କରୋନା ଲଢେଇରେ ଆଉ ଏକ ବଡ ଘୋଷଣା : ୧୦ ଦିନ ମଧ୍ୟରେ ଦେଶରେ ଆରମ୍ଭ ହେବ ଟିକାକରଣ, ସବୁ ସ୍ତରରେ ପ୍ରସ୍ତୁତି ଶେଷ

Published By : Prameya-News7 Bureau | January 05, 2021 IST

ନୂଆଦିଲ୍ଲୀ ୦୫/୦୧ : ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାରଯାଇଥିବା ବିଜ୍ଞପ୍ତିରେ ଏ ନେଇ ସୂଚନା ଦିଆଯାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୦ ଦିନ ମଧ୍ୟରେ ଦେଶରେ ଟିକାକରଣ ଆରମ୍ଭ ହେବ । ଜାନୁୟାରୀ ୩ ତାରିଖରେ DCGI କରୋନା ଟିକାକୁ ଦେଶରେ ବ୍ୟବହାର ପାଇଁ ସବୁଜ ସଙ୍କେତ ଦେବା ପରେ ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ତେବେ ଜାନୁୟାରୀ ୧୩ କିମ୍ବା ୧୪ ତାରିଖରୁ ଦେଶରେ ଟିକାକରଣ ଆରମ୍ଭ ହୋଇଯିବ । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀ ଓ ବୟସ୍କ ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ ।

ମଙ୍ଗଳବାର ଏକ ପ୍ରେସ୍ କନଫରେନ୍ସରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, କେନ୍ଦ୍ର ସରକାର ୧୦ ଦିନ ମଧ୍ୟରେ କରୋନା ଭ୍ୟାକସିନକୁ ବ୍ୟବହାର କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଭ୍ୟାକସିନକୁ ବ୍ୟବହାର ପାଇଁ DCGI ଅନୁମତି ଦେବା ପରେ ଏହି ପ୍ରକ୍ରିୟା ଦ୍ରୁତ ଗତିରେ କାର୍ଯ୍ୟକାରୀ ହେବା ପାଇଁ ପ୍ରସ୍ତୁତ ପ୍ରାୟତଃ ଣେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସୂଚନା ଅନୁସାରେ ରବିବାର ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ, କୋଭିସିଲ୍ଡ ଏବଂ କୋଭାକ୍ସିନ୍‌କୁ ବ୍ୟବହାର କରିବା ପାଇଁ ଅନୁମତି ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ଦେଶରେ ପ୍ରାୟ ୩ କୋଟି ଲୋକଙ୍କୁ ଭ୍ୟାକସିନ୍‌ ଦିଆଯିବ । ଯେଉଁଥିରେ ସ୍ବାସ୍ଥ୍ୟ କର୍ମୀ, ପ୍ରଣ୍ଟ୍ ଲାଇନ୍ ଓ୍ବାର୍କର ଏବଂ ବୟସ୍କ ବ୍ୟକ୍ତି ଯାହାଙ୍କ ବୟସ ୫୦ ବର୍ଷରୁ ଉର୍ଦ୍ଧ୍ବ, ସେମାନଙ୍କୁ ଟିକାକରଣ କରାଯିବ ।

ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଦେଶରେ ୪ଟି ପ୍ରାଥମିକ ଭ୍ୟାକସିନ୍ ଷ୍ଟୋର ମହଜୁଦ ଅଛି । କରନାଲ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତାରେ ଭ୍ୟାକସିନ୍ ଷ୍ଟୋର ପ୍ରସ୍ତୁତ ଅଛି । ଏଠାରେ ଭ୍ୟାକସିନ୍‌କୁ ରଖାଯିବ ଏବଂ ଏହିଠାରୁ ହିଁ  ବିଭିନ୍ନ ସ୍ଥାନକୁ ଭ୍ୟାକସିନ ପଠାଯିବ । ଏଠାରୁ ଭ୍ୟାକସିନ୍‌କୁ ଜିଲ୍ଲା ସ୍ତରରେ ପଠାଯିବ । ସେଠାରୁ ଭ୍ୟାକସିନ୍‌ଗୁଡିକୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ ପଠାଯିବ । ଏଥି ପାଇଁ ତମାମ ପ୍ରକ୍ରିୟା ଶେଷ ହୋଇଛି ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.