କରୋନା ଯନ୍ତ୍ରଣାକୁ ବଳିଗଲା ଭୋକର କଷ୍ଟ, ୪୫ ହଜାର ଟଙ୍କାରେ ୧୫ ଦିନର ଝିଅକୁ ବିକି ଦେଲା ମଜୁରିଆ ବାପ
25/07/2020 at 7:38 PM

ଗୌହ୍ଵାଟୀ ୨୫।୦୭: କରୋନା ଲକ୍ଡାଉନ୍ରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକ ଓ ଦିନ ମଜୁରିଆ ଶ୍ରେଣୀର ଲୋକ। ତିନି ମାସରୁ ଅଧିକ ସମୟ ହେବ କରୋନା ଲକ୍ଡାଉନ୍ ଓ ସଟ୍ଡାଉନ୍ କାରଣରୁ ହାତ ବାନ୍ଧି ବସିଛନ୍ତି ଦିନ ମଜୁରିା। ପେଟକୁ ଦାନା ଦେବାକୁ ମଧ୍ୟ ସେମାନଙ୍କ ପାଖରେ ଅର୍ଥ ନାହିଁ। ଫଳରେ ଚଳିବା ମଧ୍ୟ ମୁସ୍କିଲ ହୋଇ ଗଲାଣି। ଏମିତି ସଙ୍କଟ ସ୍ଥିତିରେ ବାପ ନିଜ ଝିଅକୁ ବିକିବାକୁ ମଧ୍ୟ ପଛେଇ ନାହିଁ। ଏମିତି ଏକ ଅଭାବନୀୟ ଘଟଣା ଆସାମ ରାଜ୍ୟରେ ଦେଖିବାକୁ ମିଳିଛି। ଜଣେ ପ୍ରବାସୀ ଶ୍ରମିକ ୪୫ ହଜାର ଟଙ୍କାରେ ନିଜର ୧୫ ଦିନର ନବଜାତ କଅଁଳ ଶିଶୁକୁ ବିକ୍ରି କରିଛି। ହେଲେ ପୋଲିସ ଉକ୍ତ ଶିଶୁକୁ ଉଦ୍ଧାର କରିଥିବା ଜଣା ପଡିଛି। ଏହି ଘଟଣାରେ ପୋଲିସ୍ ଶିଶୁର ବାପା ଓ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ ଦୀପକ ବ୍ରହ୍ମା ଆସାମର କୋକ୍ରୋଝର ଜିଲ୍ଲାର ପାହାଡ ଘେରା ଗାଁ ଧାନତୋଲା ମଣ୍ଡାରିଆ ଗାଁର ବାସିନ୍ଦା। ସେ ନିକଟରେ ଗୁଜରାଟରୁ ଗାଁକୁ ଫେରିଥିଲେ। ସେଠାରେ ସେ ଶ୍ରମିକ ଭାବେ କାମ କରୁଥିଲେ। କରୋନା ଲକ୍ଡାଉନ୍ କାରଣରୁ ଅନ୍ୟମାନଙ୍କ ପରି ସେ ମଧ୍ୟ ବେରୋଜଗାର ହୋଇଗଲେ। ଗାଁରେ କାମଧନ୍ଦା ମଧ୍ୟ ମିଳିଲାନି। ପରିବାର ଚଳାଇବା ତାଙ୍କ ପକ୍ଷେ ମୁସ୍କିଲ ହୋଇ ପଡିଲା।
ଗୁଜରାଟରୁ ଫେରିବାପରେ ସେହି ଜିଲ୍ଲାର କଚୁଗାଓଁ ପାଟକାଟ ଗାଁ ନିଜର ଶ୍ଵଶ୍ଵର ଘରେ ସ୍ଵାମୀ-ସ୍ତ୍ରୀ ଓ ପିଲାଛୁଆ ରହି ଆସୁଥିଲେ। ଏହି ସମୟରେ ବ୍ରହ୍ମାଙ୍କ ପତ୍ନୀ ଗର୍ଭବତୀ ଥିଲେ। ନିକଟରେ ପତ୍ନୀ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ପରିବାରର ଏହା ଦ୍ଵିତୀୟ ଶିଶୁ କନ୍ୟା ଥିଲା। ବଡ ଝିଅର ବୟସ ଏକ ବର୍ଷ।
ଏହା ପରେ ବ୍ରହ୍ମା କରୋନା ସଙ୍କଟ ଜନକ ସ୍ଥିତିରେ କାମ ପାଇଁ ଚାରିଆଡେ ବୁଲିଲା। ଏ ଘରୁ ସେ ଘରୁ ଚକ୍କର କାଟିଲା। ତଥାପି ତାଙ୍କୁ କାମଟିଏ ମଧ୍ୟ ମିଳିଲା ନାହିଁ। ଶେଷରେ ବ୍ରହ୍ମା ନିଜର ନବଜାତ ଶିଶୁକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲା।
ବ୍ରହ୍ମା ନିଜର ଶିଶୁ କନ୍ୟାକୁ ଦୁଇ ଜଣ ମହିଳାଙ୍କୁ ୪୫ ହଜାର ଟଙ୍କାରେ ବିକ୍ରି କରିଥିଲେ। ଏହି ସମୟରେ ବ୍ରହ୍ମା ନିଜ ସ୍ତ୍ରୀଙ୍କୁ ମଧ୍ୟ ଅନ୍ଧାରରେ ରଖିଥିଲେ। ଏହା ଜାଣିବା ପରେ ବ୍ରହ୍ମାର ପତ୍ନୀ ଓ ଗାଁ ଲୋକେ ବ୍ରହ୍ମା ବିରୋଧରେ କୋଚୁଗାଓଁ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଉକ୍ତ ଦୁଇ ମହିଳାଙ୍କଠୁ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲା। ଏହା ସହିତ ବ୍ରହ୍ମାଙ୍କୁ ଗିରଫ କରିଥିବା ପୋଲିସ କହିଛି।
ଜେରା ବେଳେ ସଂପର୍କରେ ଭଉଣୀ ହୋଇଥିବା ଏହି ଦୁଇ ମହିଳା କହିଛନ୍ତି, ସେମାନେ ନିଜର ଜଣେ ସନ୍ତାନବିହୀନ ସଂପର୍କୀୟଙ୍କ ପାଇଁ ଏହି ଶିଶୁକନ୍ୟାକୁ କିଣିଥିଲେ। ପୋଲିସ୍ର ଏହି କାର୍ଯ୍ୟକୁ ନିଦାନ ଫାଉଣ୍ଡେସନର ଦିଗାମ୍ବର ନାରଜାରି ପ୍ରଶଂସା କରିଛନ୍ତି। କିନ୍ତୁ ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଲକ୍ଡାଉନ୍ କାରଣରୁ ଲୋକେ ବେରୋଜଗାର ହୋଇ ଯାଇଛନ୍ତି। ଉଲ୍ଲେଖନୀୟ ଲକ୍ଡାଉନ୍ କାରଣରୁ ଲକ୍ଷାଧିକ ପ୍ରବାସୀ ଶ୍ରମିକ ନିଜର ଗୃହ ରାଜ୍ୟ ଆସାମ ଫେରିଛନ୍ତି।