ନୂଆଦିଲ୍ଲୀ ୬/୬ : ଦିଲ୍ଲୀର ଏକ କୋର୍ଟ ଜଣେ ଯୁବକଙ୍କୁ ଏକ ଅଜବ ସଯା ଶୁଣାଇଛନ୍ତି । ମଦ ପିଇ ଗାଡି ଚଳାଉଥିବା ଯୁବକଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ ୭ ଘଣ୍ଟା ଲେଖାଏଁ ପ୍ରତିଦିନ ଵୃଦ୍ଧାଶ୍ରମରେ ସେବା କରିବା ପାଇଁ ସଯା ଶୁଣାଇଛନ୍ତି କୋର୍ଟ । ଅତିରିକ୍ତ ବିଚାରପତି ସୋନୁ ଅଗ୍ନିହୋତ୍ରୀ ମଙ୍ଗଳବାର ଦିନ ଟ୍ରାଏଲ କୋର୍ଟଙ୍କ ଆଦେଶ ଅନୁଯାୟୀ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ତାଙ୍କୁ ୨ ଦିନ ଜେଲ ଦଣ୍ଡ ନଦେଇ ସମାଜସେବା କରିବା ପାଇଁ ସଯା ଶୁଣାଇଛନ୍ତି ।
ଏହାଛଡା ୨ ସପ୍ତାହ ପରେ ଵୃଦ୍ଧାଶ୍ରମରେ ସେବା କରିବାର ପ୍ରତିଦିନର ଫଟୋ ଜମା କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଆଶ୍ରମ ମ୍ୟାନେଜରଙ୍କୁ ଯୁବକଙ୍କ ଉପସ୍ଥିତି ପ୍ରମାଣିତ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏହା ପୁର୍ବରୁ ଟ୍ରାଏଲ କୋର୍ଟ ଯୁବକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲେ ।
{"id":120201}ଦୋଷୀ ଯୁବକ ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି । ଘଟଣା ପରେ ଯୁବକ ଟ୍ରାଏଲ କୋର୍ଟଙ୍କ ଆଦେଶ ବିରୋଧରେ ମାଟ୍ରୋପଲିଟନ ମାଜିଷ୍ଟେଟ କୋର୍ଟରେ ଆବେଦନ କରିଥିଲେ । ଟ୍ରାଏଲ କୋର୍ଟ ତାଙ୍କୁ ୨ ଦିନ କାରାଦଣ୍ଡ ଓ ୨ ହଜାର ଟଙ୍କା ଜୋରିମାନା ଶୁଣାଇଥିଲେ । ଏହାସହ ୬ ମାସ ପର୍ଯ୍ୟନ୍ତ ଲାଇସେନ୍ସ ରଦ୍ଦ କରିଦେଇଥିଲେ ।
ଅତିରିକ୍ତ ବିଚାରପତି ସୋନୁ ଅଗ୍ନିହୋତ୍ରୀ କହିଥିଲେ ଯେ, ଯୁବକଙ୍କ ଘରେ ସେ ଜଣେ ହିଁ ରୋଜଗାରକ୍ଷମ । ସେ ପ୍ରଥମଥର ପାଇଁ ମଦ ପିଇ ଗାଡି ଚଳାଉଥିଲେ । ସେଥିପାଇଁ ତାଙ୍କୁ ଅଧିକ ସଯା ଶୁଣାଯାଇନାହିଁ ।