ଏତେ ବଡ କ୍ୟାବିନେଟ୍ ! ଅର୍ଥାତ ପ୍ରଧାନମନ୍ତ୍ରୀଙ୍କୁ କିଛି ଜଣା ନାହିଁ: ସୁପ୍ରିମକୋର୍ଟ

Published By : Prameya-News7 Bureau | April 13, 2020 IST

ଇସଲାମାବାଦ ୧୩।୦୪: ଭାରତରେ ଲକ୍‌ଡାଉନ୍‌କୁ ଅଟ୍ଟହାସ୍ୟ କରିଥିବା ପାକିସ୍ତାନର ଇମ୍ରାନ ଖାନ ସରକାର କରୋନା ଭାଇରସ୍‌ ମୁକାବିଲାରେ ଅବହେଳା କାରଣରୁ ହରଡଘଣାରେ ପଡିଛି। ଉପଯୁକ୍ତ ପଦକ୍ଷେପ ନନେବା କାରଣରୁ ଇମ୍ରାନ ସରକାରଙ୍କୁ ନିଜ ଦେଶରେ ସମାଲୋଚନା ଶିକାର ହେବାକୁ ପଡିଛି। ପାକିସ୍ତାନରେ କରୋନା ମହାମାରୀର ମୁକାବିଲାରେ ଘୋର ଅବହେଳା ନେଇ ସର୍ବୋଚ୍ଚ ଅଦାଲତ ଇମ୍ରାନ ସରକାରଙ୍କୁ କଡା ଭାଷାରେ ତାଗିଦ୍ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କ ନେତୃତ୍ଵାଧୀନ ପାଞ୍ଚ ନ୍ୟାୟାଧୀଶଙ୍କ ପୀଠ ମାମଲାର ଶୁଣାଣି କରିଛନ୍ତି।

ଜିଓ ଉର୍ଦ୍ଦୁର ରିପୋର୍ଟ ଅନୁଯାୟୀ ପୀଠ ଅଦାଲତରେ ସରକାରଙ୍କ ପକ୍ଷରୁ ହାଜର ମହାନ୍ୟାୟବାଦୀଙ୍କୁ କହିଛନ୍ତି ଯେ, ଆପଣଙ୍କ ସରକାର କିଛି କରି ପାରୁ ନାହାନ୍ତି। ମନ୍ତ୍ରୀ ଓ ପରାମର୍ଶଦାତା ମାଳ ମାଳ ଅଛନ୍ତି ମାତ୍ର କାମ କିଛି ନାହିଁ। ପରାମର୍ଶଦାତାଙ୍କୁ କେନ୍ଦ୍ର ମନ୍ତ୍ରୀର ମାନ୍ୟତା ଦିଆଯାଇଛି। କଥିତ ଭ୍ରଷ୍ଟ ଲୋକଙ୍କୁ ପରାମର୍ଶଦାତା କରାଯାଇଛି।

ଏହା ଉପରେ ମହାନ୍ୟାୟବାଦୀ ପୀଠଙ୍କୁ କହିଛନ୍ତି ଯେ, ସାର ଆପଣ ଏମିତି କୁହନ୍ତୁ ନାହିଁ। ଜବାବରେ ପ୍ରଧାନ ବିଚାରପତି କହିଛନ୍ତି, ମୁଁ କଥିତ ଭାବେ ସେମାନଙ୍କୁ ଭ୍ରଷ୍ଟ  କହିଛି। ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦ କହିଛନ୍ତି, କ୍ୟାବିନେଟ୍‌ରେ ଅଧିକରୁ ଅଧିକ ସଦସ୍ୟ ଅଛନ୍ତି। ୪୯ ଜଣଙ୍କ କଣ ଆବଶ୍ୟକତା ରହିଛି। ପରାମର୍ଶଦାତା ପୂରା କ୍ୟାବିନେଟ୍‌କୁ କବଜା କରି ରଖିଛି। ଏତେ ବଡ କ୍ୟାବିନେଟ୍‌ର ଅର୍ଥ ପ୍ରଧାନମନ୍ତ୍ରୀ କିଛି ଜାଣନ୍ତି ନାହିଁ।

ଅଦାଲତ ମାମଲାର ଶୁଣାଣି କରି ଏପ୍ରିଲ ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖି ସଙ୍ଘୀୟ ଓ ପ୍ରାନ୍ତୀୟ ସରକାରଙ୍କୁ କରୋନାର ମୁକାବିଲା ପାଇଁ ବଳିଷ୍ଠ ପଦକ୍ଷେପ ଉପରେ ବିସ୍ତୃତ ରିପୋର୍ଟ ଦେବାକୁ ଆଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.