Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇଏନଏକ୍ସ ମିଡିଆ ମାମଲା: ଆଉ ୭ ଦିନ ଇଡି ହାଜତକୁ ଗଲେ ଚିଦାମ୍ବରମ

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ପୁଣି ଝଟକା। ଗୁରୁବାର ରାଉଜ୍ ଏଭେନ୍ୟୁ କୋର୍ଟ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଙ୍କ ହାଜତକୁ ପଠାଇ ଦେଇଛନ୍ତି। ଚିଦାମ୍ବରମ ସେଠାରେ ଅକ୍ଟୋବର ୨୪ ତାରିଖ ଅର୍ଥାତ ଆସନ୍ତା ୭ ଦିନ ଯାଏଁ ଅବସ୍ଥାନ କରିବେ। ତେବେ ଇଡିଙ୍କ ହାଜତରେ ତାଙ୍କୁ ଘର ରନ୍ଧା ଖାଦ୍ୟ ଖାଇବା ସମେତ ୱେଷ୍ଟର୍ଣ୍ଣ କମୋଡ ଶୌଚାଳୟ ଓ ନିଜ ସହ ଔଷଧ ରଖି ପାରିବେ ବୋଲି ଅନୁମତି ଦେଇଥିବା ଜଣାପଡିଛି।

ତେବେ କୋର୍ଟ ଚିଦାମ୍ବରମଙ୍କୁ ଇଡିଙ୍କ ହାଜତକୁ ଛାଡିବା ପୂର୍ବରୁ ତାଙ୍କର ବିଚାରବିଭାଗୀୟ ହାଜତ ମିଆଦକୁ ସମ୍ପ୍ରସାରିତ କରିଥିଲେ। ଇଡିଙ୍କ ସ୍ୱତନ୍ତ୍ର ହାଜତରେ ଚିଦାମ୍ବରମ ୭ ଦିନ ରହିବେ।  ଇଡି ଆଇଏନଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାରେ ଚିଦାମ୍ବରମଙ୍କୁ ୧୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ। ହେଲେ କୋର୍ଟ ଏଥିଲାଗି ମାତ୍ର ୭ ଦିନ ମଞ୍ଜୁର କରିଛନ୍ତି। ତେବେ ଇଡିଙ୍କ ନିବେଦନ ଅନୁସାରେ କୋର୍ଟ ଚିଦାମ୍ବରମଙ୍କ ବିଚାରବିଭାଗୀୟ ହାଜତ ମିଆଦକୁ ୧୪ ଦିନ ବଢାଇ ଦେଇଛନ୍ତି।

ମାମଲାର ହାଜତ ପଚରା ଉଚରା ଜରୁରି ବୋଲି ସୁପ୍ରିମକୋର୍ଟ ସ୍ୱୀକାର କରିଥିବା ଇଡିଙ୍କ ଓକିଲ ତୁଷାର ମେହେଟା କୋର୍ଟଙ୍କୁ କହିଥିଲେ। ଏଣୁ ଆମେ ଚିଦାମ୍ବରମଙ୍କୁ ବୁଧବାର ଗିରଫ କରିସାରିଛୁ ବୋଲି ଅଦାଲତକୁ ସୂଚିତ କରିଥିଲେ। ଆମ ପାଖରେ ତାଙ୍କର ମନି ଲଣ୍ଡ୍ରିଂ ପ୍ରମାଣ ରହିଛି ଓ ମାମଲାରେ ସେ ପ୍ରଥମରୁ ସହଯୋଗ କରିବାକୁ ଆଗ୍ରହୀ ଥିଲେ ବୋଲି ଓକିଲ ମେହେଟା କୋର୍ଟଙ୍କୁ ଜଣାଇଥିଲେ। ତେବେ ପିସିଙ୍କ ଓକିଲ କପିଲ ଶିବଲ ଇଡି ଓକିଲଙ୍କୁ ବିରୋଧ କରିଥିଲେ। ଶିବଲ କହିଥିଲେ ଯେ ସୁପ୍ରିମକୋର୍ଟ ମାମଲାର ହାଜତ ପଚରା ଉଚରା ଜରୁରି ବୋଲି ଯଦି କହିଥିଲେ ତେବେ ସେତେବେଳେ ଇଡି କାହିଁକି ତାଙ୍କୁ ନିଜ ହାଜତକୁ ନେଲେନି। 

ସେହିପରି ଚିଦାମ୍ବରମ ଶେଷ ଥର ଫେବୃଆରୀ ୮ ତାରିଖ ଦିନ ଇଡିରେ ହାଜର ହୋଇଥିଲେ। ତା ପରେ ତାଙ୍କୁ ସିବିଆଇ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ପୋଲିସ ହାଜତ ଓ ପରେ ପୁଣି ବିଚାରବିଭାଗୀୟ ହାଜତ ଏପରି ୬୦ ଦିନ ଚିଦାମ୍ବରମ ହାଜତରେ ବିତାଇ ସାରିଲେଣି ବୋଲି ଶିବଲ ତର୍କ କରିଥିଲେ। ୬୦ ଦିନ ହାଜତ ମିଆଦରେ ଇଡିଙ୍କୁ ସମୟ ମିଳିଲାନି ଏବେ ମିଆଦ ପୁରଣ ହେବା ପରେ ଇଡିଙ୍କ ମନେ ପଡିଲା । ବାସ୍ତବରେ ଇଡି କ’ଣ ଚାହାନ୍ତି  ବୋଲି ଶିବଲ ପ୍ରଶ୍ନ କରିଥିଲେ।

ଇଡିଙ୍କ ରିମାଣ୍ଡ ପିଟିସନ ୫ ସେପ୍ଟେମ୍ବର ପୂର୍ବର ବୋଲି ଶିବଲ କୋର୍ଟଙ୍କୁ କହିବା ସହ ତାଙ୍କ ନିକଟରେ ନୂଆ କ’ଣ ଅଛି ବୋଲି ପଚାରିଥିଲେ। ଯଦି ଇଡିଙ୍କୁ ସେହି ପୁରୁଣା ଦଲିଲ ଉପସ୍ଥାପନ କରିବାର ଥିଲା ତେବେ ସେପ୍ଟେମ୍ବର ୫ ପୂର୍ବରୁ ଇଡି କାହିଁକି ତାଙ୍କୁ ଗିରଫ କଲେନି। ଇଡି ଜାଣିଶୁଣି ଚିଦାମ୍ବରମଙ୍କୁ ହଇରାଣ କରୁଥିବା ଶିବଲ କୋର୍ଟଙ୍କୁ କହିଥିଲେ। ତେବେ ଇଡିଙ୍କ ହଜାତ ମିଆଦରେ ତାଙ୍କ ଲାଗି ଏୟାରକଣ୍ଡିସନ ରୁମ ସମେତ ୱେଷ୍ଟର୍ଣ୍ଣ ଶୌଚାଳୟ ଓ ଘରର ଖାଦ୍ୟ ଖାଇବା ଲାଗି କୋର୍ଟଙ୍କୁ ଶିବଲ ନିବେଦନ କରିଥିଲେ। ଯାହାକୁ କୋର୍ଟ ମଞ୍ଜୁର କରିଛନ୍ତି।

179 Views

   ସମ୍ବନ୍ଧିତ ଖବର