ଭବିଷ୍ୟତରେ ସ୍ଥାନୀୟ ସଂକ୍ରମଣରେ ରୂପାନ୍ତରିତ ହୋଇପାରେ Covid-19 , ହେଲେ ‘ଜିରୋ’ ଆଚିଭମେଣ୍ଟ ଅସମ୍ଭବ: ବିଶେଷଜ୍ଞ

Published By : Prameya-News7 Bureau | July 03, 2021 IST

ନୂଆଦିଲ୍ଲୀ ୩।୭: ଦେଶରେ କରୋନା ଭାଇରସ ସଂକ୍ରମଣ ହାର ହ୍ରାସ ହେବାରେ ଲାଗିଛି। ତେବେ ଭୂତାଣୁ ମ୍ୟୁଟାଣ୍ଟ (ପରିବର୍ତ୍ତନଶୀଳ) ହୋଇଥିବାରୁ ଦିଲ୍ଲୀରେ ଶୂନ୍ୟ ସଂକ୍ରମଣ ଆଶା କରାଯାଇ ନପାରେ ଓ ଭବିଷ୍ୟତରେ ଏହା ଏଣ୍ଡାମିକ( ସ୍ଥାନୀୟ) ହୋଇଯିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଗତବର୍ଷ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ଭାଇରସ ସହ ଆଗକୁ ଆମକୁ ରହିବାକୁ ପଡିବ ଓ ଏହାର ପ୍ରତିରୋଧ ନିୟମକୁ ଆମ ଜୀବନର ଅଂଶ କରିବାକୁ ହେବ ବୋଲି ଯାହା କହିଥିଲେ ବିଶେଷଜ୍ଞମାନେ ସେମାନଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି।

ଦିଲ୍ଲୀ ଲୋକନାୟକ ଜୟପ୍ରକାଶ (ଏଲଏନଜେପି) ହସ୍ପିଟାଲର ଡାକ୍ତରୀ ନିର୍ଦ୍ଦେଶକ ଡା. ସୁରେଶ କୁମାର ଭୂତାଣୁ କିଛିମାତ୍ରାରେ ରହିବ ବୋଲି କହିଛନ୍ତି। ତେବେ ଜିରୋ ପରିକଳ୍ପନା ଏକ ଅସମ୍ଭବ ଚିତ୍ର ବୋଲି ମଧ୍ୟ ସେ ସ୍ୱୀକାର କରିଛନ୍ତି। ସେହିପରି ଯେହେତୁ ଭୂତାଣୁ ପରିବର୍ତ୍ତନଶୀଳ ଏଣୁ ଏହାର ଭବିଷ୍ୟତ ପୂର୍ବାନୁମାନ କରିବା ଏବେଠୁ କଷ୍ଟକର ବୋଲି ସେ କହିଛନ୍ତି। ତେବେ ଏହା ଏକ ଏମଆରଏନଏ ଭୂତାଣୁ ଓ ଏହା ସଂରଚନାରେ ବାରମ୍ବାର ପରିବର୍ତ୍ତନ କରିଥାଏ ବୋଲି ଅମୃତା ହସ୍ପିଟାଲ ଫରିଦାବାଦର ରେସିଡେଣ୍ଟ ମେଡିକାଲ ଡାଇରେକ୍ଟର ଡା. ସଞ୍ଜିବ କେ.ସିଂହ କହିଛନ୍ତି।

ଏହା ଏକ ସ୍ମାର୍ଟ ଭୂତାଣୁ ଓ କେବଳ ବଞ୍ଚିବା ଲାଗି ନିଜର କାୟାକଳ୍ପ କରିବ। ଯେଉଁ ୧୯୩ଟି ଦେଶକୁ ଭୂତାଣୁ ଆକ୍ରାନ୍ତ କରିଛି ଏହା ସେହିଠାରେ ହିଁ ରହିବ ଏବଂ କେହି କାହାକୁ ପ୍ରଭାବିତ କରିବେନି। ଏଥିରୁ ଜିରୋ ଆଚିଭମେଣ୍ଟ ପରିକଳ୍ପନା ଆଶା କରାଯାଇ ନପାରେ ବୋଲି ଡା. ସିଂହ କହିଛନ୍ତି। ସେ କହିଛନ୍ତି ଯେ ଯେପରି ଅସ୍ତ୍ରୋପଚାର ଲାଗି ଏବେ ଆମେ ଏଚଆଇଭି, ହେପାଟାଇଟିସ୍ ପରୀକ୍ଷଣ କରୁଛେ ଆଗକୁ ହସ୍ପିଟାଲମାନଙ୍କରେ ଏହା ସହ କୋଭିଡ ପରୀକ୍ଷଣ ମଧ୍ୟ ସାମିଲ ହେବ।

