ଅନ୍ଧ ପ୍ରେମର ଭୟଙ୍କର ପରିଣତି: ପରସ୍ପରକୁ ବାହା ହେବାକୁ ଚାହୁଁଥିଲେ ଦାଦାଙ୍କ ଝିଅ ଓ ବଡ ବାପାଙ୍କ ପୁଅ, ବିଷ ଦେଇ ମାରି ପୋଡି ଦେଲେ ପରିବାର ଲୋକେ

Published By : Prameya-News7 Bureau | October 12, 2020 IST

ଦୁର୍ଗ ୧୨।୧୦: ପରିବାର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ପ୍ରେମ ବିବାହ କରିବାକୁ ଚାହୁଁଥିବା ୨୧ ବର୍ଷୀୟ ଯୁବକ ଓ ୨୦ ବର୍ଷୀୟ ଯୁବତୀଙ୍କୁ  ନିଜର ପ୍ରାଣ ହରାଇବାକୁ ପଡିଛି। ପରିବାର ଲୋକେ ଉଭୟଙ୍କୁ ହତ୍ୟା କରି ପୋଡି ଦେଇଥିବା ଅଭିଯୋଗ ହୋଇଛି। ଯୁବକ ଓ ଯୁବତୀ ସଂପର୍କରେ ବଡ ବାପାଙ୍କ ପୁଅ ଓ ଦାଦାଙ୍କ ଝିଅ ହେବେ। ଏହି ଘଟଣା ଛତିଶଗଡର ଦୁର୍ଗ ଜିଲ୍ଲାରେ ଘଟିଛି।

ରାଜ୍ୟ ରାଜଧାନୀରୁ ୪୦ କିଲୋମିଟର ଦୂର ଦୁର୍ଗ ଜିଲ୍ଲାର ବାସିନ୍ଦା ଯୁବକଙ୍କ ନାମ ଶ୍ରୀହରି(୨୧) ଓ ଯୁବତୀଙ୍କ ନାମ ଐଶ୍ଵର୍ଯ୍ୟା(୨୦)। ଶନିବାର ଦିନ ସେମାନଙ୍କ ମାମୁଁ ବିଷ ଦେଇ ଉଭୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦୁର୍ଗ ଆଇଜି ବିବେକାନନ୍ଦ ସିହ୍ନାଙ୍କ ଅନୁଯାୟୀ, ଯୁବକ ଏବଂ ଯୁବତୀଙ୍କ ଶବ ପୋଡା ଯାଉଥିବା ଘଟଣା ପୋଲିସକୁ ଶନିବାର ମିଳିଥିଲା।

ଉଭୟ ବଡ ବାପାଙ୍କ ପୁଅ ଏବଂ ଦାଦାଙ୍କ ଝିଅ ଥିଲେ। ପରସ୍ପରକୁ ବିବାହ କରିବାକୁ ଚାହୁଁଥିଲେ। ସେପ୍ଟେମ୍ବରରେ ଉଭୟ ନିଖୋଜ ହୋଇଥିବା ସୂଚନା ମିଳିଥିଲା ବୋଲି ଆଇଜି ସିହ୍ନା କହିଛନ୍ତି। ଉଭୟ ପ୍ରେମିକ ଭାଇ-ଭଉଣୀଙ୍କୁ ଟ୍ରାସ କରାଯାଇ ଚେନ୍ନାଇରୁ ଧରା ଯାଇଥିଲା ଏବଂ ଅକ୍ଟୋବର ୭ରେ ଗାଁକୁ ଅଣାଯାଇଥିଲା।

ପଡୋଶୀଙ୍କ ଅନୁଯାୟୀ ଉଭୟ ଯୁବକ-ଯୁବତୀ ଘରକୁ ଫେରିବା ପରେ ଘରେ ଅଶାନ୍ତି ଲାଗି ରହିଥିଲା। ସେମାନଙ୍କୁ ବିଷ ଦେଇ ମାରିବା ଏବଂ ପୋଡିବା ଅଭିଯୋଗରେ ଝିଅର ଭାଇ ଚରନ କୋପାଲ ଓ ମାମୁଁ କେ ରାମୁଙ୍କୁ ଦୁର୍ଗ ପୋଲିସ ଗିରଫ କରିଛି। ରବିବାର ଶିବନାଥ ନଦୀ ନିକଟରେ ଉଭୟଙ୍କ ପୋଡା ଶବ ଦେଖିବାକୁ ମିଳିଥିଲା। ଜେରା ପରେ ଦୁଇ ଅଭିଯୁକ୍ତ ନିଜ ଅପରାଧ ସ୍ଵୀକାର କରିଛନ୍ତି। ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ବିଚାରବିଭାଗୀୟ  ହାଜତକୁ ପଠାଯାଇଥିବା ଦୁର୍ଗର ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ପୋଲିସ ଅନୁଯାୟୀ ଭାଇ-ଭଉଣୀ ପରସ୍ପରକୁ ଭଲ ପାଉଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ, ଯାହାକୁ ପରିବାର ଲୋକ ଦୃଢ ବିରୋଧ କରିଥିଲେ। ସେମାନଙ୍କର ପାଞ୍ଚ ଭାଇ ସମସ୍ତେ ଗୋଟିଏ ଅଞ୍ଚଳରେ ରହୁଥିଲେ। ଶ୍ରୀହରି ଓ ଐଶ୍ଵର୍ଯ୍ୟାର ବାପା ଦୁଇ ଭାଇ। ପରିବାର ଲୋକ ବିବାହକୁ ଏଥିପାଇଁ ବିରୋଧ କରୁଥିଲେ କାରଣ ଏହା ସେମାନଙ୍କ ସଂସ୍କୃତି ଓ ପରମ୍ପରା ବିରୋଧୀ ଥିଲା  ବୋଲି ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.