ବିଜେଡି ଲିଗାଲ ଫ୍ରଣ୍ଟର ଆନ୍ଦୋଳନରୁ ଅପସରି ଯିବାପରେ ବି ସ୍ବଭାବିକ ହେଲାନି କୋର୍ଟ, କାଲି ଜଣାପଡିବ ଓକିଲ ଆନ୍ଦୋଳନର ରୂପରେଖ

Published By : Prameya-News7 Bureau | October 29, 2018 IST

କଟକ ୨୯|୧୦:  କଟକରେ ଜଣେ ଆଇନଜୀବୀଙ୍କୁ ପୋଲିସର ମାଡ଼ ଅଭିଯୋଗରେ ଦୀର୍ଘ ଦୁଇମାସ ଧରି ଚାଲିଥିବା ଓକିଲ ଆନ୍ଦୋଳନ ଏବେ ଭିନ୍ନ ମୋଡ଼ ନେଇଛି । ପୂର୍ବଘୋଷଣା ମୁତାବକ ଆନ୍ଦୋଳନରୁ ଓହରି ଯାଇଥିବା ବିଜେଡି ଲିଗାଲ ଫ୍ରଣ୍ଟର ଆଇନଜୀବୀମାନେ ଆଜି କୋର୍ଟ କାର୍ଯ୍ୟରେ ଯୋଗ ଦେବାକୁ ଯିବା ବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ । ଆନ୍ଦୋଳନରତ ଓକିଲ ଓ ବିଜେଡି ଲିଗାଲ ଫ୍ରଣ୍ଟର ଓକିଲମାନଙ୍କ ଭିତରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ବିଜେଡି ଲିଗାଲ ଫ୍ରଣ୍ଟର ଆଇନଜୀବୀମାନେ କାର୍ଯ୍ୟରେ ଯୋଗନଦେଇ ଫେରି ଆସିଥିଲେ । ବିବାଦୀୟ ମୋଡ଼ ନେଲା ଆଇନଜୀବୀଙ୍କ ଆନ୍ଦୋଳନ । ଦୁଇ ମାସ ଧରି ଚାଲିଥିବା ଓକିଲ ଆନ୍ଦୋଳନ ସୋମବାର ଅଧିକ ଜଟିଳ ରୂପ ଧାରଣ କରିଥିଲା । ବିଜେଡି ଲିଗାଲ ଫ୍ରଣ୍ଟ ଆନ୍ଦୋଳନରୁ ଓହରିଯିବା କଥା ଘୋଷଣା କରିବା ପରେ ଏଭଳି ବିବାଦୀୟ ପରିସ୍ଥିତି ଉପୁଜିବ ବୋଲି ଅନୁମାନ କରାଯାଉଥିଲା । ଏମିତିକି ହାଇକୋର୍ଟ ନିକଟରେ ବଡ଼ ଧରଣର ଗଣ୍ଡଗୋଳ ଆଶଙ୍କା କରି ପ୍ରାୟ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା । ତଥାପି ଆନ୍ଦୋଳନରୁ ଓହରିଥିବା ଓକିଲ ଗୋଷ୍ଠୀ ଏବଂ ଆନ୍ଦୋଳନରତ ଓକିଲ ଗୋଷ୍ଠୀଙ୍କ ଭିତରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପୂର୍ବ ଘୋଷଣା ମୁତାବକ ବିଜେଡି ଲିଗାଲ ଫ୍ରଣ୍ଟ ସୋମବାର କାର୍ଯ୍ୟରେ ଯୋଗଦେବାକୁ କୋର୍ଟ ପରିସରରେ ପହଞ୍ଚିବା ବେଳକୁ ସେମାନଙ୍କୁ ବିରୋଧ କରିଥିଲେ ଆନ୍ଦୋଳନରତ ଓକିଲମାନେ । ଫଳରେ କାର୍ଯ୍ୟରେ ଯୋଗ ଦେଇ ନପାରି ବିଜେଡି ଲିଗାଲ୍‌ ଫ୍ରଣ୍ଟର ଓକିଲମାନଙ୍କୁ ଫେରିବାକୁ ପଡ଼ିଥିଲା । ତେବେ ଏନେଇ ଆପୋଷ ବୁଝାମଣା ହେବ ବୋଲି କହିଛନ୍ତି ବିଜେଡି ଲିଗାଲ ଫ୍ରଣ୍ଟ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ଅସୀମ ଅମିତାଭ ଦାସ । ସେପଟେ ଆନ୍ଦୋଳନରତ ଓକିଲମାନେ କୌଣସି ପରିସ୍ଥିତିରେ ବି ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ହାଇକୋର୍ଟ ବାର ଆସୋସିଏସନ ସମ୍ପାଦକ । ଏଭଳି ଗଣ୍ଡଗୋଳିଆ ପରିସ୍ଥିତିକୁ ନେଇ ହାଇକୋର୍ଟ ବାର୍‌ ଆସୋସିଏସନ ବୈଠକ ବସିଥିଲା । ତେବେ ଆଗକୁ ଆନ୍ଦୋଳନର ରୂପରେଖ କିଭଳି ରହିବ ଓ ବିଜେଡି ଫ୍ରଣ୍ଟର ଆଭିମୁଖ୍ୟ ଆସନ୍ତାକାଲି କ’ଣ ରହିବ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ । ସେପେଟେ ଆଜି ମଧ୍ୟ କୋର୍ଟ କାର୍ଯ୍ୟ ସ୍ବାଭାବିକ ହୋଇପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.