ପୁଣି ଟେନସନ୍‌ ବଢାଇଲାଣି ଡେଲ୍‌ଟା ଭାରିଆଣ୍ଟ, ଦୀପାବଳି ପରେ ବଢିଛି ସଂକ୍ରମଣ :୨୪ ଘଣ୍ଟାରେ ୫ଶହରୁ ଉର୍ଦ୍ଧ୍ବ ମୃତ

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଲୀ ୧୨/୧୧ : ଗତ ଦେଢ ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରୀରେ ଜୁଝୁଛି ସାରା ବିଶ୍ବ । ଦ୍ବିତୀୟ ଲହର ସାରା ଦେଶକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଥିବା ବେଳେ କରୋନା ସଂକ୍ରମଣ ହାର ଲଗାତାର ଭାବେ କମ ହେବାରେ ଲାଗିଥିଲା । କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସ୍ବାସ୍ଥ୍ୟ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦିନକରେ ଦେଶ​‌ରେ ୫୦୧ ଜଣ ସଂକ୍ରମିତଙ୍କ ଜୀବନ ଯାଇଛି । ସଂକ୍ରମଣ ହାର କମୁଛି କିନ୍ତୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାରୁ ତାହା ଏବେ ଚିନ୍ତାର କାରଣ ପାଲଟିଛି । ଏଥିପାଇଁ ସତର୍କ ରହିବା ଆବଶ୍ୟକ ହୋଇପଡିଛି । ମୃତକଙ୍କ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇଦେଇଛି । ଗୁଜୁରାଟରେ କରୋନା ସଂକ୍ରମଣ ହାର ପୁଣି ଥରେ ବୃଦ୍ଧି ପାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨,୫୧୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩,୪୪,୧୪,୧୮୬ । ତେବେ ବର୍ତ୍ତମାନ ଆକ୍ଟିଭ୍ କେସ ୧ ଲକ୍ଷ ୩୭ ହଜାର ୪୧୬ ରହିଛି ଯାହାକି ଗତ ୨୬୭ ଦିନ ମଧ୍ୟରେ ସବୁଠାରୁ କମ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୪,୬୨,୬୯୦ରେ ପହଞ୍ଚିଛି । ଗତ ବର୍ଷ ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ ଦେଶରେ ସଂକ୍ରମଣ ହାର ପିକ୍‌ରେ ଥିଲା । ପ୍ରତିଦିନ ୪ ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଥିଲେ । ଲୋକଙ୍କୁ ହସ୍ପିଟାଲରେ ବେଡ୍‌ ଏବଂ ଅକ୍ସିଜେନ୍‌ ମଧ୍ୟ ମିଳୁନଥିଲା । ତେବେ ଗତ ୩୫ ଦିନ ହେଲା ଲଗାତାର ଭାବେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ତଳେ ରହୁଛି ।

ଗୁଜୁରାଟରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଦୀପାବଳିରେ ଲୋକମାନଙ୍କ ଦାୟିତ୍ବହୀନତା ଯୋଗୁଁ ବଜାରରେ ଭିଡ ଜମିଥିଲା । ଯାହା ଦ୍ବାରାକି ସଂକ୍ରମଣ ପୁଣି ଥରେ ବୃଦ୍ଧିପାଇଛି । ଏବେ ବି ଦେଶରେ କରୋନାର ଡେଲ୍‌ଟା ଭାରିଆଣ୍ଟ ସକ୍ରିୟ ରହିଛି । INSACOG ପକ୍ଷରୁ ଏ ନେଇ ସୂଚନା ଦିଆଯିବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା​‌ ବଢିଛି । କେବଳ ଭାରତ ନୁହେଁ ଅନ୍ୟ କିଛି ଦେଶରେ ମଧ୍ୟ ଡେଲ୍‌ଟା ଭାରିଆଣ୍ଟ ହିଁ ସଂକ୍ରମଣ ବଢାଉଛି । ଅର୍ଥାତ କହିବାକୁ ଗଲେ ସାରା ବିଶ୍ବରେ ଡେଲ୍‌ଟା ଭାରିଆଣ୍ଟର ପ୍ରଭାବ ଏବେବି ରହିଛି । ଅନ୍ୟ ଭାରିଆଣ୍ଟଗୁଡିକ ଏତେ ସକ୍ରିୟ ନଥିବାରୁ ବିପଦ କମ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.