{"id":475111,"width":839,"height":553,"sizeSlug":"large","linkDestination":"none"}

ସେହିପରି ଭୂତାଣୁର ବିଲୋପ ଏକ ଅବାସ୍ତବ ପରିକଳ୍ପନା ବୋଲି ଆଇଭିଏଫ ବିଶେଷଜ୍ଞ ତଥା ସିଡସ୍‌ ଅଫ ଇନୋସେନ୍ସର ସଂସ୍ଥାପିକା ଡା. ଗୌରୀ ଅଗ୍ରୱାଲ କହିଛି। ସେ କହିଛନ୍ତି ଯେ ଯଦି ଆମେ ୧୯୧୮ ମହାମାରୀକୁ ମାନଦଣ୍ଡ ଭାବେ ଧରିବା ତେବେ ଆମେ କେବେ ଏପରି ପରିକଳ୍ପନା କରିପାରିବାନି। ୧୨-୨୪ ମାସ ପରେ ଏହା ସ୍ଥାନିୟ ହୋଇଯିବ। ସେତେବେଳେ ଏହାର ପରିସଂଖ୍ୟାନ ବନ୍ଦ କରିଦିଆଯିବା ସହ ଦୈନିକ ଅଥବା ସାପ୍ତାହିକ ହିସାବ ନିଆଯିବ। ଏଥିରେ ଯେଉଁ ଦିନ ଗୋଟିଏ ବି ପରୀକ୍ଷଣ ପଜିଟିଭ ନ ଆସିବ ସେ ଦିନ ଯେ ସଂକ୍ରମଣ ନଥିବ ତାହା ଆମେ ସ୍ପଷ୍ଟ ଭାବେ କହିପାରିବାନି ବୋଲି ସେ କହିଛନ୍ତି। ଦେଶରେ ଦ୍ୱିତୀୟ ଲହରର ପ୍ରକୋପରେ ଡେଲ୍ଟା ଭୂତାଣୁ ଚିହ୍ନଟ ହେବା  ବିଶେଷଜ୍ଞ ତୃତୀୟ ଲହରର ଆଶଙ୍କା କରିବା ସହ ଏହା ଭୟାବହ ହୋଇପାରେ ବୋଲି ଆଶଙ୍କା କରିଥିଲେ।

ତେବେ ଏପରି ଭୂତାଣୁ ଲହର ପୁଣି ଥରେ ଆସିବ ନାହିଁ ଯାହା ବିରୋଧରେ ଭାକ୍ସିନ କାମ କରିବନି ସେପରି ମଧ୍ୟ ପରିକଳ୍ପନା କରାଯାଇ ନ ପାରେ ବୋଲି ଆପୋଲୋ ଇନ୍ଦ୍ରପ୍ରସ୍ଥର ଡାକ୍ତର ରାକେଶ ଚାୱଲା କହିଛନ୍ତି। ମାକ୍ସ ହେଲଥ କେୟାରର ନିର୍ଦ୍ଦେଶକ ଡା. ରୋମେଲ ଟିକ୍କୁ ମଧ୍ୟ  ଡା.ଚାୱଲାଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି। ଆମେ ଏବେବି କୋଭିଡ ଦ୍ୱିତୀୟ ଲହରରେ ଥିବା ସେ କହିଛନ୍ତି। ତେବେ ଦେଶରେ ମୋଟ କୋଭିଡ ସଂକ୍ରମଣର ୭୦ ପ୍ରତିଶତ ମାମଲା ମହାରାଷ୍ଟ୍ର ଓ ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କରେ ଦେଖାଯାଇଛି। ସଂକ୍ରମଣ ଯେଉଁଭଳି ବୃଦ୍ଧି ହୋଇଥିଲା ସେହିପରି ହ୍ରାସ ମଧ୍ୟ ହୋଇଛି ବୋଲି ସେ କହିଛନ୍ତି। ଏଥିରେ ଯଦି ତୃତୀୟ ଲହର ଆସେ ତେବେ ଦ୍ୱିତୀୟ ଓ ପ୍ରଥମ ଲହର ଭଳି ଏତେ ମାରାତ୍ମକ ହୋଇ ନପାରେ ବୋଲି  ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.