ଜଙ୍ଗଲକୁ ବ୍ୟାପିଲା କରୋନା, ଜୀବନ ବଞ୍ଚାଇବାକୁ ପୋଲିସରେ ଆତ୍ମସମର୍ପଣ କରୁଛନ୍ତି ନକ୍ସଲ

Published By : Prameya-News7 Bureau | May 21, 2021 IST

ଦାନ୍ତେୱାଡା ୨୧।୫: କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ସାରା ଦେଶକୁ ଅସ୍ତବ୍ୟସ୍ତ କରିପକାଇଛି। ସଂକ୍ରମଣ ଏବେ ଗ୍ରାମକୁ ବ୍ୟାପିଯାଇଥିବା ବେଳେ ବନାଞ୍ଚଳକୁ ମଧ୍ୟ ପହଞ୍ଚିଛି। ଫଳରେ ଘଞ୍ଚ ଜଙ୍ଗଲରେ ଚାଲିଥିବା  ନକ୍ସ କ୍ୟାମ୍ପ କରୋନାରେ ଗୁରୁତର ପ୍ରଭାବିତ ହୋଇଛି।  ପ୍ରାଣ ବଞ୍ଚାଇବାକୁ ସେମାନେ ପୋଲିସରେ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି। ଏଥିରୁ ଦେଶରେ ଦୀର୍ଘ ବର୍ଷରୁ ନକ୍ସଲ ଆନ୍ଦୋଳନ ନାମରେ ଜାରି ଆଭ୍ୟନ୍ତରିଣ ଆତଙ୍କବାଦର ଏବେ ମୂଳୋତ୍ପାଟନ ହେବ ବୋଲି ଆଶା କରାଯାଉଛି।

ନକ୍ସଲ ମୁକାବିଲା ଲାଗି ବିଭିନ୍ନ ଅଞ୍ଚଳରେ ମୂତୟନ ସୁରକ୍ଷା ବଳଙ୍କ ସୂତ୍ରରୁ ମିଳୁଥିବା ସୂଚନାରେ ଶହଶହ କ୍ୟାଡର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କ ଲକ୍ଷଣ କରୋନା ସହ ମେଳ ଖାଉଥିବା ଜଣାପଡିଛି। ଏଥିରେ ଯେଉଁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ସେମାନ ଆଖାପଖରେ ଥିବା ସୁରକ୍ଷାବଳଙ୍କ କ୍ୟାମ୍ପକୁ ଯାଇ ଆତ୍ମସମର୍ପଣ କରୁଛନ୍ତି। ସୁରକ୍ଷା ବଳ ମଧ୍ୟ ପ୍ରତିଶ୍ରୁତି ମୁତାବକ ସେମାନଙ୍କ କୋଭିଡ-୧୯ ଯାଞ୍ଚ କରାଇ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରୁଛନ୍ତି।

ଗତ ୩ ଚାରିଦିନରେ ଛତିଶଗଡର ନକ୍ସଲ ପ୍ରଭାବିତ ଜିଲ୍ଲାମାନଙ୍କରୁ ଅଧାଡଜନରୁ ଅଧିକ କ୍ୟାଡର ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ସେମାନଙ୍କୁ ଅକ୍ସିଜେନ ଦେଇ ହସ୍ପିଟାଲ ପଠାଇଛି। ଯାଞ୍ଚ ବେଳେ ସମସ୍ତେ କରୋନା ଆକ୍ରାନ୍ତ ଥିବା ଜଣାପଡିଛି। ମିଳୁଥିବା ସୂଚନା ଅନୁସାରେ ଏବେ ଛତିଶଗଡ ସମେତ ଝାରଖଣ୍ଡ, ବିହାର, ମହାରାଷ୍ଟ୍ର ଏବଂ ଓଡିଶାରେ ବହୁ ସଂଖ୍ୟାରେ ନକ୍ସଲ ଏବେ ଆତ୍ମସମର୍ପଣ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।

