Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଲିଠୁ ଦେଶରେ ବିମାନ ସେବା ଆରମ୍ଭ, ବିମାନ ଯାତ୍ରା କରୁଥିବା ଯାତ୍ରୀ ଥରୁଟିଏ ଜାଣି ନିଅନ୍ତୁ ଏହି ସବୁ ନିୟମ

24/05/2020 at 5:35 PM

ନୂଆଦିଲ୍ଲୀ ୨୪।୦୫: ଦେଶ ଭିତରେ ଆସନ୍ତାକାଲି ଅର୍ଥାତ ସୋମବାରଠୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ଏହାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଯାତ୍ରୀଙ୍କ ନିମନ୍ତେ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି। ଯାତ୍ରୀଙ୍କୁ ଯାତ୍ରା ସମୟରେ ଏହି ସବୁ କଥାକୁ ପାଳନ କରିବାକୁ ପଡିବ। ଏହି ଗାଇଡ୍‌ଲାଇନ୍‌ ପାଳନ ବିନା କୌଣସି ଯାତ୍ରୀ ଯାତ୍ରା କରି ପାରିବେ ନାହିଁ। ଯାତ୍ରୀଙ୍କୁ ମୁହଁରେ ମାସ୍କ ଲଗାଇବା ଜରୁରୀ ଏବଂ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ମାର୍ଗରେ ଥର୍ମାଲ ସ୍କ୍ରିନିଂ କରାଯିବ। ଏହା ପରେ ହିଁ ଯାତ୍ରୀଙ୍କୁ ଷ୍ଟେସନ୍ ଭିତରେ ପ୍ରବେଶ କରିବାକୁ ଅନୁମତି ମିଳିବ।

ମନ୍ତ୍ରଣାଳୟ ଯାତ୍ରୀଙ୍କୁ ମୋବାଇଲ ଫୋନ୍‌ରେ ଆରୋଗ୍ୟ ସେତୁ ଆପ୍ ଡାଉନ୍‌ଲୋଡ୍ କରିବାକୁ ପରାମର୍ଶ ଦେଇଛି। ଗାଇଡ୍‌ଲାଇନ୍‌ରେ କୁହାଯାଇଛି, ବିମାନ/ଟ୍ରେନ୍/ ବସ୍‌ରେ କେବଳ ସେହି ଯାତ୍ରୀଙ୍କୁ ଚଢିବାକୁ ଅନୁମତି ମିଳିବ ଯାହାଙ୍କ କରୋନା ଲକ୍ଷଣ ନଥିବ। ସମସ୍ତ ସମ୍ବନ୍ଧିତ ଏଜେନ୍ସି ଯାତ୍ରୀଙ୍କୁ ଟିକେଟ୍‌ ସହିତ କଣ କରିବା ଉଚିତ୍ ଏବଂ ନଉଚିତ୍‌ ସେ ନେଇ ଏକ ସୂଚୀ ଜାରି କରିବେ।

ଯେଉଁ ଯାତ୍ରୀଙ୍କଠାରେ କୋଭିଡ୍-୧୯ର ହାଲୁକା ଲକ୍ଷଣ ଦେଖିବାକୁ ମିଳେ ତେବେ ତାଙ୍କୁ କୋଭିଡ୍ କେୟାର ସେଣ୍ଟର କିମ୍ବା ଗୋଟିଏ ଜାଗାରେ ଆଇସୋଲେଟେଡ୍ କରିବାର ବିକଳ୍ପ ଦିଆଯିବ। ଏହା ସହିତ ଆଇସିଏମଆର ପ୍ରୋଟୋକଲ୍ ଅନୁସାରେ ଯାଞ୍ଚ କରାଯିବ। ଯଦି ରିପୋର୍ଟ ପଜିଟିଭ୍ ଆସେ ତେବେ ସେ କ୍ଲିନିକଲ ପ୍ରୋଟୋକଲ୍‌ ଅନୁଯାୟୀ କୋଭିଡ୍ କେୟାର ସେଣ୍ଟରରେ ରହିବାକୁ ପଡିବ। ଯଦି ଯାତ୍ରୀଙ୍କ ନମୂନା ନେଗେଟିଭ୍ ଆସେ ତେବେ ତାଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯିବ। କିନ୍ତୁ ସେ ନିଜକୁ ସାତ ଦିନ ଲାଗି କ୍ଵାରେଣ୍ଟାଇନ୍‌ରେ ରଖିବେ। ଯଦି କୌଣସି ଲକ୍ଷଣ ଦେଖିବାକୁ ମିଳେ ତେବେ ଜିଲ୍ଲା ଅଧିକାରୀ କିମ୍ବା ରାଜ୍ୟ/ ରାଷ୍ଟ୍ରୀୟ କଲ୍‌ ସେଣ୍ଟର(୧୦୭୫)ରେ ସୂଚିତ କରି ପାରିବେ।

