ନୂଆଦିଲ୍ଲୀ ୦୧/୧୨: ଭାରତରେ କରୋନା ସଂକ୍ରମଣ ମାମଲା କମୁଛି। କାରଣ ପ୍ରତି ୧୦ ଲକ୍ଷରେ କରୋନା ସଂକ୍ରମଣ ହାର ବିଶ୍ବର ଅନ୍ୟ ଦେଶ ତୁଳନାରେ କମ୍ ରହିଛି। ବଡ଼ ଦେଶ ତୁଳନାରେ ଗତ ସପ୍ତାହରେ ଭାରତର ସଂକ୍ରମଣ ହାର କେବଳ ୩.୭୨ ପ୍ରତିଶତ ରହିଛି ବୋଲି ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପ୍ରତି ୧୦ ଲକ୍ଷରେ କରୋନା ମାମଲା ଭାରତରେ କମ୍ ହୋଇଥିବା ବେଳେ ୟୁରୋପୀୟ ଦେଶଗୁଡ଼ିକରେ ବଢ଼ୁଥିବା ନେଇ ସ୍ବାସ୍ଥ୍ୟ ସଚିବ ରାଜଶେ ଭୂଷଣ କହିଛନ୍ତି।
ନଭେମ୍ବର ୧୧ରୁ ଡିସେମ୍ବର ୧ ମଧ୍ୟରେ ଭାରତରେ ସଂକ୍ରମଣ ହାର ୭.୧୫ ପ୍ରତିଶତରୁ କମି ୬.୬୯ ପ୍ରତିଶତରେ ପହଞ୍ଚିଛି। ନଭେମ୍ବରରେ ମୋଟ ସୁସ୍ଥ ସଂଖ୍ୟା ସଂକ୍ରମଣ ସଂଖ୍ୟାଠୁ ଅଧିକ ଥିଲା ବୋଲି ରାଜଶେ ଭୂଷଣ କହିଛନ୍ତି।
ଅକ୍ଟୋବରରେ ୧୮, ୭୧,୪୮୯ କରୋନା ମାମଲା ଥିବା ବେଳେ ନଭେମ୍ବରରେ ଏହା କମି ମୋଟ ୧୨,୭୮୭୨୭କୁ ଖସିଆସିଥିଲା। ଦେଶରେ ମୋଟ ୮୮,୮୯୫୮୫ କରୋନା ସଂକ୍ରମିତ ସୁସ୍ଥ ହେବା ସହ ଭାରତରେ ସୁସ୍ଥ ହାର ୯୩.୯୪ ପ୍ରତିଶତରେ ପହଞ୍ଚିଛି।
ଅନ୍ୟପଟେ କରୋନା ଭ୍ୟାକସିନ୍ ପହଞ୍ଚିବାରେ ବିଳମ୍ବ ହେଉଥିବା ନେଇ ସ୍ବାସ୍ଥ୍ୟ ସଚିବ କହିଛନ୍ତି । ବିଭିନ୍ନ କ୍ଷେତ୍ରରେ ଯଥା ପରୀକ୍ଷଣ ଓ ଆମଦାନୀ କ୍ଷେତ୍ରରେ ଦେଖାଯାଉଥିବା ପ୍ରତିକୂଳ ଘଟଣା ପାଇଁ ଭ୍ୟାକ୍ସିନ୍ ପହଞ୍ଚିବା ବିଳମ୍ବ ହେବା ଉପରେ ବାଖ୍ୟା କରିଛନ୍ତି ରାଜେଶ ଭୂଷଣ।
ସୂଚନାଯୋଗ୍ୟ, ମଙ୍ଗଳବାର ଦେଶରେ ମୋଟ ୩୧,୧୧୮ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୪୩୨ ଜଣଙ୍କ ମୃତ୍ୟୁ ହୋଇଛି । ଆଜିର ନୂଆ ସଂକ୍ରମଣ ସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪,୬୨,୮୦୯ରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧୩୭,୬୨୧ରେ ପହଞ୍ଚିଛି।