ଝିଅ ବାହାଘରରେ ଷଣ୍ଢ ପୁରାଇଲେ ବାପା : କୋର୍ଟରେ ଯାଇ କହିଲେ ମୋ ଝିଅ କୋଭିଡ-୧୯ ପଜିଟିଭ୍, ଫାଇଲ ବନ୍ଦ କରି ପଳେଇଲେ ଓକିଲ

Published By : Prameya-News7 Bureau | July 25, 2020 IST

ଖାଣ୍ଡୱା ୨୫/୦୭ : ମଧ୍ୟପ୍ରଦେଶ ଖାଣ୍ଡୱାରେ ଏକ ଅଭାବନୀୟ ଘଟଣା ଘଟିଛି | ଜଣେ ୧୯ ବର୍ଷ ବୟସ୍କ ଯୁବତୀ ବିବାହ କରିବାକୁ କୋର୍ଟକୁ ଯାଇଥିବାବେଳେ ତାଙ୍କୁ ସେଠାରୁ ବିଦା କରିଦିଆଯାଇଛି | ଯୁବତୀ ଜଣକ ଜଣେ ଯୁବକଙ୍କ ସହିତ କୋର୍ଟକୁ ଯାଇଥିଲେ ଯାହାକୁ ସେ ବିବାହ କରିବାକୁ ଚାହୁଁଥିଲେ | କିନ୍ତୁ ଠିକ ସମୟରେ ଯୁବତୀଙ୍କ ବାପା ଆସି କହିଥିଲେ ଯେ ତାଙ୍କ ଝିଅ କରୋନା ସଂକ୍ରମିତ | ତେବେ ଯୁବତୀଙ୍କର କରୋନା ରିପୋର୍ଟ ଏବେ ସୁଦ୍ଧା ଆସିନି | କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବାନୁଯାୟୀ, ଯୁବତୀ ଜଣକ ୧୪ ଦିନ ହେଲା ହୋମ ଆଇସୋଲେସନରେ ଥିଲେ |

ସୋମବାର ଦିନ ଖାଣ୍ଡୱା ଅନ୍ତର୍ଗତ ଭଲାଇ ଗାଁର ଯୁବକ ଯୁବତୀ ଜିଲ୍ଲା କୋର୍ଟକୁ ବିବାହ ପାଇଁ ଆବେଦନ କରିବାକୁ ଯାଇଥିଲେ | ସେମାନଙ୍କ ସହିତ ତାଙ୍କର ବନ୍ଧୁ ମଧ୍ୟ ଥିଲେ | ଓକିଲ ବୀରେନ୍ଦ୍ର ବର୍ମା ଉଭୟଙ୍କ କାଗଜପତ୍ର ଯାଞ୍ଚ କରିବ ସମୟରେ ହଠାତ ସେଠାରେ ଯୁବତୀଙ୍କ ବାପା ପହଞ୍ଚି ଯାଇଥିଲେ ଏବଂ ଓକିଲଙ୍କୁ ଅଟକାଇ ଦେଇଥିଲେ | ଯୁବତୀଙ୍କ ବାପା ଓକିଲ ବୀରେନ୍ଦ୍ର ବର୍ମାଙ୍କୁ କହିଥିଲେ ଯେ ତାଙ୍କ ଝିଅ କରୋନା ପଜିଟିଭ | ଏତିକି ଶୁଣି ବୀରେନ୍ଦ୍ର ବର୍ମା ଛାନିଆ ହୋଇଯାଇଥିଲେ | ସେ ସଙ୍ଗେ ସଙ୍ଗେ ଯୁବତୀଙ୍କୁ ସେଠାରୁ ଯିବାକୁ କହିଥିଲେ | ଟାଇମ୍ସ ଅଫ ଇଣ୍ଡିଆକୁ ବୀରେନ୍ଦ୍ର ବର୍ମା କହିଛନ୍ତି ଯେ, ଉଭୟ ଯୁବକ ଯୁବତୀଙ୍କ ବାହା ବୟସ ହୋଇଯାଇଛି | ଉଭୟଙ୍କ ମଧ୍ୟରେ କରୋନାର କୌଣସି ଲକ୍ଷଣ ନଥିଲା | ଉଭୟ ସୁସ୍ଥ ଜଣାପଡୁଥିଲେ | କିନ୍ତୁ ଯୁବତୀଙ୍କ ବାପା ଏହି ବାହାଘରରେ ରାଜି ନଥିବା ଭଳି ଜଣାପଡୁଛି | ଯେଉଁଥିପାଇଁ ସେ ଠିକ ସମୟରେ ଆସି କରୋନା ବାହାନାରେ ବାହାଘର ଆବେଦନକୁ ଅଟକାଇ ଦେଇଥିଲେ |

ତେବେ ଓକିଲ ବୀରେନ୍ଦ୍ର ବର୍ମା କହିଛନ୍ତି ଯେ, ଯେହେତୁ ଯୁବତୀଙ୍କ ବାପା ନିଜେ ଆସି ତାଙ୍କ ଝିଅ କରୋନା ସଂକ୍ରମିତ ହୋଇଥିବା କହିଥିଲେ, ସେମାନଙ୍କୁ ଘରକୁ ପଠାଇବା ଛଡା ତାଙ୍କ ପାଖରେ ଆଉ କିଛି ଉପାୟ ନଥିଲା | ଯୁବତୀଙ୍କ ବାପା ତାଙ୍କ ଝିଅ ସଂକ୍ରମିତ ହୋଇଥିବା କହିବା ପରେ କୋର୍ଟରେ ଉପସ୍ଥିତ ଓକିଲ ଓ ଅନ୍ୟ ସବୁ କର୍ମଚାରୀ ନିଜ ଜିନିଷପତ୍ର ଧରି ନିଜ ନିଜ ଘରକୁ ଚାଲି ଯାଇଥିଲେ | ଓକିଲ ବୀରେନ୍ଦ୍ର ବର୍ମା କହିଛନ୍ତି ସେ ଘରକୁ ଯାଇ ତୁରନ୍ତ ଗାଧେଇ ପଡ଼ିଥିଲେ ଏବଂ ସତର୍କତା ପଦକ୍ଷେପ ନେଇ ଗରମ ପାଣି ପିଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.