ଦିଲ୍ଲୀରେ କରୋନା ସ୍ଥିତି ସାଙ୍ଘାତିକ, ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ-କଲେଜ୍ ବନ୍ଦ

Published By : Prameya-News7 Bureau | June 26, 2020 IST

ନୂଆଦିଲ୍ଲୀ ୨୬।୦୬: ରାଜଧାନୀ ଦିଲ୍ଲୀରେ କରୋନା ବିକଟାଳ ରୂପ ନେଇଛି। ଦୈନିକ ହଜାର ସଂଖ୍ୟକ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଫଲରେ ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି।  ସଂକ୍ରମଣର ପ୍ରକୋପକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ ଖୋଲାଯିବା ନେଇ ଯେଉଁ ଯୋଜନା ପ୍ରସ୍ତୁତ ଚାଲିଥିଲା ସେଥିରେ ବ୍ରେକ୍ ଲାଗିଛି। ଏବେ ଦିଲ୍ଲୀର ସମସ୍ତ ସ୍କୁଲକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ମନିଷ ସିସୋଦିଆ ଶୁକ୍ରବାର ଏହାର ଘୋଷଣା କରିଛନ୍ତି। ପାଠ ପଢା ଯେମିତି ବନ୍ଦ ନରହେ ସେଥିପାଇଁ ଅନଲାଇନ୍‌ କ୍ଲାସ୍ ଜାରି ରହିବ ବୋଲି ସେ କହିଛନ୍ତି। ଏଥିରେ ସରକାରୀ, ଘରୋଇ, ଏନଡିଏମସି ସମସ୍ତ ସ୍କୁଲ ସାମିଲ।

ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ସିସୋଦିଆ ଆଜି ଲକ୍‌ଡାଉନ୍‌ ସମୟରେ ଶିକ୍ଷା ଜାରି ରଖିବା ସମ୍ଵନ୍ଧିତ ପ୍ରସ୍ତାବ ଉପରେ ବିଚାର କରିବା ପାଇଁ ବୈଠକ କରିଥିଲେ। ବୈଠକରେ ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖାଯିବାକୁ ସହମତି ପ୍ରକାଶ ପାଇଛି। ଏହି ବୈଠକରେ ଦିଲ୍ଲୀର ସରକାରୀ ସ୍କୁଲ ଏବଂ ଘରୋଇ ବିଦ୍ୟାଳୟର ମୋଟ୍ ୮୨୯ ଅଭିଭାବକଙ୍କଠୁ ମିଳିଥିବା ପ୍ରସ୍ତାବ ଏବଂ ସ୍କୁଲ ସ୍ତରରେ ୨୩,୨୬୨ ଶିକ୍ଷକ ଓ ୯୮୪୨୩ ଅଭିଭାବକଙ୍କ ପ୍ରସ୍ତାବକୁ ନେଇ ମିଳିଥିବା ଜିଲ୍ଲାଓ୍ଵାରୀ ରିପୋର୍ଟ ଉପରେ ବିଚାର କରି ଏହି ନିଷ୍ପତ୍ତି ନିଆଯାଇଛି।

wp:html /wp:html

ଏହି ରିପୋର୍ଟକୁ ଶିକ୍ଷା ନିର୍ଦ୍ଦେଶାଳୟର ଉପ ଶିକ୍ଷା ଅଧିକାରୀ ଶିକ୍ଷା ସଚିବ ଏବଂ ଶିକ୍ଷା ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଉପ ମୁଖ୍ୟମନ୍ତ୍ରୀ  ମନିଷ ସିସୋଦିଆଙ୍କ ସାମ୍ନାରେ ଉପସ୍ଥାପନ କରାଯାଇଥିଲା। ଉଲ୍ଲେଖନୀୟ ସଂକ୍ରମଣକୁ ରୋକିବାଲାଗି ସମଗ୍ର ଦେଶରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି।

ଦେଶରେ ଅଦ୍ୟାବଧି କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ ରହିଛି। ଏଥିରୁ ଦିଲ୍ଲୀରୁ ହିଁ ୭୩ ହଜାରରୁ ଅଧିକ ସଂକ୍ରମିତ ଅଛନ୍ତି। ୪୪ ହଜାର ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୨୪ ହଜାରରୁ ଅଧିକ ରହିଛି। ମୃତକଙ୍କ ସଂଖ୍ୟା ୨୪୦୦ରୁ ଅଧିକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.