ଦେଶରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ହେଲେ ସୁସ୍ଥ, ସୁସ୍ଥ ହାର ୭୨ ପ୍ରତିଶତ ଟପିଲା

Published By : Prameya-News7 Bureau | August 17, 2020 IST

ନୂଆଦିଲ୍ଲୀ ୧୭।୦୮: ସମଗ୍ର ଦେଶରେ କରୋନା ସଂକ୍ରମଣ ମଧ୍ୟରେ ଆସିଛି ଆଶ୍ଵସ୍ତିକର ଖବର। ଯେଉଁ ପରିମାଣରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହି ଅନୁପାତରେ ପ୍ରତିଦିନ ପୁରୁଣା ସଂକ୍ରମିତ ସୁସ୍ଥ ହେଉଛନ୍ତି। ଏହି କ୍ରମରେ ଭାରତରେ ସୁସ୍ଥହାର ୭୨ ପ୍ରତିଶତ ଟପିଥିବା ବେଳେ ଗତ ୨୪ ଘଣ୍ଟାରେ ସବୁଠୁ ଅଧିକ କରୋନା ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୫୭,୫୮୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମନ୍ତ୍ରଣାଳୟ କହିଛି ଦେଶରେ କରୋନାରୁ ସୁସ୍ଥ  ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨୦ ଲକ୍ଷରେ ପହଞ୍ଚିଛି। ଅଦ୍ୟାବଧି ୧୯, ୧୯, ୮୪୨ ଜଣ କରୋନା ମୁକ୍ତ ହୋଇଛନ୍ତି।

ମନ୍ତ୍ରଣାଳୟ ଅନୁଯାୟୀ ମୃତ୍ୟୁହାର ମଧ୍ୟ କ୍ରମାଗତ ହ୍ରାସ ପାଇ ଚାଲିଛି। ଏହି ହାର ଏବେ ୧.୯୨ ପ୍ରତିଶତରେ ରହିଛି। ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରି ଏବଂ ହାଲୁକା ଲକ୍ଷଣ ଦେଖାଯାଉଥିବା ଲୋକଙ୍କୁ ତୁରନ୍ତ ହୋମ୍ ଆଇସୋଲେସନ ଏବଂ ଗୁରୁତର ଅସୁସ୍ଥ ଲୋକଙ୍କୁ ହସ୍ପିଟାଲରେ ଚିକିତ୍ସା କରାଇବା ଫଳରେ କରୋନା ସଂକ୍ରମଣ ମାମଲାରେ ସମୟୋଚିତ ବନ୍ଦୋବସ୍ତ କରାଯାଇ ପାରୁଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସମ୍ମିଳିତ ପ୍ରୟାସରେ ଦେଶରେ କରୋନା ମୃତ୍ୟୁହାର ୧.୯୨ ପ୍ରତିଶତ ରହିଛି।

ଦେଶରେ ଗତ ୨୪ ଘଣ୍ଟାରେ ୯୪୧ ରୋଗୀଙ୍କ  କରୋନାରେ ମୃତ୍ୟୁ ଘଟିଛି। ଏହା ସହିତ ମୃତକଙ୍କ ସଂଖ୍ୟା ୫୦ ହଜାର ଟପିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ଦେଶରେ ୫୦,୯୨୧କୁ ବୃଦ୍ଧି ଘଟିଛି। ଅଦ୍ୟାବଧି କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬,୪୭,୬୬୪ ରହିଛି। ଗତ ୨୪ ଘଣ୍ଟାରେ ୫୭,୯୮୨ ନୂତନ କେସ୍ ସାମ୍ନାକୁ ଆସିଛି। ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୬,୭୬,୯୦୦ ଏବଂ ସୁସ୍ଥଙ୍କ ସଂଖ୍ୟା ୧୯,୧୯, ୮୪୩କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.