ନୂଆ ଅଧ୍ୟୟନ: ପବନରେ ବି ବ୍ୟାପୁଛି କରୋନା, ପର୍ଯ୍ୟାପ୍ତ ନୁହେଁ ସୋସିଆଲ ଡିଷ୍ଟାନସ୍
13/06/2020 at 4:50 PM

ନୂଆଦିଲ୍ଲୀ ୧୩।୬: ସାରା ବିଶ୍ୱକୁ ବ୍ୟାପିଯାଇଥିବା କରୋନା ଭାଇରସ୍କୁ ନେଇ ନିତି ନୂଆ ନୂଆ ଗବେଷଣା ହେଉଛି। ଏହିପରି ଏକ ନୂଆ ଅଧ୍ୟାୟନରୁ ପବନରେ କରୋନା ଭାଇରସ୍ର ସଂକ୍ରମଣ ସବୁଠୁ ଅଧିକ ଘାତକ ବୋଲି ଜଣାପଡିଛି। ଭୂତାଣୁ ସଂକ୍ରମଣର ୩ଟି କେନ୍ଦ୍ରକୁ ନେଇ କରାଯାଇଥିବା ଏହି ଗବେଷଣାରେ ନୋବେଲ ସମ୍ବର୍ଦ୍ଧିତ ବୈଜ୍ଞାନିକ ମାରିୟୋ ଜେ ମୋଲିନା ମଧ୍ୟ ସାମିଲ ଥିଲେ। ବୈଜ୍ଞାନିକ ମାନେ ଭୂତାଣୁର ଉତ୍ପତିସ୍ଥଳ ଚୀନର ଉହାନ, ଆମେରିକାର ନ୍ୟୁୟର୍କ ଓ ଇଟାଲୀରେ ସଂକ୍ରମଣର ଗହନ ଗବେଷଣା କରିଛନ୍ତି। ଏଥିରେ ସଂକ୍ରମଣର ପ୍ରବୃତ୍ତି ଓ ନିୟନ୍ତ୍ରଣ ଲାଗି ପଦକ୍ଷେପକୁ ଆକଳନ କରି କୋଭିଡ-୧୯ ବ୍ୟାପିବାର ମାର୍ଗ ଆକଳନ କରାଯାଇଛି।

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଏପର୍ଯ୍ୟନ୍ତ କେବଳ ସମ୍ପର୍କରେ ଆସିବା ଯୋଗୁ ହେଉଥିବା ସଂକ୍ରମଣ ରୋକିବା ଲାଗି ଜୋରଦେଇ ଆସୁଥିବା ବେଳେ ବୈଜ୍ଞାନିକମାନେ ପ୍ରଥମ ଥର ଏହା ପବନରେ ବ୍ୟାପୁଥିବାର ସୂଚନା ଦେଇଛନ୍ତି। ବୈଜ୍ଞାନିକମାନେ ପବନରେ ବ୍ୟାପୁଥିବା ଭୂତାଣୁ ଶାରୀରିକ ସମ୍ପର୍କରୁ ହେଉଥିବା ସଂକ୍ରମଣ ଠାରୁ ମଧ୍ୟ ଅଧିକ ବିପଦଜନକ , ସଂକ୍ରାମକ ଓ ବ୍ୟାପିବାର ମାଧ୍ୟମ ବୋଲି କହିଥିବା ବେଳେ ଏଥିପ୍ରତି ଡବ୍ଲୁଏଚଓ ଧ୍ୟାନ ଦେଇ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି।

ଏରୋସୋଲରେ ବ୍ୟାପୁଥିବା ଭୂତାଣୁ ନିଶ୍ୱାସ ନେବା ବେଳେ ଲୋକଙ୍କ ଶରୀରକୁ ପ୍ରବେଶ କରିବା ସହ ସଂକ୍ରମଣ ବୃଦ୍ଧି କରୁଥିବା ବୈଜ୍ଞାନିକ କହିଛନ୍ତି। ଏଣୁ କେବଳ ସୋସିଆଲ ଡିଷ୍ଟାନସିଂ ଦ୍ୱାରା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପର୍ଯ୍ୟାପ୍ତ ନୁହେଁ ବୈଜ୍ଞାନିକମାନେ କହିବା ଏବେ ନୂଆ ସମସ୍ୟା ସୃଷ୍ଟି କରିଛି। ବୈଜ୍ଞାନିକଙ୍କ ଗବେଷଣା ରିପୋର୍ଟ ପିଏନଏଏସ୍ ମ୍ୟାଗଜିନରେ ପ୍ରକାଶିତ ହୋଇଛି।

ଏଣୁ ସଂକ୍ରମଣ ଆରମ୍ଭ ଦିନରୁ ଏହା ବାୟୁରେ ବ୍ୟାପୁଥିବାର ଆକଳନ କରାଯିବାରେ ବିଳମ୍ବ ହିଁ ଭୂତାଣୁକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇ ଦେଇଥିବା ବୈଜ୍ଞାନିକମାନେ କହିଛନ୍ତି। ଏଣୁ ସାର୍ବଜନିକ ସ୍ଥଳରେ ମାସ୍କ ଲଗାଇ ଲୋକେ ଭୂତାଣୁ ସଂକ୍ରମଣରୁ କିଛି ମାତ୍ରାରେ ବର୍ତ୍ତି ପାରନ୍ତି ବୋଲି ନୂଆ ଅନୁଧ୍ୟାନ ପରେ ଜଣାପଡିଛି।