ନୂଆଦିଲ୍ଳୀ ୫/୧୧: ନିର୍ଦ୍ଧାରିତ ସମୟ ପୂର୍ବରୁ ଉପଲବ୍ଧ ହେବ ଦେଶୀ କରୋନା ଭ୍ୟାକସିନ୍ ‘କୋଭାକ୍ସିନ୍’। ଭାରତ ବାୟୋଟେକ୍ ଓ ଆଇସିଏମଆର ମିଳିତ ସହଯୋଗରେ କୋଭିସିଲ୍ଡର ଟ୍ରାଏଲ ଚାଲିଥିବା ବେଳେ ଏହା ୨୦୨୧ ଫେବୃଆରୀ ପୂର୍ବରୁ ଆସିଯିବ ବୋଲି ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି।
କୋଭିସିଲ୍ଡର ଶେଷ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇଥିବା ବେଳେ ପୂର୍ବ ପରୀକ୍ଷା ଗୁଡ଼ିକରେ ଏହା ପ୍ରଭାବଶାଳୀ ଥିବା ଜଣାପଡ଼ିଥିଲା। ତେବେ ୨୦୨୧ର ଦ୍ବିତୀୟ କ୍ବାର୍ଟରରେ କୋଭାକ୍ସିନ୍ ଆସିବା ନେଇ କୁହାଯାଉଥିଲେ ହେଁ ଏବେ ଏହା ନିର୍ଦ୍ଧାରିତ ସମୟ ପୂର୍ବରୁ ଫେବୃଆରୀ କିମ୍ବା ମାର୍ଚ୍ଚରେ ଆସିଯିବ ବୋଲି ଆଇସିଏମଆରର ବରିଷ୍ଠ ବୈଜ୍ଞାନିକ ରଜନୀ କାନ୍ତ ରିଓଟରକୁ ସୂଚନା ଦେଇଛନ୍ତି।
ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଲୋକଙ୍କୁ କୋଭାକ୍ସିନ୍ ଦିଆଯିବ କି ନାହିଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ଥିର କରିବ ବୋଲି ରଜନୀ କାନ୍ତ କହିଛନ୍ତି। ଦୁଇଟି ପର୍ଯ୍ୟାୟ ସହ ପଶୁଙ୍କ ଉପରେ କୋଭାକ୍ସିନ୍ର ପରୀକ୍ଷଣ ପ୍ରଭାବଶାଳୀ ହୋଇଥିବା ବେଳେ ଏହା ତୃତୀୟ ପର୍ଯ୍ୟାୟରେ ଶତ ପ୍ରତିଶତ ସଫଳ ହେବ ବୋଲି କହିହେବ ନାହିଁ ବୋଲି କହିଛନ୍ତି ରଜନୀ।
ରିସ୍କ ନେଇପାରିଲେ ହିଁ ଗୋଟିଏ ଭ୍ୟାକସିନ୍ର କଳ୍ପନା କରିହେବ। ଜରୁରୀ କାଳୀନ ପରିସ୍ଥିତିରେ ସରକାର ଚାହିଁଲେ କରୋନା ଭ୍ୟାକସିନ୍ର ବ୍ୟବହାର କରିପାରିବେ ବୋଲି ରଜନୀ କାନ୍ତ କହିଛନ୍ତି। ତେବେ ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ବୟାସଧିକ୍ୟ କରୋନା ରୋଗୀଙ୍କୁ ଜରୁରୀକାଳୀନ ଭିତ୍ତିରେ କରୋନା ଭ୍ୟାକସିନ୍ ବ୍ୟବହାର କରିବାକୁ ସରକାର ଚିନ୍ତା କରୁଥିବା କହିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ।
ତେବେ ବିଶ୍ବରେ ବହୁ କରୋନା ଭ୍ୟାକ୍ସିନ୍ ଏବେ ଆସିବାକୁ ଯାଉଛି। ସବୁଠୁ ଆଗରେ ରହିଛି ବ୍ରିଟେନର ଆଷ୍ଟ୍ରାଜେନିକା । ଏହାର ପରୀକ୍ଷଣ ଶେଷ ପର୍ଯ୍ୟାୟର ପହଞ୍ଚିଥିବା ବେଳେ ଖୁବଶୀଘ୍ର ଅର୍ଥାତ ୨୦୨୧ ଆରମ୍ଭରୁ ଉପଲବ୍ଧ ହୋଇପାରେ ବୋଲି କୁହାଯାଉଛି।