ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ସରକାରୀ ହେଉ କି ଘରୋଇ ଲ୍ୟାବ୍, ମାଗଣାରେ ହେବ କରୋନା ଟେଷ୍ଟ
8/04/2020 at 7:37 PM

ନୂଆଦିଲ୍ଲୀ ୦୮।୦୪: ଦେଶରେ କରୋନା ଭାଇରସ୍ ମହାମାରୀ ମଧ୍ୟରେ ସୁପ୍ରିମକୋର୍ଟ ବୁଧବାର ବଡ ରାୟ ଦେଇଛନ୍ତି। କୋର୍ଟ ଆଦେଶ ଦେଇଛନ୍ତି ଯେ, ମାନ୍ୟତାପ୍ରାପ୍ତ ସରକାରୀ କିମ୍ବା ଘରୋଇ ଲ୍ୟାବରେ କରୋନା ଭାଇରସ୍ର ଯାଞ୍ଚ ମାଗଣାରେ ହେବ। ଏଥିପାଇଁ ଅଦାଲତ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ସେ ମାନ୍ୟତାପ୍ରାପ୍ତ ସମସ୍ତ ଲ୍ୟାବ୍କୁ ମାଗଣାରେ କରୋନା ଯାଞ୍ଚ କରାଇବାକୁ ନିର୍ଦ୍ଦେଶ ଦିଅନ୍ତୁ।
ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, କରୋନା ଭାଇରସ୍ର ପରୀକ୍ଷଣ କେବଳ ସେହି ଲ୍ୟାବରେ କରାଯାଉ ଯାହା NABL ଅର୍ଥାତ National Accreditation Board for Testing and Calibration Laboratories ରୁ ମାନ୍ୟତା ପ୍ରାପ୍ତ ଲ୍ୟାବ୍ ହୋଇଥିବ କିମ୍ବା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କିମ୍ବା ICMR(ଇଣ୍ଡିଆନ କାଉନସିଲ୍ ଅଫ ମେଡିକାଲ ରିସର୍ଚ୍ଚ)ରୁ ମଞ୍ଜୁରୀପ୍ରାପ୍ତ କୌଣସି ଏଜେନ୍ସି ହୋଇଥିବା ଉଚିତ୍।

ଓକିଲ ଶଶାଙ୍କ ଦେବ ସୁଧିଙ୍କ ଦ୍ଵାରା ଦାୟର ଯାଚିକାରେ ଘରୋଇ ସଂସ୍ଥା ଦ୍ଵାରା କରୋନା ପରୀକ୍ଷଣ ପାଇଁ ସର୍ବାଧିକ ୪୫୦୦ ଟଙ୍କା ସ୍ଥିର କରିବା ପାଇଁ ଆଇସିଏମଆରର ପରାମର୍ଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ଯାଚିକାରେ ଏହା ମଧ୍ୟ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା ଯେ, କରୋନା ପରୀକ୍ଷଣ ମାନ୍ୟତା ପ୍ରାପ୍ତ ଲ୍ୟାବ୍ ଦ୍ଵାରା ମାରଣାରେ କରାଯାଉ।
ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ଏବେ ଲୋକଙ୍କୁ କରୋନା ପରୀକ୍ଷା ପାଇଁ ଟଙ୍କା ଦେବାକୁ ପଡିବ ନାହିଁ। ଏ ପର୍ଯ୍ୟନ୍ତ ସରକାର ୪୫୦୦ ଟଙ୍କା ସ୍ଥିର କରି ରଖିଥିଲେ। ସୁପ୍ରିମକୋର୍ଟର ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏସ. ରବିନ୍ଦ୍ର ଭଟ୍ଟଙ୍କ ପୀଠ କହିଛନ୍ତି ଯେ, ଲୋକଙ୍କଠୁ ଏହି ପରୀକ୍ଷଣ ପାଇଁ ଟଙ୍କା ନିଆଯାଇ ପାରିବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ, ଘରୋଇ ଲ୍ୟାବ୍ ଦ୍ଵାରା କରାଯିବାକୁ ଥିବା ଟେଷ୍ଟ ସମ୍ବନ୍ଧିତ ଅର୍ଥ କେମିତି ଦିଆଯିବ ତା ଉପରେ ପରେ ବିଚାର କରାଯିବ।
ସର୍ବୋଚ୍ଚ ନ୍ୟାୟାଳୟ ନିଜ ପ୍ରସ୍ତାବରେ ପୂର୍ବରୁ କହିଥିଲେ ଯେ, ସରକାର ଏମିତି ବ୍ୟବସ୍ଥା କରନ୍ତୁ ଯେମିତି ଘରୋଇ ଲ୍ୟାବ୍ କରୋନା ଟେଷ୍ଟ ପାଇ ମନମୁଖୀ ଦର ଆଦାୟ ଯେମିତି ନକରିବେ ଏବଂ ସରକାର ଘରୋଇ ଲ୍ୟାବ୍ ଦ୍ଵାରା ନିଆଯାଇଥିବା ଟଙ୍କା ରୋଗୀଙ୍କୁ ଫେରାଯାଉ। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ପକ୍ଷରୁ ସଲିସିଟର ଜେନେରାଲ କହିଛନ୍ତି ଯେ, ଏହାକୁ ନେଇ ସେ ନିର୍ଦ୍ଦେଶ ନେଇକି ଆସିବେ। ସୁପ୍ରିମକୋର୍ଟ କହିଥିଲେ ଯେ ଏହି ମାମଲାରେ ଆଦେଶ ପାରିତ କରିବେ ମାତ୍ର ବିଳମ୍ବିତ ସନ୍ଧ୍ୟାରେ ସୁପ୍ରିମକୋର୍ଟ ସନ୍ଧ୍ୟାରେ ଆଦେଶ ପାରିତ କରି କରୋନା ଟେଷ୍ଟ ନିଃଶ୍ଳୁକ କରିବାକୁ ଆଦେଶ ଦେଇଛନ୍ତି।