ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଟିକାଦାନ

Published By : Prameya-News7 Bureau | January 16, 2021 IST

ଭୁବନେଶ୍ବର ୧୬।୧: ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍ ଟିକାକରଣର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ରାଜ୍ୟରେ ମଧ୍ୟ ମେଗା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟରେ ୧୬୧ଟି ଟିକାକରଣ କେନ୍ଦ୍ର କରାଯାଇଛି । ରାଜ୍ୟ ସମସ୍ତ ଜିଲ୍ଲା ଓ ରାଜଧାନୀର ୬ଟି ସ୍ଥାନରେ ଟିକା ଦିଆଯାଉଛି । ପୂର୍ବରୁ ଭୁବନେଶ୍ବରରେ ୫ଟି କେନ୍ଦ୍ର କରାଯାଇଥିବା ବେଳେ ବର୍ତ୍ତମାନ ଏମ୍ସ ହସ୍ପିଟାଲ ସାମିଲ କରାଯାଇଛି । ରାଜ୍ୟକୁ କୋଭିସିଲ୍ଡର ୪ ଲକ୍ଷ ୮ହଜାର ଡୋଜ୍ ଆସିଥିବା ବେଳେ ୨୦ ହଜାର କୋଭାକ୍ସିନର ଡୋଜ୍ ଆସିଛି ।

ପ୍ରଥମ ଦିନରେ ୧୬୧୦୦ ଜଣଙ୍କୁ ଟିକା ଦିଆଯାଉଛି । ବିଏମସି ଅଧିନରେ ଥିବା ମେଡିକାଲରେ କୋଭାକ୍ସିନ ଦିଆଯାଉଛି । ପ୍ରଥମ ଦଫାରେ ଲକ୍ଷେ ୯୨ ହଜାର ଜଣ ଟିକା ନେବେ । ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଥିବା ବେଳେ ପରେ ପୋଲିସ, ଫାୟାର ସର୍ଭିସ, ମ୍ୟୁନିସିପାଲଟି କର୍ମଚାରୀ ଟିକା ନେବେ । ତାପରେ ଅନ୍ୟମାନେ ଟିକା ପାଇବେ । ଜାନୁଆରୀ ୧୭ ତାରିଖରେ ଟିକାକରଣ ବନ୍ଦ ରହିବ । ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତେ ଟିକା ପାଇବେ ବୋଲି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ଟିକା ନେଇଥିବା ବ୍ୟକ୍ତି ୨୮ ଦିନ ପରେ ଦ୍ବିତୀୟ ଡୋଜ୍ ନେବେ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନେଇଥିବା ବେଳେ ଦ୍ଵିତୀୟରେ ହସ୍ପିଟାଲ ନିର୍ଦ୍ଦେଶକ ନେଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ବରରେ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଦିଆଯାଉଥିବା ବେଳେ ଅନ୍ୟ ସମସ୍ତ ୩୦ଟି ଜିଲ୍ଲାରେ ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କୋଭିସିଲ୍ଡ ଟିକା ଦିଆଯାଉଛି । ୧୮ ବର୍ଷରୁ କମ୍, ଗର୍ଭବତୀ ଓ ପ୍ରସୂତୀ କରୋନା ଟିକା ନେଇପାରିବେ ନାହିଁ । ଏଥିସହିତ କୋଭିଡ୍ ଆକ୍ରାନ୍ତ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଟିକା ଦିଆଯାଇ ପାରିବ ନାହିଁ ।

ରାଜଧାନୀ ଭୁବନେଶ୍ବରରେ ୬ଟି କେନ୍ଦ୍ରରେ ଦିଆଯାଉଛି ଟିକା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରେ ମୋଟ୍ ୨୬ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ପଞ୍ଜିକୃତ କରାଯାଇଛି । ସେଥିମଧ୍ୟରୁ ୯ ହଜାର ଲୋକଙ୍କୁ ଟିକାଦାନ କରାଯିବ । ପୁଣି ୨୮ ଦିନ ପରେ ସେମାନଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ। ଟିକାକରଣ ସଂପର୍କରେ ଫିଡବ୍ୟାକ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକାକରଣ ବାବଦରେ ସ୍ବାସ୍ଥ୍ୟକର୍ମୀଙ୍କୁ ପଚାରି ବୁଝିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.