ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଅଜହର ପାଇଁ ଆରେଷ୍ଟ ଓ୍ବାରେଣ୍ଟ ଜାରି, ଜାନୁୟାରୀ ୧୮ ସୁଦ୍ଧା ଗିରଫ କରି ହାଜର କରିବାକୁ କୋର୍ଟଙ୍କ ନିର୍ଦେଶ

Published By : Prameya-News7 Bureau | January 09, 2021 IST

ନୂଆଦିଲ୍ଲୀ ୦୯/୦୧ : ପାକିସ୍ତାନର ଆତଙ୍କବାଦୀ ବିରୋଧୀ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣୀ କରି ରାୟ ଶୁଣାଇଛନ୍ତି । ମିଳିତ ଜାତିସଂଘ ଦ୍ବାରା ଆତଙ୍କବାଦୀ ଘୋଷିତ ହୋଇଥିବା ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଅଜହରକୁ ଜାନୁୟାରୀ ୧୮ ତାରିଖ ସୁଦ୍ଧା ଗିରଫ କରିବାକୁ ପଞ୍ଜାବ ପୋଲିସକୁ ନିର୍ଦେଶ ଦେଇଛନ୍ତି ପାକିସ୍ତାନ କୋର୍ଟ । ଆତଙ୍କବାଦୀ ପାଣ୍ଠି ମାମଲାର ଶୁଣାଣି କରି ଆରେଷ୍ଟ୍ ଓ୍ବାରେଣ୍ଟ ଜାରି କରିଛନ୍ତି ଆତଙ୍କବାଦ ନିରୋଧି କୋର୍ଟ ।

ଶୁକ୍ରବାର ଦିନ ଶୁଣାଣି ବେଳେ ଏଟିସି ଗୁଜରାନୱାଲା ଜଜ୍ ନତାଶା ନାସିମ୍ ସୁପ୍ରା, ଜୈଶ-ଏ-ମହମ୍ମଦର କିଙ୍ଗପିନ୍ ମାସୁଦ ଅଜହରଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ସିଟିଡି ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଆଜହର ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଏବଂ ଆତଙ୍କବାଦୀ ସାମଗ୍ରୀର ପ୍ରଚାର ପ୍ରସାର ଅଭିଯୋଗ ମାମଲାର ସମ୍ମୁଖୀନ ହୋଇଥିଲା ।

ଗୁରୁବାର ଦିନ ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେବା ଅଭିଯୋଗରେ ଜୈଶ-ଏ-ମହମ୍ମଦ (ଜେଏମ) ମୁଖ୍ୟ ମାସୁଦ ଅଜହରଙ୍କୁ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ପଞ୍ଜାବ ପୋଲିସର ଆତଙ୍କବାଦ ନିରୋଧୀ ବିଭାଗ (ସିଟିଡି) ଦ୍ବାରା ଜୈଶର ଆଉ କିଛି ସଦସ୍ୟଙ୍କ ବିରୁଦ୍ଧରେ ମଧ୍ୟ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି ।

ତେବେ ମିଳିଥିବା ସୂଚନା ଅନୂସାରେ ମାସୁଦ ଅଜହର ପାକିସ୍ତାନର ବାହାବଲପୁରରେ ସୁରକ୍ଷିତ ସ୍ଥାନରେ ଲୁଚି ରହିଛି । କୋର୍ଟଙ୍କ ଆରେଷ୍ଟ ଓ୍ବାରେଣ୍ଟ ପରେ ବର୍ତ୍ତମାନ ପାକିସ୍ତାନ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ପୂର୍ବରୁ ମଧ୍ୟ ଅନେକ ମାମଲାରେ ପାକିସ୍ତାନ ପୋଲିସ ଏବଂ ସେନା ଉଭୟ, ଦୁର୍ଦ୍ଦାନ୍ତ ଆତଙ୍କବାଦୀମାନଙ୍କୁ ସୁରକ୍ଷା ଦେଇଆସିଛନ୍ତି । ତେବେ ବର୍ତ୍ତମାନ ପାକିସ୍ତାନ ପୋଲିସ କଣ ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.