ଚିନ୍ତା ବଢାଇଲା କୋଭିଡ୍ -୧୯, ସଂକ୍ରମିତଙ୍କୁ ହେଉଛି ମଧୁମେହ, ଡାକ୍ତରଙ୍କୁ ଟେନସନ୍

Published By : Prameya-News7 Bureau | October 20, 2020 IST

ଲଣ୍ଡନ, ୨୦/୧୦: ମଧୁମେହ ରୋଗୀଙ୍କ ପାଇଁ କରୋନା ବିପଦ ବେଶୀ ରହିଛି । କାରଣ ସେମାନଙ୍କ ଠାରେ ଔଷଧ ସେତେଟା ପ୍ରଭାବ ସାବ୍ୟସ୍ତ ହୋଇନଥାଏ ବୋଲି ଅନେକ ରିପୋର୍ଟରେ ପ୍ରକାଶ ପାଇଛି । ଅନେକ ମଧୁମେହ ଆକ୍ରାନ୍ତ କରୋନାରେ ମୃତ୍ୟୁ ମୁଖରେ ପଡିଛନ୍ତି । ଏବେ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏପରିକି ଅନେକ ବିଶେଷଜ୍ଞ ମଧ୍ୟ ଚିନ୍ତିତ ହୋଇ ପଡିଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ, କରୋନା ଭାଇରସ ପାଇଁ ଲୋକଙ୍କୁ ମଧୁମେହ ହେଉଛି । ଯାହାର ଉଦାହରଣ ମଧ୍ୟ ଦିଆଯାଇଛି । ଲଣ୍ଡନରେ ଜଣେ ୨୬ ବର୍ଷୀୟ ଯୁବକ ମୋରିୟୋଙ୍କୁ ଗତ ଜୁନ ମାସରେ ଜ୍ୱର ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଉଥିଲା । ଟେଷ୍ଟ ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ ସେ ସୁସ୍ଥ ହୋଇଥିଲେ । କିନ୍ତୁ ତାଙ୍କୁ କ୍ଲାନ୍ତ ଅନୁଭବ ହେଉଥିଲା ।  ଏହାପରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ଡାକ୍ତର କହିଥିଲେ ଯେ, ମୋରିୟୋ କୋମାକୁ ଚାଲି ଯାଇଥିଲେ । ଏପରିକି ତାଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥାନ୍ତା । ଏହି ସମୟରେ ତାଙ୍କର ଟାଇପ୍ ୧ ମଧୁମେହ ହୋଇଥିବା ମେଡିକାଲ ଟେଷ୍ଟରୁ ଜଣା ପଡିଥିଲା ।କରୋନା ଭାଇରସ ପାଇଁ ଏପରି ହୋଇଥିବା ଡାକ୍ତରମାନେ କହିଥିଲେ ।

ଏହି ମାମଲା ସାମ୍ନାକୁ ଆସିବା ପରେ ମଧୁମେହ ଓ କୋଭିଡ୍-୧୯କୁ ନେଇ ଡାକ୍ତର ଓ ବୈଜ୍ଞାନିକଙ୍କ ଚିନ୍ତା ବଢିଯାଇଛି ।. ଏହା ଉପରେ ରିସର୍ଚ୍ଚ ମଧ୍ୟ ଆରମ୍ଭ ହୋଇଯାଇଛି । କରୋନା ପାଇଁ ଲୋକ ଏପରିକି ଶିଶୁଙ୍କୁ ମଧ୍ୟ ମଧୁମେହ ହୋଇପାରେ ।

କିଙ୍ଗସ୍ କଲେଜ ଅଫ୍ ଲଣ୍ଡନର ଡାକ୍ତର ଫ୍ରାନସେସ୍କୋ ରୁବିନୋଙ୍କ କହିବାନୁସାରେ, କରୋନା ଭାଇରସ ମଧୁମେହର କାରଣ ହୋଇପାରେ । ଏପରି ମାମଲା ଅନେକ ସ୍ଥାନରୁ ସାମ୍ନାକୁ ଆସିଛି । ସେହିପରି ଆମେରିକାର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ ହେଲଥ୍ ମଧ୍ୟ କରୋନାରୁ ମଧୁମେହର ସମ୍ଭାବନା ରହିଥିବା କହିଛି ।

ଆମେରିକା ମଧୁମେହ ଆସୋସିଏସନର ଅଧ୍ୟକ୍ଷ ରବର୍ଟ ଏକେଲ୍ କହିଛନ୍ତି ଯେ, ଏବେ ତାଙ୍କ ପାଖରେ ଉତ୍ତର ଅପେକ୍ଷା ଅଧିକ ପ୍ରଶ୍ନ ରହିଛି । ଏବେ ଅନେକ ମଧୁମେହର ନୂଆ ରୂପକୁ ସାମ୍ନା କରୁଛନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଟାଇପ୍ ୧ ମଧୁମେହ ସେତେବେଳେ ହୋଇଥାଏ, ଯେତେବେଳେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ବଦଳରେ ଇନସୁଲିନ ତିଆରି କରୁଥିବା କୋଷିକାକୁ ନଷ୍ଟ କରିଦିଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.