ଦେଶରେ କରୋନା ସ୍ଥିତି ଅଣାୟତ୍ତ: ୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଏହି ସବୁ ଅଞ୍ଚଳରେ ପୁଣି ଥରେ ଲକ୍ଡାଉନ୍
10/07/2020 at 8:59 PM

ନୂଆଦିଲ୍ଲୀ ୧୦।୦୭: ସମଗ୍ର ଦୁନିଆରେ ମହାମାରୀ କରୋନାର ପ୍ରାଦୁର୍ଭାବ ଥମିବାର ନାଁ ନେଉନାହିଁ। ଭାରତରେ ମଧ୍ୟ କରୋନା ସଂକ୍ରମିତ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏବେ ଦିନକୁ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ଫଳସ୍ଵରୂପ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୮ ଲକ୍ଷ ଟପିଛି। ଏହା ବ୍ୟତୀତ ଦେଶର ଅନେକ ଭାଗରେ ଲକ୍ଡାଉନ୍ ପୁଣି ଥରେ ଆରମ୍ଭ ହୋଇ ଯାଇଛି।
ଦେଶରେ କରୋନା ସଂକ୍ରମଣର ପ୍ରକୋପ ଥମିବାର ନାଁ ନେଉ ନାହିଁ। ପ୍ରତି ଦିନ ହଜାର ସଂଖ୍ୟକ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। covid19india.org ଅନୁଯାୟୀ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୮ ଲକ୍ଷ ଟପିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଜୁଲାଇ ୧୦ ସକାଳ ସୁଦ୍ଧା ୭,୯୩,୮୦୨ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ସହିତ ୪,୯୫,୫୧୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏହା ବ୍ୟତୀତ କରୋନା ମହାମାରୀରେ ଅଦ୍ୟାବଧି ୨୧,୬୦୪ ଜଣ ପ୍ରାଣ ହରାଇ ସାରିଛନ୍ତି। ଏବେ ଦେଶର ସଂକ୍ରମିତ ସଂଖ୍ୟା ୮ ଲକ୍ଷ ଅତିକ୍ରମ କରିଛି। କରୋନା ସଂପର୍କିତ ସଦ୍ୟତମ ସୂଚନା ଆସନ୍ତାକାଲି ସକାଳେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯିବ।
ଅନେକ ଜାଗାରେ ଲକ୍ଡାଉନ୍
ଦେଶରେ ବ୍ୟାପୁଥିବା କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଜାଗାରେ ପୁଣି ଥରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଉତ୍ତର ପ୍ରଦେଶରେ ପୁଣି ଥରେ ଲକ୍ଡାଉନ୍ ଲାଗୁ ହୋଇଛି। ଉତ୍ତର ପ୍ରଦେସରେ ଜୁଲାଇ ୧୩ ସକାଳ ୫ଟା ପର୍ଯ୍ୟନ୍ତ ଲକ୍ଡାଉନ୍ର ଆଦେଶ ଜାରି କରାଯାଇଛି। ଏହା ସହିତ ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ୧୦ ଦିନର ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ଲକ୍ଡାଉନ୍ ଜୁଲାଇ ୧୩ ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ଲାଗୁ ହେବ।