ବଢୁଛି ବଲିଉଡ୍‌ କୁଇନ୍‌ଙ୍କ ଅଡୁଆ: ଗିରଫ ହୋଇପାରନ୍ତି କଙ୍ଗନା !

Published By : Prameya-News7 Bureau | September 15, 2021 IST

ମୁମ୍ବାଇ ୧୫/୦୯ : ଗିରଫ ହୋଇପାରନ୍ତି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ତାଙ୍କ ନାଁରେ ଜାରି ହୋଇପାରେ ଗିରଫ ୱାରେଣ୍ଟ। ଏନେଇ ମୁମ୍ବାଇର ଏକ କୋର୍ଟ କଙ୍ଗନାଙ୍କ ପାଇଁ ଏମିତି ନିର୍ଦ୍ଦେଶନାମା ଜାରି କରିଛନ୍ତି । । ଯଦି ସେ କଥା ନଶୁଣନ୍ତି କି ହଜାର ନହୁଅନ୍ତି ତେବେ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ। ବଲିଉଡ ପ୍ରସିଦ୍ଧ ଗୀତିକାର ଜାବେଦ ଅଖତର କଙ୍ଗନାଙ୍କ ବିରୋଧରେ ଆଣିଥିବା ମାନହାନୀ ମାମଲାର ଶୁଣାଣି କରି ମୁମ୍ବାଇର ଅନ୍ଦେରୀ କୋର୍ଟ ଏହା କହିଛନ୍ତି।

ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ମନହାନୀ ମକଦ୍ଦମା କରିଥିଲେ। ଏହାର ଶୁଣାଣି ମୁମ୍ବାଇର ଅନ୍ଧେରୀ କୋର୍ଟରେ ହୋଇଛି। ତେବେ ଏହି ଶୁଣାଣି ବେଳେ ଜାଭେଦ ଅଖତର ତାଙ୍କ ପତ୍ନୀ ଶବାନା ଆଜମୀଙ୍କ ସହ ଉପସ୍ଥିତ ଥିବାବେଳେ କଙ୍ଗନା କିନ୍ତୁ କୋର୍ଟରେ ହାଜର ହୋଇନଥିଲେ। ଏହାକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ।

କଙ୍ଗନାଙ୍କ ଓକିଲ କହିଥିଲେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନାହିଁ। ଏଥିସହ ସେ ତାଙ୍କର ଫିଲ୍ମ ପ୍ରମୋଶନରେ ସେ ବାହାରକୁ ଯାଇଛନ୍ତି। ତାଙ୍କ ନିକଟରେ କରୋନା ଲକ୍ଷଣ ମଧ୍ୟ ରହିଛି। ତେଣୁ ସେ କୋର୍ଟ ହାଜର ହୋଇପାରି ନଥିବା ନେଇ କଙ୍ଗନାଙ୍କ  ଓକିଲ କୋର୍ଟଙ୍କୁ ଜଣାଇଥିଲେ। ସେପଟେ ଏହାକୁ ନେଇ ଜାବେଦଙ୍କ ଓକିଲ ଯୁକ୍ତ ବାଢ଼ିଥିଲେ ଯେ, କଙ୍ଗନାଙ୍କ ଏହା ଅଭ୍ୟାସ ଏକ ହୋଇଗଲାଣି। ପ୍ରତିଥର ସେ କୌଣସି ନା କୌଣସି କାରଣ ଦେଖାଇ କୋର୍ଟରେ ହାଜର ହେଉନାହାନ୍ତି। ତାଙ୍କୁ ଫେବୃଆରୀ ମାସରୁ ସମନ ହୋଇଛି। କିନ୍ତୁ ସେ କୋର୍ଟରେ ହାଜର ହୋଇନାହାନ୍ତି। ଏହା ତାଙ୍କର ଏକ ସୁଚିନ୍ତିତ ଯୋଜନା ବୋଲି ସେ କହିଥିଲୋ।

ଦୁଇପକ୍ଷର ଯୁକ୍ତ ଶୁଣିବା ପରେ ଅଦାଲତ କଙ୍ଗନାଙ୍କୁ ଆଜି ଦିନକ ପାଇଁ ଛୁଟି ମଞ୍ଜୁର କରିଥିଲେ। ଏଥିସହ ଯଦି ପରବର୍ତ୍ତୀ ଶୁଣାଣି ବେଳେ କଙ୍ଗନା କୋର୍ଟରେ ହାଜର ନହୁଅନ୍ତି ତେବେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଦିଆଯିବ ବୋଲି କୋର୍ଟ କଡା ଭାଷାରେ କହିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ତାରିଖରେ ହେବ। ଗତ ଗୁରୁବାର ଦିନ ଜାବେଦ ଅଖତରଙ୍କ ମାନହାନୀ ମକଦ୍ଦମାରେ ତାଙ୍କ ବିରୋଧରେ ଆରମ୍ଭ ହୋଇଥିବା ତଦନ୍ତକୁ ରଦ୍ଦ କରିବା ପାଇଁ କଙ୍ଗନା କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.