ଶୌଚ ପାଇଁ ଯାଇଥିବା ଦିବ୍ୟାଙ୍ଗ କିଶୋରୀଙ୍କୁ ହାତ ଗୋଡ ବାନ୍ଧି ଦୁଷ୍କର୍ମ: ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ଓ ଲକ୍ଷେ ୨୫ ହଜାର ଅର୍ଥଦଣ୍ଡ

Published By : Prameya-News7 Bureau | October 01, 2021 IST

ଦରଭଙ୍ଗା ୦୧/୧୦ : ପୋସ୍କୋ ଆକ୍ଟର ସ୍ୱତନ୍ତ୍ର ନ୍ୟାୟାଧୀଶ ବିନୟ ଶଙ୍କର ଗୁରୁବାର ଦିନ ବିହାର ଦରଭଙ୍ଗାର କୁଶେଶ୍ୱରସ୍ଥାନ ଥାନା ଅନ୍ତର୍ଗତ ଏକ ଗାଁର ବାସିନ୍ଦା ସନ୍ଦୀପ ରାୟକୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା, ଧାରା ୬ ପୋସ୍କୋ ଆକ୍ଟ ଅନୁଯାୟୀ, ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଅର୍ଥଦଣ୍ଡ, ଧାରା ୩ (୨) ଏସସି-ଏସଟି ଆକ୍ଟରେ ଆଜୀବନ ଓ ୨୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଅର୍ଥଦଣ୍ଡ ରାଶି ନ ଦେଲେ ୬ ମାସ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡିବ।

ମାମଲା ୨୦୧୮ ଅକ୍ଟୋବର ୧୮ ତାରିଖ ସନ୍ଧ୍ୟା ୭ଟା ର। ଅନୁସୂଚିତ ଜାତିର ଦିବ୍ୟାଙ୍ଗ ନାବାଳିକା ନିଜ ଗାଁରେ ଶୌଚ ପାଇଁ ଯାଇଥିଲେ। ସେତେବେଳେ ଅଭିଯୁକ୍ତ ତାଙ୍କ ହାତ ଗୋଡ ବାନ୍ଧି ଦୁଷ୍କର୍ମ କରିଥିଲା। ପୀଡିତା ଘରକୁ ଫେରିବାକୁ ବିଳମ୍ବ କରିବାରୁ ମା' ଓ ଭାଉଜ ଖୋଜିବାକୁ ଗଲେ। ସେମାନେ କ୍ଷେତରେ ପୀଡିତା ଓ ଅଭିଯୁକ୍ତକୁ ଦେଖିଥିଲେ।

ଏ ସମ୍ବନ୍ଧରେ କୁଶେଶ୍ୱରସ୍ଥାନ ଥାନାରେ ମାମଲା ରୁଜ୍ଜୁ କରାଯାଇଥିଲା। ନ୍ୟାୟାଳୟରେ ପୋଲିସ ଦ୍ୱାରା ଅଭିଯୁକ୍ତ ବିରୋଧରେ ଆରୋପ ପତ୍ର ସମର୍ପିତ କରିବା ପରେ ୨୦୧୯ ମେ' ୩ ତାରିଖରେ କୋର୍ଟ ବିଚାରକୁ ନେଇଥିଲେ। ଜୁଲାଇ ୧୧ ରେ ନ୍ୟାୟାଳୟରେ ଅଭିଯୁକ୍ତ ବିରୋଧରେ ଆରୋପ ଗଠନ କରାଯାଇଥିଲା। ମାମଲାରେ ପୋଲିସ ଓ ଚିକିତ୍ସକ ସମେତ ୮ ଜଣ ସାକ୍ଷ୍ୟ ଦେଇଥିଲେ। ଅଭିଯୁକ୍ତକୁ ନ୍ୟାୟାଳୟ ଗତ ସେପ୍ଟେମ୍ବର ୨୩ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ। ଅଭିଯୁକ୍ତ ଘଟଣା ପରଠାରୁ ଲଗାତାର ନ୍ୟାୟିକ ହେପାଜତରେ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.