କରୋନା ଚିକିତ୍ସା ପାଇଁ ଆସିଲା ଔଷଧ, ପ୍ରତିଟି ଗୋଲି ୧୦୩ ଟଙ୍କା

Published By : Prameya-News7 Bureau | June 20, 2020 IST

ନୂଆଦିଲ୍ଲୀ ୨୦।୦୬: ଗ୍ଲେନମାର୍କ ଫାର୍ମାସ୍ୟୁଟିକଲ୍ସ କୋଭିଡ୍-୧୯ରେ ହାଲୁକା ଭାବେ ପୀଡିତ ରୋଗୀଙ୍କ ଚିକିତ୍ସା ପାଇଁ ଆଣ୍ଟି ଭାଇରାଲ ଔଷଧ ଫେଭିପିରାଭିଲକୁ ଫ୍ୟାବିଫ୍ଲୁ ନାମରେ ବଜାରରେ ଛାଡିଛି। କମ୍ପାନୀ ଶନିବାର ଏହାର ସୂଚନା ଦେଇଛି। ମୁମ୍ବାଇର ଏହି କମ୍ପାନୀ ଶୁକ୍ରବାର କହିଥଲା ଯେ, ସେମାନଙ୍କୁ ଭାରତୀୟ ଔଷଧି ମହାନିୟନ୍ତ୍ରକ(DGCI)ରୁ ଏହି ଔଷଧର ପ୍ରସ୍ତୁତି ଏବଂ ମାର୍କେଟିଂ ଲାଗି ଅନୁମତି ମିଳିଛି।

କମ୍ପାନୀ କହିଛି, ଫ୍ୟାବିଫ୍ଲୁ କୋଭିଡ୍-୧୯ ଚିକିତ୍ସା ପାଇଁ ଫେଭିପିରାଭିଲର ଏକ ଔଷଧ, ଯାହାର ପ୍ରସ୍ତୁତି ଏବଂ ବିକ୍ରି ଲାଗି ସରକାରଙ୍କଠୁ ମଞ୍ଜୁରୀ ମିଳିଛି। ଗ୍ଲେନମାର୍କ ଫାର୍ମାସ୍ୟୁଟିକଲ୍ସର ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଗ୍ଲେନ ସଲଦାନହ କହିଛନ୍ତି, ଆମକୁ ମଞ୍ଜୁରୀ ଏମିତି ସମୟରେ ମିଳିଛି ଯେତେବେଳେ ଭାରତରେ କରୋନା ସଂକ୍ରମିଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏହାରି ପ୍ରଭାବରେ ଆମର ସ୍ଵାସ୍ଥ୍ୟ ପ୍ରଣାଳୀ ଉପରେ ବହୁତ ଚାପ ପଡିଛି। ସେ ଆଶା ପ୍ରକାଶ କରିଛନ୍ତି ଯେ, ଫ୍ୟାବିଫ୍ଲୁ ପରି ପ୍ରଭାବଶାଳୀ ଚିକିତ୍ସା ଉପଲବ୍ଧ ହେବା ପରେ ସ୍ଵାସ୍ଥ୍ୟ ବ୍ୟବସ୍ଥା ଉପରେ ପଡିଥିବା ଚାପ କିଛିଟା ହ୍ରାସ ପାଇବ। ରୋଗୀ ଏହି ଔଷଧ ସେବନ କରି ସୁସ୍ଥ ହୋଇ ପାରିବେ।

କରୋନାରେ ହାଲୁକା ପ୍ରଭାବିତଙ୍କ ପାଇଁ ଏହି ଔଷଧ

ସଲଦାନହ କହିଛନ୍ତି, କ୍ଲିନିକଲ ପରୀକ୍ଷଣରେ ଫ୍ୟାବିଫ୍ଲୁ କରୋନା ଭାଇରସ୍‌ର ହାଲୁକା ସଂକ୍ରମଣରେ ପୀଡିତ ରୋଗୀଙ୍କ ଉପରେ ସକରାତ୍ମକ ପରିଣାମ ଦେଖାଇଥିଲା। ଏଥିରେ ରୋଗୀ ସୁସ୍ଥ ଅନୁଭବ କରିଥିଲେ। ସେ କହିଛନ୍ତି କମ୍ପାନୀ ସରକାର ଓ ଚିକିତ୍ସା ସମୁଦାୟ ସହିତ ମିଶି କାମ କରିବେ ଯଦ୍ଵାରା ସମଗ୍ର ଦେଶରେ ରୋଗୀଙ୍କ ପାଖରେ ଏହି ଔଷଧ ସୁବିଧାରେ ପହଞ୍ଚି ପାରିବ। ଚିକିତ୍ସକଙ୍କ ପରାମର୍ଶ କ୍ରମେ ଏହି ଔଷଧର ପ୍ରତିଟି ଗୋଲିର ଦାମ ୧୦୩ ଟଙ୍କା ଦାମରେ ମିଳିବ।

ପ୍ରଥମ ଦିନରେ ଏହାର ୧୮୦୦ ଏମଜିର ଦୁଇଟି ଗୋଲି ଖାଇବାକୁ ପଡିବ। ଏହା ପରେ ୧୪ ଦିନ ପର୍ଯ୍ୟନ୍ତ ୮୦୦ ଏମଜିର ଦୁଇଟି ଗୋଲି ଖାଇବାକୁ ପଡିବ। ଗ୍ଲେନମାର୍କ ଫାର୍ମା କହିଛି, ହାଲୁକା ସଂକ୍ରମଣରେ ପୀଡିତ ରୋଗୀ ଯେଉଁମାନେ ମଧୁମେହ କିମ୍ବା ହୃଦଘାତ ରୋଗରେ ପୀଡିତ ସେମାନେ ଏହି ଔଷଧ ମଧ୍ୟ ସେବନ କରି ପାରିବେ। ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩,୯୫, ୦୪୮ରେ ପହଞ୍ଚିଛି। ମହାମାରୀରେ ଏ ପର୍ଯ୍ୟନ୍ତ ୧୨,୯୪୮ ଜଣଙ୍କ ପ୍ରାଣହାନୀ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.