{"id":455368,"sizeSlug":"large","linkDestination":"none"}

ନକ୍ସଲ କରୋନା ଆକ୍ରାନ୍ତ ହେଲେ କଣ କରିବେ ତାର ବ୍ୟବସ୍ଥା ପୂର୍ବରୁ କରିନେଇଛନ୍ତି। ସେମାନଙ୍କ ପାଖରେ ଔଷଧ ମଧ୍ୟ ମହଜୁଦ ଅଛି। ହେଲେ ଅକ୍ସିଜେନ ସଂକଟ ସେମାନଙ୍କ ଲାଗି ଘାତକ ପାଲଟିଛି। ଏଣୁ ନକ୍ସଲଙ୍କ ଆଗରେ ଆତ୍ମସମର୍ପଣ ବ୍ୟତୀତ ଅନ୍ୟ କୌଣସି ପନ୍ଥା ନଥିବା ବେଳେ ଏଥିଲାଗି ସୁରକ୍ଷାବଳଙ୍କୁ ସତର୍କ କରାଯାଇଛି। ସେମାନେ ଆତ୍ମସମର୍ପଣ ଲାଗି ସୁରକ୍ଷା ବଳଙ୍କ କ୍ୟାମ୍ପକୁ ଆସୁଥିବାରୁ ଅତ୍ୟାଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

ତେବେ ଉପୁଜିଥିବା ପରିସ୍ଥିତିରେ ନକ୍ସଲଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖା ଦେଇଛି। ପ୍ରଥମେ କିଏ ଆତ୍ମସମର୍ପଣ କରିବେ ସେ ନେଇ ସେମାନେ ନିଜେ ସ୍ପଷ୍ଟ ନାହାନ୍ତି। ଗୁରୁତର ଓ ଯେଉଁମାନଙ୍କ ମୁଣ୍ଡରେ ପୋଲିସର ପୁରସ୍କାର ରହିଛି ପ୍ରଥମେ ସେମାନଙ୍କୁ ଆତ୍ମସମର୍ପଣ ଲାଗି ପଠାଯାଉଛି।  ଛତିଶଗଡ ଦାନ୍ତେୱାଡାରେ ୨ ଦିନ ପୂର୍ବେ ୪ ଜଣ ନକ୍ସଲ ଗ୍ରାମବାସୀଙ୍କ ସହ ଆସି ପୋଲିସରେ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିଲେ। ସେମାନଙ୍କୁ କୋଭିଡ କେୟାର ସେଣ୍ଟର ପଠାଇ ଦିଆଯାଇଥିବା ବେଳେ ୩ ଜଣ ସଂକ୍ରମିତ ମିଳିଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଟପ ନକ୍ସଲ ଲିଡର ଥିବା ଦାନ୍ତେୱାଡା ଏସପି କହିଛନ୍ତି। ସେହିପରି କାଙ୍କେର ଜିଲ୍ଲାରେ ମଧ୍ୟ ୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।

ତେବେ ଉଭୟକ୍ଷେତ୍ରରେ ସ୍ଥାନୀୟ ଗ୍ରାମୀଣ ସେମାନଙ୍କୁ ଆଣି ପୋଲିସରେ ଦେଇଛନ୍ତି। ପୂର୍ବରୁ ଗ୍ରାମବାସୀ ସୁରକ୍ଷା ବଳଙ୍କୁ ଗାଁରେ ବିରୋଧ କରୁଥିଲେ।  କରୋନା ସମ୍ପର୍କରେ ସେମାନଙ୍କୁ ସଚେତନ କରାଯିବା ପରେ ଅସୁସ୍ଥ ନକ୍ସଲଙ୍କ ଠାରୁ ସେମାନେ ଏବେ ଦୂରତା ରକ୍ଷା କରୁଥିବା ବେଳେ ଜୀବନ ବଞ୍ଚାଇବା ଲାଗି ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.