ବୈଷୟିକ ତ୍ରୁଟି ଯୋଗୁଁ ରାଜ୍ୟରେ କମିଯାଉଛି କୋଭିଡ୍-୧୯ ପରୀକ୍ଷଣ

Published By : Prameya-News7 Bureau | June 05, 2020 IST

ଭୁବନେଶ୍ୱର ୫।୬: ଦେଶରେ ଦୈନିକ କୋଭିଡ୍-୧୯ ପରୀକ୍ଷଣ ଦ୍ରୁତ ବୃଦ୍ଧି ହେଉଥିବା ବେଳେ ଓଡିଶାରେ ତାର ବିପରୀତ ହେଉଛି । ଏବେ ଓଡିଶାରେ ପରୀକ୍ଷଣ ସଂଖ୍ୟା ହ୍ରାସ ହେଉଛି । ଗୁରୁବାର ଦିନ ରାଜ୍ୟରେ ୩୦୦୦ରୁ କମ୍ କୋଭିଡ୍ ପରୀକ୍ଷଣ ହୋଇ ଥିବା ଜଣାପଡିଛି । ମେ’ ୧୧ ପରଠାରୁ ଏହା ସର୍ବନିମ୍ନ ପରୀକ୍ଷଣ ବୋଲି ଜଣାପଡିଛି ।

ଏକ ଗଣମାଧ୍ୟମର ପ୍ରକାଶିତ ରିପୋର୍ଟ ଅନୁସାରେ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅଧିକାରୀମାନେ କହିଛନ୍ତି ଯେ, ଜୁନ୍ ୩ ରେ, ଲାବ୍ରୋଟୋରୀଗୁଡିକ ୨ ହଜାର ୯୩୩ଟି ନମୁନା ପରୀକ୍ଷା କରିଥିଲେ । ଯାହାକି ମେ’ ୨୦ ପରଠାରୁ ସର୍ବନିମ୍ନ ଅଟେ । ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସରେ ପରୀକ୍ଷଣ କ୍ଷମତା ଦିନକୁ ୧୫,୦୦୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କହିଥିଲେ ବିଭାଗ ୫ ହଜାର ୬୧୨ରୁ ଅଧିକ ନମୁନା ପରୀକ୍ଷା କରିବାକୁ ସକ୍ଷମ ହୋଇନାହିଁ । ମେ’ ୧୯ରେ ଏହା ସର୍ବାଧିକ ପରୀକ୍ଷଣ । ମେ’ ୨୨ ପରଠାରୁ ଦୁଇଥର ବ୍ୟତୀତ ପରୀକ୍ଷଣ ସଂଖ୍ୟା ହ୍ରାସ ହୋଇଛି ।

ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର କହିଛନ୍ତି ଯେ, ଅପ୍ରେଲରୁ ଭୁବନେଶ୍ୱର ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି)ରେ ସ୍ଥାପିତ COBAS 6800 ମେସିନ୍‌ରେ ଚତୁର୍ଥ ଥର ତ୍ରୁଟି ଦେଖା ଦେଇଥିବାରୁ ପରୀକ୍ଷଣ ସଂଖ୍ୟା ହ୍ରାସ ହେଉଛି । କେବଳ COBAS 6800 ମେସିନ୍ ଦିନକୁ ପ୍ରାୟ ୧୦୦୦ ନମୁନା ପରୀକ୍ଷା କରିଥାଏ । ଏଠାରେ ବୈଦ୍ୟୁତିକ ସର୍ଟ ସର୍କିଟ୍ ହେତୁ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସରେ ମଧ୍ୟ ପରୀକ୍ଷା ବନ୍ଦ ହୋଇଯାଇଛି । ଏଠାରେ ମେସିନ ଗୁଡିକ ମରାମତି ଅପେକ୍ଷାରେ ରହିଛି । ଆମେ ଏବେ KIIT ଟେକ୍ନୋଲୋଜି ବିଜନେସ୍ ଇନକ୍ୟୁବେଟରରେ ନମୁନା ପରୀକ୍ଷା କରିବାକୁ ଚେଷ୍ଟା କରୁଛୁ ବୋଲି ପ୍ରଦୀପ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ ୪୮ ଘଣ୍ଟା ମଧ୍ୟରେ ସଂଗ୍ରହ ହୋଇଥିବା ସମସ୍ତ ନମୁନା ପରୀକ୍ଷା କରିବା ସରକାରଙ୍କ ଲକ୍ଷ୍ୟ ରହିଛି ।

ଆଇସିଏମଆର ଓଡିଶାର ୧୯ଟି ଲାବୋରେଟୋରୀକୁ କୋଭିଡ୍-୧୯ ନମୁନା ପରୀକ୍ଷା କରିବାକୁ ଅନୁମତି ଦେଇଥିଲା । ଏପର୍ଯ୍ୟନ୍ତ ୧୬ଟି ଲ୍ୟାବ୍‌ରେ ପରୀକ୍ଷା ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧ଲକ୍ଷ ୬୫ହଜାର ୮୨୪ ନମୁନା ପରୀକ୍ଷଣ କରାଯାଇଛି ।

ବିଶିଷ୍ଟ ଏପିଡେମୋଲୋଜିଷ୍ଟ ଜୟପ୍ରକାଶ ମୁଲିଲ କହିଛନ୍ତି ଯେ, ଓଡିଶା ସମେତ ସମସ୍ତ ରାଜ୍ୟ ଏହି ରୋଗର ବିସ୍ତାରର ପରିମାଣ ଜାଣିବା ପାଇଁ ଅଧିକରୁ ଅଧିକ ପରୀକ୍ଷା କରିବା ଉଚିତ୍ । ଯେତେ ଅଧିକ ନମୁନା ପରୀକ୍ଷା କରାଯିବ, ସେତେ ଅଧିକ ସକରାତ୍ମକ ମାମଲା ପାଇପାରିବେ । କିନ୍ତୁ ବିସ୍ତାରର ପରିମାଣ ଜାଣିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମୁଲିଲ କହିଛନ୍ତି ।

ତେବେ ପ୍ରଦୀପ ମହାପାତ୍ର କହିଛନ୍ତି ଯେ, ଆଇସିଏମଆର ଗାଇଡଲାଇନ ଅନୁଯାୟୀ ଓଡିଶା ପରୀକ୍ଷା କରୁଛି। ଆମେ ପ୍ରାୟତ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିବା ଲୋକଙ୍କୁ ପରୀକ୍ଷା କରୁଛୁ ଯେଉଁମାନଙ୍କଠାରେ କୋଭିଡ୍-୧୯ ଲକ୍ଷଣ ଦେଖାଯାଉଛି ଏବଂ ଇନ୍‌ଫ୍ଲୁଏଞ୍ଜା ଭଳି ରୋଗର ଲକ୍ଷଣ ଦେଖାଯାଉଛି ସେମାନଙ୍କ ସମେତ ଆମେ କୋଭିଡ -୧୯ ଡାକ୍ତରଖାନା, କଣ୍ଟେନମେଣ୍ଟ ଜୋନ୍ ଏବଂ କ୍ବାରେଣ୍ଟାଇନ୍ ସେଣ୍ଟରରେ ଜଡିତ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କୁ ମଧ୍ୟ ପରୀକ୍ଷା କରୁଛୁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.