କରୋନା ଟିକା ବିଗ୍ ବି’ଙ୍କୁ ମନେପକାଇଦେଲା ପଲ୍‌ସ ପୋଲିଓ କଥା, ଖୁବ୍ ଶୀଘ୍ର କୋଭିଡ୍ ମୁକ୍ତ ଭାରତ ଆଶା ରଖିଲେ ଅମିତାଭ

Published By : Prameya-News7 Bureau | January 18, 2021 IST

ମୁମ୍ବାଇ ୧୮।୧: ଭାରତରେ ୧୬ ଜାନୁଆରୀରେ ବିଶ୍ବର ସବୁଠାରୁ ବଡ ମହାମାରୀ କରୋନା ଭାଇରସର ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ, କୋଭିଡ୍-୧୯ରୁ ଦେଶମୁକ୍ତ ହେବ ତାଙ୍କର ସମ୍ପୂର୍ଣ୍ଣ ଆଶା ଓ ଭରଷା ଅଛି ବୋଲି ଅମିତାଭ କହିଛନ୍ତି । ସେ କହିଛନ୍ତି, ‘ଭାରତର ଲୋକ ପୋଲିଓ ପରି, ଦେଶରୁ କରୋନାକୁ ମଧ୍ୟ ଲୋପ କରିଦେବେ ।

ସେ ଆହୁରି ମଧ୍ୟ ଟ୍ବିଟରେ ଲେଖିଛନ୍ତି, ‘ଭାରତ ପୋଲିଓ ମୁକ୍ତ ହେବା ଗର୍ବର ବିଷୟ ଥିଲା । ଏହା ମଧ୍ୟ ଗର୍ବର ବିଷୟ ହେବ, ଯେବେ ଭାରତ କରୋନାରୁ ମୁକ୍ତ ହେବା ।’

ଭାରତରେ ପୋଲିଓ ମୁକ୍ତ ଅଭିଯାନ ପାଇଁ ଅମିତାଭ ବଚ୍ଚନ ହେଉଛନ୍ତି ୟୁନିସେଫର ଶୁଭେଛୁ ରାଷ୍ଟ୍ରଦୂତ । ସେ ୨୦୧୪ରେ ଭାରତ ପୋଲିଓ ମୁକ୍ତ ହେବା ପର୍ଯ୍ୟନ୍ତ ୟୁନିସେଫର ଦୂତ ରହିଥିଲେ । ଏହାଛଡା ବିଗ୍ ବି କରୋନା ବିରୋଧରେ ସତର୍କତା ମୂଳକ ପଦକ୍ଷେପ ପ୍ରତି କେନ୍ଦ୍ରୀୟ ସଚେତନତା ଅଭିଯାନର ଅଂଶ ରହିଥିଲେ । କରୋନା କାଳ ମଧ୍ୟରେ ସେ କଲରଟ୍ୟୁନ୍ ମାଧ୍ୟମରେ ଦେଶରେ ସୂଚନା ପ୍ରଚାରିତ କରୁଥିଲେ ।

ଅମିତାଭ ବଚ୍ଚନଙ୍କ ଏହି ଟ୍ବିଟକୁ ଲୋକମାନେ ବେଶ୍ ପସନ୍ଦ କରୁଛନ୍ତି । ବଲିଉଡର କେତେଜଣ ସେଲିବ୍ରିଟି ଟିକାକରଣ ପାଇଁ ରାଜି ହେଉନଥିବା ବେଳେ ଭ୍ୟାକସିନ ନେବା ଦ୍ବାରା ସାଇଡ୍ ଇଫେକ୍ଟ ହେଲେ ତାହା ପାଇଁ ଦାୟି କିଏ ହେବେ ବୋଲି ପ୍ରଶ୍ନ କରୁଛନ୍ତି । ଜୁଲାଇ ମାସରେ ଅମିତାଭ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । କେବଳ ସେ ଏକା ନୁହଁନ୍ତି ତାଙ୍କ ପୁଅ ଅଭିଷେକ ବଚ୍ଚନ, ବହୁ ଐଶ୍ଵର୍ଯ୍ୟା ରାୟ ଏବଂ ନାତୁଣୀ ଆରାଧ୍ୟା ବଚ୍ଚନ ମଧ୍ୟ କୋଭିଡ୍-୧୯ରେ ସଂକ୍ରମିତ ହୋଇଥିଲେ । ଫଳରେ ସେମାନଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତେ ସୁସ୍ଥ ହୋଇ ଏବଂ କରୋନାକୁ ପରାସ୍ତ କରି ଘରକୁ ଫେରିଥିଲେ ।

ସୌଭାଗ୍ୟର କଥା ଶନିବାର ଜାନୁଆରୀ ୧୬ରୁ କରୋନା ଭାଇରସ୍ ବିରୋଧରେ ଦୁନିଆର ସବୁଠାରୁ ବଡ ଟିକାକରଣ ଅଭିଯାନର ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ସାରା ଦେଶରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଲୋକମାନେ ସହଭାଗୀ ହେଉଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, କରୋନା ବିରୋଧରେ ଦେଶବ୍ୟାପି ଟିକାକରଣ ଅଭିଯାନ ଶନିବାର ଆରମ୍ଭ ହେବା ପରେ ଏପର୍ଯ୍ୟନ୍ତ ୨, ୨୪, ୩୦୧ ଲୋକ ଟିକା ନେଇ ସାରିଲେଣି । ଭାରତରେ ଟିକାକରଣ ପାଇଁ ସେରମ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ନିର୍ମିତ ‘କୋଭିସିଲ୍ଡ’ ଏବଂ ଭାରତ ବାୟୋଟେକ୍ ଦ୍ବାରା ବିକଶିତ ‘କୋଭାକ୍ସିନ୍’ ଟିକାର ବ୍ୟବହାର ପାଇଁ ଅନୁମତି ମିଳିଥିଲା । କିନ୍ତୁ ଭାରତ ବାୟୋଟେକର ଭ୍ୟାକସିନକୁ ନେଇ ବିବାଦ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.