ବିମାନ ଯାତ୍ରୀଙ୍କ  ଲାଗି ଗାଇଡ୍‌ଲାଇନ୍‌

୧- ସମସ୍ତ ଯାତ୍ରୀ ନିଶ୍ଚିତ ଭାବରେ ମୁହଁରେ ମାସ୍କ ଲଗାଇବେ।

୨ – କୌଣସି ବି ଗାଡିରେ ଆପଣ ବିମାନ ବନ୍ଦର ପର୍ଯ୍ୟନ୍ତ ଆସିଛନ୍ତି ତେବେ ଓହ୍ଲାଇବା ପରେ ନିଜକୁ ସାନିଟାଇଜ୍ କରିବାକୁ ପଡିବ ଏବଂ ଜରୁରୀ କାଗଜପତ୍ର ନିଜ ପାଖରେ ରହିବା ଉଚିତ୍।  

୩ – ବିମାନବନ୍ଦରର ପ୍ରବେଶ ପଏଣ୍ଟରେ ଥର୍ମାଲ୍ ସ୍କ୍ରିନିଂ କରାଯିବ । ଏହା ପରେ ସ୍ଥିର ହେବ ଯେ, ଆପଣ ଯାଇ ପାରିବେ କି ନାହିଁ।

୪- ଆପଣ ନିଜକୁ ଆରୋଗ୍ୟ ସେତୁ ଆପ୍‌ ଜରିଆରେ ମଧ୍ୟ  ଯାଞ୍ଚ କରିପାରିବେ ଏବଂ ପ୍ରବେଶ ଦ୍ୱାରରେ ଆରୋଗ୍ୟ ସେତୁ ଆପର ଷ୍ଟାଟସ୍‌ ଦେଖାଇ ପାରିବେ।

୫- ଯଦି ଆପଣ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବାକୁ ସକ୍ଷମ ହୋଇ ନାହାଁନ୍ତି, ତେବେ ଆପଣ ଏହାକୁ ଷ୍ଟେସନରେ କୋଭିଡ୍ ହେଲ୍ପ ଡେସ୍କରୁ ଡାଉନଲୋଡ୍ କରିପାରିବେ।

୬- ଯାତ୍ରୀମାନଙ୍କୁ ନିଜେ ଟିକେଟ୍, ବୋର୍ଡିଂ ପାସ୍, ପରିଚୟ ପତ୍ର CISF କୁ ପ୍ରବେଶ ଦ୍ୱାରରେ ଦେଖାଇବାକୁ ପଡିବ।

୭- ଚେକ୍ ଇନ୍ କରିବା ସମୟରେ, ନିଜର ଲଗେଜ୍ କାଉଣ୍ଟରରେ ଛାଡି ସେଠାରେ ଥିବା କର୍ମଚାରୀଙ୍କୁ ନିଜର PNR ସ୍ଥିତି ଦେଖାନ୍ତୁ ଏବଂ ଯଥାସମ୍ଭବ କମ ସାମଗ୍ରୀ ସାଥିରେ ନିଅନ୍ତୁ।

୮- ଆପଣଙ୍କ ମୋବାଇଲରେ ରିସେପ୍ଟ ମିଳିବ।

୯- ଯାତ୍ରୀମାନେ ନିଶ୍ଚିତ ଭାବରେ ସାମାଜିକ ଦୂରତା ଅନୁସରଣ କରିବା ଉଚିତ, ବିମାନବନ୍ଦରରେ ଥିବା ବୃତ୍ତ ଏବଂ ପ୍ରତିବନ୍ଧକକୁ ମନେ ରଖନ୍ତୁ।

୧୦ – ଉଡ଼ାଣ ସମୟର ଏକ ଘଣ୍ଟା ପୂର୍ବରୁ ଆପଣଙ୍କୁ ଯାଞ୍ଚ କରିବାକୁ ପଡିବ।

   Related Posts