଫ୍ଲୁ ସଟ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି | ଅଷ୍ଟ୍ରେଲିଆରେ ଏପ୍ରିଲ ମାସରୁ ଫ୍ଲୁ ସଟ ଅଭିଯାନ ଆରମ୍ଭ ହୋଇଛି | ଆମେରିକାରେ ଶିଶୁଙ୍କ ପାଇଁ ନର୍ସରୀ ସ୍କୁଲରେ ଟୀକା ବ୍ୟବସ୍ଥା ହୋଇଥାଏ | କିନ୍ତୁ କରୋନା ଯୋଗୁଁ ସ୍କୁଲ ବନ୍ଦ ହୋଇଥିବାରୁ ଶିଶୁଙ୍କୁ ଟୀକା ଦିଆଯାଇପାରିନାହିଁ | କାଲିଫର୍ନିଆ ୟୁନିଭର୍ସିଟି ଘୋଷଣା କରିଛି ଯେ ନଭେମ୍ବର ସୁଦ୍ଧା ୨ ଲକ୍ଷ ୩୦ ହଜାର କର୍ମଚାରୀ ଏବଂ ୨ ଲକ୍ଷ ୮୦ ହଜାର ଛାତ୍ରଛାତ୍ରୀଙ୍କୁ ଫ୍ଲୁ ସଟ ଆବଶ୍ୟକ ହେବ | CDC ଅନୁଯାୟୀ, ଆମେରିକାରେ ଚଳିତ ବର୍ଷ ସାଧାରଣ ଫ୍ଲୁର ୩୯ ମିଲିୟନରୁ ୫୬ ମିଲିୟନ ମାମଲା ସାମ୍ନାକୁ ଆସିପାରେ | ପାଖାପାଖି ୭ ଲକ୍ଷ ୪୦ ଲୋକଙ୍କୁ ହସ୍ପିଟାଲ ଆବଶ୍ୟକ ପଡିପାରେ | ଏଥିରେ ୬୨ ହଜାର ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇପରେ ବୋଲି ଆଶଙ୍କା କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.