ନ୍ୟୁୟର୍କ ବେବି ପାଉଡର ମାମଲା: ୧୨୦ ନିୟୁତ ଡଲାର କ୍ଷତିପୂରଣ ପ୍ରଦାନ ଲାଗି Johnson & Johnsonକୁ କୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | November 21, 2020 IST

ନ୍ୟୁୟର୍କ : ବ୍ରୁକଲିନର ଜନୈକ ମହିଳା ଡୋନା ଓଲସନ (୬୭) ଓ ତାଙ୍କ ସ୍ୱାମୀ ରବର୍ଟ ଓଲସନ (୬୫) ଙ୍କୁ ୧୨୦ ନିୟୁତ ଡଲାର କ୍ଷତିପୂରଣ ପ୍ରଦାନ ଲାଗି ନ୍ୟୁୟର୍କ କୋର୍ଟ ଜନସନ୍ ଏଣ୍ଡ ଜନସନ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବେବି ପାଉଡରରେ ଆଜବେଷ୍ଟସ୍‌ର ଉପସ୍ଥିତି ଲାଗି ସେମାନେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ କରି ଜନସନ୍‌ଏଣ୍ଡ ଜନସନ୍‌ଙ୍କ  ବିରୋଧରେ କୋର୍ଟଙ୍କ ଶରଣାପନ୍ନ ହୋଇଥିଲେ।

ମାମଲାରେ କୋର୍ଟ ଦମ୍ପତ୍ତିଙ୍କୁ ସେମାନଙ୍କ କ୍ଷତି ଲାଗି ୩୨୫ ନିୟୁତ ଡଲାର କ୍ଷତିପୂରଣ ଦେବା ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମାନହଟ୍ଟନ ସୁପ୍ରିମକୋର୍ଟ ଦୀର୍ଘ ୧୪ ସପ୍ତାହର ଶୁଣାଣି କରି ମେ ୨୦୧୯ରେ କ୍ଷତିପୂରଣ ରାଶିକୁ ହ୍ରାସ କରିଦେଇଥିଲେ। ମାମଲାର ଶୁଣାଣି କରୁଥିବା ବିଚାରପତି ଜଷ୍ଟିସ୍‌ ଗେରାଲ୍ଡ ଲେବୋଭିଟସ୍‌ ଗତ ନଭେମ୍ବର ୧୧ ତାରିଖରେ ଚୂଡ଼ାନ୍ତ  ରାୟ ଦେଇଥିଲେ। ଏଥିରେ ଓଲସନ ଦମ୍ପତ୍ତିଙ୍କ କ୍ଷତିକୁ ବିଚାରପତି ବହୁତ ଅଧିକ ବୋଲି ଉଲ୍ଲେଖ କରିଥିବା ବେଳେ ଏଥିଲାଗି ସେମାନେ ହୁଏତ ୧୨୦ ନିୟୁତ ଡଲାର ଗ୍ରହଣ କରିପାରନ୍ତି କିମ୍ବା  ଅଧିକ ରାଶି ନିମନ୍ତେ ନୂଆ ଆବେଦନ କରିପାରନ୍ତି ବୋଲି କହିଥିଲେ।

ମାମଲାରେ କୋର୍ଟ ବୁଧବାର ସର୍ବନିମ୍ନ ପୈଠ ଧାର୍ଯ୍ୟ କରିଛନ୍ତି। କୋର୍ଟଙ୍କ ରେକର୍ଡ ମୁତାବକ ଏଥିରେ କ୍ଷତିପୂରଣ ବାବଦକୁ ୧୫ ନିୟୁତ ଡଲାର, ଦଣ୍ଡ ବାବଦକୁ ୧୦୫ ନିୟୁତ ଡଲାର ଏବଂ ମୂଳ ଦଣ୍ଡ ବାବଦକୁ ଯଥାକ୍ରମେ ୨୫ ନିୟୁତ ଓ ୩୦୦ ନିୟୁତ ଡଲାର କ୍ଷତିପୂରଣ ପ୍ରଦାନ ଲାଗି ନିର୍ଦ୍ଦେଶ ରହିଛି। ତେବେ କ୍ଷତିପୂରଣକୁ ନେଇ କୋର୍ଟଙ୍କ ରାୟରେ ଗୁରୁତର ଆଇନଗତ ଓ ସ୍ପଷ୍ଟିକରଣ ଜନିତ ତ୍ରୁଟି ରହିଛି ଓ ଏହା ବିରୋଧରେ ଜନସନ ଏଣ୍ଡ ଜନସନ୍‌ ଆବେଦନ କରିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.