୮୫ ଦିନ ପରେ ପ୍ରଥମ ଥର ଦେଶରେ ୬ ଲକ୍ଷରୁ ତଳକୁ ଖସିଲା ଆକ୍ଟିଭ୍ କେସ୍ ସଂଖ୍ୟା , ସୁସ୍ଥହାର ୯୧%କୁ ବୃଦ୍ଧି

Published By : Prameya-News7 Bureau | October 30, 2020 IST

ନୂଆଦିଲ୍ଲୀ ୩୦।୧୦: ଦେଶରେ ପ୍ରାୟ ତିନି ମାସ ପରେ କୋଭିଡ୍-୧୯ର ସକ୍ରିୟ ରୋଗୀଙ୍କ ସଂଖ୍ୟା ୬ ଲକ୍ଷରୁ କମ ହୋଇଛି। ଏହା ମୋଟ୍ ମାମଲାର ୭.୩୫ ପ୍ରତିଶତ। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ମନ୍ତ୍ରଣାଳୟ କହିଛି ଭାରତ କରୋନା ଭାଇରସ୍ ସଂକ୍ରମଣ ବିରୋଧ ଲଢେଇରେ ଏକ ଗୁରୁତ୍ଵପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ଆଜିର ତାରିଖରେ ଦେଶରେ ମୋଟ୍ ୫,୯୪, ୩୮୬ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ଅଗଷ୍ଟରେ ଏହି ସଂଖ୍ୟା ୫.୯୫ ଲକ୍ଷ ଥିଲା।

ମନ୍ତ୍ରଣାଳୟ କହିଛନ୍ତି, ବର୍ତ୍ତମାନ ଉପଚାରଧୀନ ରୋଗୀଙ୍କ ସଂଖ୍ୟା ମୋଟ୍ ସଂକ୍ରମଣ ମାମଲାର କେବଳ ୭.୩୫ ପ୍ରତିଶତ। ଏହି ସଂଖ୍ୟା ୫,୯୪,୩୮୬ ରହିଛି। ଏହି ପ୍ରକାରରେ ସଂକ୍ରମଣ ସଂଖ୍ୟା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ କ୍ଷେତ୍ରରେ ଚିକିତ୍ସାଧୀଣ ରୋଗୀଙ୍କ ସଂଖ୍ୟା ଅଲଗା ଅଲଗା ରହିଛି। ସକ୍ରିୟ କେସ୍ ସଂଖ୍ୟା ୬ ଲକ୍ଷରୁ କମ ହେବା ପରେ ଦେଶରେ ସୁସ୍ଥ ହାର ୯୧ ପ୍ରତିଶତରେ ପହଞ୍ଚିଛି।

ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଏବେ ମଧ୍ୟ ଶୀର୍ଷ ଦେଶରେ ରହିଛି, ଯେଉଁଠି ସଂକ୍ରମଣରୁ ସୁସ୍ଥ ଲୋକଙ୍କ ସଂଖ୍ୟା ସର୍ବାଧିକ ରହିଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଓ ସୁସ୍ଥ ରୋଗୀଙ୍କ ମଧ୍ୟରେ ବ୍ୟବଧାନ ବଢିବାରେ ଲାଗିଛି। ଆଜିର ତାରିଖରେ ଏହି ସଂଖ୍ୟା ୬୭,୭୮,୯୮୯ ରହିଛି।

ମନ୍ତ୍ରଣାଳୟ କହିଛି ସଂକ୍ରମଣମୁକ୍ତ ହୋଇଥିବା ୮୦ ପ୍ରତିଶତ ରୋଗୀ କେବଳ ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ରହିଛନ୍ତି। କେରଳରେ ଗୋଟିଏ ଦିନରେ ସୁସ୍ଥ ଲୋକଙ୍କ ସଂଖ୍ୟା ୮୦୦୦ରୁ ଅଧିକ ରହିଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଏହି ସଂଖ୍ୟା ୭୦୦୦ରୁ ଅଧିକ ରହିଛି।

ଉଲ୍ଲେଖଯୋଗ୍ୟ, ଭାରତରେ ଅଗଷ୍ଟ ୭ରେ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ, ଅଗଷ୍ଟ ୨୩ରେ ୩୦ ଲକ୍ଷ ଏବଂ ସେପ୍ଟେମ୍ବର ୫ରେ ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷ ଅତିକ୍ରମ କରିଥିଲା। ସେହି ମୋଟ୍ ସେପ୍ଟେମ୍ବର ୧୬ରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ, ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ, ଅକ୍ଟୋବର ୧୧ରେ ୭୦ ଲକ୍ଷ ଏବଂ ଅକ୍ଟୋବର ୨୯ରେ ୮୦ ଲକ୍ଷ ଅତିକ୍ରମ କରିଥିଲା।

ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ(ଆଇସିଏମଆର) ଅନୁସାରେ ଅକ୍ଟୋବର ୨୯ ସୁଦ୍ଧା ମୋଟ୍ ୧୦ କୋଟି ୭୭ ଲକ୍ଷ ୨୮ ହଜାର ୮୮ ନମୂନା ଯାଞ୍ଚ କରାଯାଇଛି। ଏଥିରୁ ଗୁରୁବାର ୧୧ ଲକ୍ଷ ୬୪ ହଜାର ୬୪୮ ନମୂନା ପରୀକ୍ଷଣ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.