କରୋନା ମୁକାବିଲାରେ ସବୁଠୁ ବଡ ରେକର୍ଡ: ସାରା ଦେଶରେ ଗୋଟିଏ ଦିନରେ ସୁସ୍ଥ ହେଲେ ୫୬୩୮୩, ସଂକ୍ରମିତ ଚିହ୍ନଟରେ ବି ଦିନିକିଆ ରେକର୍ଡ ୬୬,୯୯୯

Published By : Prameya-News7 Bureau | August 13, 2020 IST

ନୂଆଦିଲ୍ଲୀ ୧୩।୦୮: ଦେଶରେ ବଢୁଥିବା କରୋନାର ପ୍ରାଦୁର୍ଭାବ ମଧ୍ୟରେ ଆଜି ଆସିଛି ବଡ ଆଶ୍ଵସ୍ତିକର ଖବର। ଆଜି ଗୋଟିଏ ଦିନରେ ଭାରତରେ ରେକର୍ଡ ସଂଖ୍ୟାରେ ୫୬,୩୮୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୧୭ ଲକ୍ଷ ପାଖାପାଖି ପହଞ୍ଚିଛି। ଅଦ୍ୟାବଧି ୧୬,୯୫,୯୮୨ କୋଭିଡ୍-୧୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରଣାଳୟ କହିଛି, କେନ୍ଦ୍ର ସରକାର, ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରୟାସ ଏବଂ ଉତ୍ତମ ସମନ୍ଵୟ ଓ କାର୍ଯ୍ୟଦକ୍ଷତା ବଳରେ ଏହି ସଫଳତା ମିଳି ପାରିଛି। ଦେଶରେ ଟେଷ୍ଟିଂ କ୍ଷମତା ଦିନକୁ ଦିନ ବଢିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଆବଶ୍ୟକ ସ୍ଵାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉଛି।

{"id":314154,"sizeSlug":"large"}

ସୁସ୍ଥଙ୍କ ସଂଖ୍ୟା ବଢିବା ସହିତ ଦେଶରେ ଆରୋଗ୍ୟହାର ୭୦ ପ୍ରତିଶତ ଟପି ୭୦.୭୭ ପ୍ରତିଶତରେ ପହଞ୍ଚିଛି। ଅନ୍ୟପଟେ କରୋନାଜନିତ ମୃତ୍ୟୁହାର ୧.୯୬ ପ୍ରତିଶତ ରହିଛି। ଦିନକୁ ଦିନ ଆରୋଗ୍ୟ ସଂଖ୍ୟା ସଂକ୍ରମିତ ସଂଖ୍ୟାକୁ ଅତିକ୍ରମ କରି ଚାଲିଛି। ବଢୁଥିବା ଆରୋଗ୍ୟସଂଖ୍ୟା ସହ ଆକ୍ଟିଭ କେସ ସଂଖ୍ୟା ହ୍ରାସ ପାଇ ଚାଲିଛି। ବର୍ତ୍ତମାନ ଦେଶରେ ଆକ୍ଟିଭ କେସ ସଂଖ୍ୟା ୬,୫୩,୬୨୨ ରହିଛି।

ସୂଚନାଯୋଗ୍ୟ ଗୁରୁବାର ଦେଶରେ ଗୋଟିଏ ଦିନରେ ସର୍ବକାଳୀନ ୬୬,୯୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୯୪୨ ଜଣ  କରୋନାରେ ପ୍ରାଣ ହରାଇଥିବା ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୭,୦୩୩ ରହିଛି। ଏ ପର୍ଯ୍ୟନ୍ତ ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩,୯୬,୬୩୮ ରହିଛି। ଏଥିରୁ ଆକ୍ଟିଭ୍ କେସ୍ ସଂଖ୍ୟା ୬,୫୩,୬୨୨ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୧୬,୯୫,୯୮୨ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.