ଶାହିନ ବାଗ୍ ନେଇସୁପ୍ରିମକୋର୍ଟଙ୍କ ମନ୍ତବ୍ୟ, ଆନ୍ଦୋଳନ ହେଉ,ସଡକ ଅବରୋଧ ନହେଉ
26/02/2020 at 6:54 PM

ନୂଆଦିଲ୍ଲୀ ୨୬।୨: ଶାହିନ ବାଗ୍କୁ ନେଇ ସୁପ୍ରିମକୋର୍ଟ ବୁଧବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜଷ୍ଟିସ୍ ସଞ୍ଜୟ କିଶନ କୌଲ ଓ ଜଷ୍ଟିସ୍ କେ.ଏମ.ଯୋଶେଫଙ୍କ ଦ୍ୱିସଦସୀୟ ଖଣ୍ଡପୀଠ ଲୋକଙ୍କୁ ବିରୋଧ କରିବାକୁ ମନା ନାହିଁ ଏକଥା ବାରମ୍ବାର କୋର୍ଟ କହି ପାରିବେନି ବୋଲି କହିଥିବା ବେଳେ ଏଥିଲାଗି ସଡକ ଅବରୋଧ ନ ହେଉ ବୋଲି ତାଗିଦ୍ କରିଛନ୍ତି।

ଖଣ୍ଡପୀଠ କହିଥିଲେ ଯେ ଉପୁଜିଥିବା ପରିସ୍ଥିତିରେ ପ୍ରଶାସନକୁ ଅଟକାଇ ଆମେ ବାକ୍ସ ବାହାରକୁ ଯାଇ କିଛି କରିବାକୁ ଉଦ୍ୟମ କରିଥିଲୁ। ଏ ନେଇ ରିପୋର୍ଟ ବି ମିଳିଛି। ତେବେ ବିଜେପି ନେତା ନନ୍ଦ କିଶୋର ଗର୍ଗଙ୍କ ପକ୍ଷରୁ ଓକିଲ ଶଶାଙ୍କ ଦେଓ ସୁଦ୍ଧି କୋର୍ଟରେ ପ୍ରସଙ୍ଗ ଉପସ୍ଥାପନ କରି ଅନ୍ତତଃ ଅନ୍ତରିଣ ଆଦେଶ ଦେଇ ରାସ୍ତାରୁ ବିକ୍ଷୋଭକାରୀଙ୍କୁ ହଟାଇବାକୁ ନିବେଦନ କରିଥିଲେ। ସୁଧି କହିଥିଲେ ଯେ ଗଣତନ୍ତ୍ରରେ ମିଳିଥିବା ବିରୋଧ କରିବାର ଅଧିକାରକୁ ଲୋକେ ଅସ୍ତ୍ର ଭାବେ ଉପଯୋଗ କରୁଛନ୍ତି। ଯାହାର ପରିଣାମ ଏବେ ସମସ୍ତଙ୍କ ସମ୍ମୁଖରେ ବୋଲି କହିଥିଲେ।

ତେବେ କୋର୍ଟ ଆନ୍ଦୋଳନ ଲାଗି ମନା ନାହିଁ ବୋଲି କହିବା ସହ ରାସ୍ତା ଅବରୋଧ କରି କେଉଁଠି ବି ଆନ୍ଦୋଳନ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ କୋର୍ଟ ସାହିନ ବାଗ ମାମଲାର ଶୁଣାଣି କରିବେ ନାହିଁ ବୋଲି କହିଛନ୍ତି। ମାମଲାର ଆଗାମୀ ଶୁଣାଣି ମାର୍ଚ୍ଚ ୨୩ ତାରିଖକୁ ସ୍ଥଗିତ ରଖିଛନ୍ତି। ସେତେବେଳକୁ ପରିସ୍ଥିତି ସୁଧୁରି ଯାଇଥିବ ବୋଲି କୋର୍ଟ ଆଶାବ୍ୟକ୍ତ କରିବା ସହ ମାମଲାର ଶାନ୍ତିପୂର୍ଣ୍ଣ ଶୁଣାଣି ହୋଇପାରିବ ବୋଲି କହିଛନ୍ତି।