ଆଇଏମ୍‌ଏସ୍‌ ଆଣ୍ଡ୍ ସମ୍ ହସ୍ପିଟାଲରେ ହେବ କୋଭିଡ୍-୧୯ ଭାଇରସର ଜେନୋମିକ୍ ଗବେଷଣା

Published By : Prameya-News7 Bureau | July 08, 2020 IST

ଭୁବନେଶ୍ୱର, ୮/୭ : ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲରେ କୋଭିଡ-୧୯ ମହାମାରୀର ସଂକ୍ରମଣର ଢ଼ାଂଚାକୁ ଅଧିକ ଗଭୀର ଭାବେ ବୁଝିବା ନିମନ୍ତେ ଗବେଷଣା ଆରମ୍ଭ ହୋଇଛି । କାଉନସିଲ ଅଫ ସାଇନ୍‌ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସଆଇଆର) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଂଟିଗ୍ରେଟିଭ ବାୟୋଲଜି (ଆଇଜିଆଇବି) ସହିତ ମିଳିତ ଭାବେ ଗବେଷଣା କରିବା ନିମନ୍ତେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ହାତ ମିଳାଇଛି ।

କରୋନା ମହାମାରୀର ପ୍ରଭାବ ଓଡ଼ିଶାରେ ବ୍ୟାପି ଚାଲିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କୋଭିଡ-୧୯ର ମୋଲିକ୍ୟୁଲାର ଓ ଟ୍ରାନସମିସନ ପ୍ୟାଟର୍ଣ୍ଣ ଜାଣିବା ଏହି ଗବେଷଣାର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ନିର୍ଦ୍ଦେଶକ (ଗବେଷଣା) ଡ. ଜୟ ଶଂକର ଦାସ । ଏହି ଜେନମ ସିକ୍ୟୁଏନସିଂ ଏକ ଅତ୍ୟାଧୁନିକ ପ୍ରକ୍ରିୟା ଏବଂ ଅଧିକ ଅନୁସନ୍ଧାନ ପାଇଁ ଉଚ୍ଚ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କର ଆବଶ୍ୟକତା ରହିଥିବା ସେ କହିଛନ୍ତି । ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲକୁ ନିକଟରେ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା କୋଭିଡ-୧୯ ଭ୍ୟାକସିନର ପରୀକ୍ଷଣ କେନ୍ଦ୍ର ଭାବେ ମନୋନୀତ କରାଯାଇଛି । ଓଡ଼ିଶାରେ ଏହି ପରୀକ୍ଷଣ ନିମନ୍ତେ ଏହା ଏକମାତ୍ର କେନ୍ଦ୍ର ।

ଏହି ପ୍ରୋଜେକ୍ଟର ଅଗ୍ରଣୀ ପରୀକ୍ଷକ ଥିବା ଡ. ଦାସ କହିଛନ୍ତି ଯେ କୋଭିଡ-୧୯ ଜେନମ୍ ଗବେଷଣା ଦ୍ୱାରା ଏହି ଭାଇରସର ସଂକ୍ରମଣର କ୍ଷମତା, ପରିବର୍ତନ ଏବଂ ବିବର୍ତନ ସମ୍ପର୍କରେ ଜାଣିହେବ । ଏଥିସହିତ କେଉଁ ପ୍ରକ୍ରିୟାରେ ଅଧିକ ମାତ୍ରାରେ ସଂକ୍ରମଣର ପରୀକ୍ଷଣ ଏବଂ ଚିହ୍ନଟ କରିହେବ ତାହା ମଧ୍ୟ ଜଣାପଡ଼ିବ । ଭାରତରେ ୬ ପ୍ରକାରର କରୋନା ଭାଇରସ ମଣିଷ ଶରୀରରେ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ୪ଟି ପ୍ରକାରର ଚିହ୍ନଟ ହୋଇସାରିଛି । ସାମାନ୍ୟ, ମଧ୍ୟମ ଏବଂ ଗମ୍ଭୀର ମାତ୍ରାର କରୋନା ଭାଇରସ ସଂକ୍ରମଣ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ୫୦୦ ଭାଇରାଲ ଜେନମର ପରୀକ୍ଷଣ କରିବାକୁ ହସ୍ପିଟାଲ ପ୍ରସ୍ତାବ ଦେଇଥିବା ସେ କହିଛନ୍ତି ।

ଏହି ଗବେଷଣା ନିମନ୍ତେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ଇନଷ୍ଟିଚ୍ୟୁସନାଲ ଏଥିକ୍ସ କମିଟି ଅନୁମୋଦନ ଦେଇସାରିଛି । କୋଭିଡ-୧୯ ସଂକ୍ରମଣ ଦୃତ ଗତିରେ ବଢ଼ି ଚାଲିଥିବାରୁ ଏଥିପାଇଁ ଦାୟୀ ଥିବା ଜିନ୍ ଗୁଡିକୁ କିପରି ଅଲଗା କରାଯାଇପାରିବ ସେ ଦିଗରେ ଆମେ ଚେଷ୍ଟା କରିବୁ । ଏଥି ନିମନ୍ତେ ବହୁଳ ମାତ୍ରାରେ ଜେନମ ଗବେଷଣାର ଆବଶ୍ୟକତା ଅଛି । ବୋଲି ଡ. ଦାସ. କହିଛନ୍ତି । ଜେନୋମିକ ପ୍ରବର୍ତନ, ସଂକ୍ରମଣର ଢ଼ାଂଚା ଓ କ୍ଷମତା ଜାଣିବା ସହିତ କିଭଳି ବହୁଳ ମାତ୍ରାରେ କରୋନା ଜନିତ ମୃତ୍ୟୁକୁ ରୋକାଯାଇପାରିବ ସେ ଦିଗରେ ଆମ ଗବେଷଣା ଜାରି ରହିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.