ଓ୍ଵାଙ୍ଖଡେଙ୍କୁ ଟାର୍ଗେଟ୍ କରି ଅଡୁଆରେ ନଓ୍ଵାବ ମଲିକ, ହାଇକୋର୍ଟଙ୍କ ନିର୍ଦ୍ଦେଶ- ଟ୍ଵିଟରରେ ଲେଖି ପାରୁଛ, କୋର୍ଟରେ ଆସି ଜବାବ ଦିଅ

Published By : Prameya-News7 Bureau | November 08, 2021 IST

ମୁମ୍ବାଇ ୦୮।୧୧: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଅଧିକାରୀ ସମୀର ଓ୍ଵାଙ୍ଖଡେଙ୍କୁ  ଟାର୍ଗେଟ୍ କରି ଏବେ ଅଡୁଆରେ ଏନସିପି ନେତା ତଥା ମହାରାଷ୍ଟ୍ର ମହା ବିକାଶ ଅଘାଡି ସରକାରରେ ମନ୍ତ୍ରୀ ଥିବା ନଓ୍ଵାବ ମଲିକ। ଏହି ମାମଲାରେ  ନିକଟରେ ସମୀରଙ୍କ ବାପା ଧ୍ୟାନଦେବ ଓ୍ଵାଙ୍ଖଡେ ହାଇକୋର୍ଟରେ ମାନହାନୀ ମୋକଦ୍ଦମା ଦାୟର କରିଥିଲେ। ସୋମବାର ଏହା ଉପରେ ଶୁଣାଣି କରି ବମ୍ଵେ ହାଇକୋର୍ଟ ନଓ୍ଵାବ ମଲିକଙ୍କଠୁ ଜବାବ ମାଗିଛନ୍ତି। କୋର୍ଟରେ ଉତ୍ତର ରଖିବାକୁ  ନଓ୍ଵାବ ମଲିକଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହା ପରେ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ଵର ୧୦ ତାରିଖ ଧାର୍ଯ୍ୟ କରାଯାଇଛି।

ମାମଲାର ଶୁଣାଣି ବିଚାରପତି ଜାମଦାରଙ୍କ ପୀଠ କରିଛନ୍ତି। ମଲିକଙ୍କୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି ଆପଣ ଟ୍ଵିଟରର ଉତ୍ତର ରଖି ପାରୁଛନ୍ତି, ତେବେ କୋର୍ଟରେ ମଧ୍ୟ ଉତ୍ତର ରଖନ୍ତୁ। ହେଲେ କୋର୍ଟ ମଲିକଙ୍କୁ ପରବର୍ତ୍ତୀ ସମୟରେ ବୟାନ ଦେବା ଉପରେ କୌଣସି ରୋକ୍ ଲଗାଇ ନାହାନ୍ତି। ଆର୍ୟନ ଖାନଙ୍କ ଗିରଫଦାରୀ ପରଠୁ ନଓ୍ଵାବ ମଲିକ ଏନସିବିର ଜୋନାଲ୍ ନିର୍ଦ୍ଦେଶକ ଥିବା ଓ୍ଵାଙ୍ଖଡେଙ୍କ ବିରୋଧରେ ନିତିଦିନ ସଙ୍ଗୀନ ଅଭିଯୋଗ ଆଣୁଥିଲେ। ସାମ୍ବାଦିକ ସମ୍ମିଳନୀ କରି ସମୀରଙ୍କ ବିରୋଧରେ ପ୍ରବଳ ବର୍ଷୁଥିଲେ।

ଓ୍ଵାଙ୍ଖଡେଙ୍କ ଓକିଲଙ୍କ ଅନୁସାରେ ମାନହାନୀରେ ଦର୍ଶାଯାଇଛି ଯେ, ମଲିକ ପ୍ରତିଶୋଧପରାୟଣ ହୋଇ ସମୀର ଓ୍ଵାଙ୍ଖଡେଙ୍କ ପରିବାରର ସଦସ୍ୟଙ୍କ ନାମ, ଚରିତ୍ର, ପ୍ରତିଷ୍ଠା ଏବଂ ସାମାଜିକ ଛବିକୁ କ୍ଷୂର୍ଣ୍ଣ କରିଛନ୍ତି। ଓ୍ଵାଙ୍ଖଡେଙ୍କ ବାପା ଧ୍ୟାନଦେବ ଦାବି କରିଛନ୍ତି ଯେ, ମଲିକ ଏବଂ ତାଙ୍କ ପାର୍ଟିର ନେତା ଏବଂ ଅନ୍ୟ ସମସ୍ତଙ୍କୁ ତାଙ୍କ ପରିବାର ବିରୋଧରେ ଗଣମାଧ୍ୟମରେ କିଛି ବି କହିବା ଏବଂ ଲେଖିବା ଉପରେ ରୋକ୍ ଲଗାଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.