ସ୍ବାମୀ-ସ୍ତ୍ରୀଙ୍କ ଛାଡ଼ପତ୍ରକୁ ନେଇ କୋର୍ଟଙ୍କ ଐତିହାସିକ ରାୟ, ମା’କୁ ୭୬୦ କୋଟି ଟଙ୍କା ଦେବ ପୁଅ

Published By : Prameya-News7 Bureau | April 23, 2021 IST

ଲଣ୍ଡନ ୨୩/୪: ମା-ବାପାଙ୍କ ଛାଡ଼ପତ୍ରରେ ପୁଅ ଦେବ ଭରଣପୋଷଣ । ଏମିତି ରାୟ ଶୁଣାଇଛନ୍ତି କୋର୍ଟ । ମାଙ୍କୁ ଭରଣପୋଷଣ ବାବଦକୁ ପୁଅ ୧୦୦ ମିଲିୟନ ଡଲାର (ଭାରତୀୟ ମୂଦ୍ରାରେ ପ୍ରାୟ ୭୬୦ କୋଟି ଟଙ୍କା) ଦେବ। ଆଜିର ଆଧୁନିକ ଯୁଗରେ ଛାଡ଼ପତ୍ର ଏକ ଫେସନ୍‌ରେ ପରିଣତ ହୋଇଛି। ଛାଡ଼ପତ୍ର ପରେ ରୋଜଗାରିଆ ସ୍ବାମୀ ସ୍ତ୍ରୀକୁ ଭରଣପୋଷଣ ଦିଅନ୍ତି। ଏନେଇ କୋର୍ଟ ଧାର୍ଯ୍ୟ କରନ୍ତି। ତେବେ ବ୍ରିଟେନ୍‌ର ଏକ କୋର୍ଟ ମା’କୁ ପୁଅ ଟଙ୍କା ଦେବ ବୋଲି ନିର୍ଦେଶ ଦେଇଛନ୍ତି। ଏହା ପଛର କାରଣ ମଧ୍ୟ ବିଚିତ୍ର।

କାରଣ ପୁଅ ତୈମୁର ଆରବପତି ବାପ ଫରହାଦ ଅଖମେଦୋବଙ୍କ ସମ୍ପତିକୁ କୌଣସି ମତେ ଲୁଚାଇବାକୁ ଚେଷ୍ଟା କରିଥିଲା। ସମ୍ପତି ଏବଂ ଟଙ୍କା ଲୁଚାଇବା ଫଳରେ ତା ମାଙ୍କୁ ଭରଣପୋଷଣ ବାବଦକୁ ୬୨୭ ମିଲିୟନ ଡଲାର ଦେବାକୁ ପଡ଼ିବନି ବୋଲି ତୈମୁର ଭାବିଥିଲା। ଏନେଇ କୋର୍ଟ ଜାଣିପାରିବା ପ​‌ରେ ତୈମୁରକୁ ୭୬୦ କୋଟି ଟଙ୍କା ଦେବାକୁ ନିର୍ଦେଶ ଦେଇଛନ୍ତି। ବ୍ଲୁମବର୍ଗରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଟଙ୍କା ଲୁଚାଇବା କାମ ତୈମୁର ନିଜ ବାପାଙ୍କ ପାଖରୁ ଶିଖିଛି ବୋଲି କୋର୍ଟ କହିଥିଲେ। ଏହା କରି ସେ ନିଜ ମାକୁ ବୈବାହିକ ସମ୍ପତ୍ତିରୁ ଭାଗ ନଦେବାକୁ ସ୍ଥିର କରିଥିବା ବି କୋର୍ଟ ଜାଣିବାକୁ ପାଇଥିଲେ।

ସେପଟେ ତୈମୁରର ମା ତାତିୟାନା ଛାଡ଼ପତ୍ର ପରେ ନିଜ ସ୍ବାମୀଙ୍କ ପାଖରୁ ଲଣ୍ଡନରେ ଥିବା ଏକ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ ପାଇବାକୁ ଚାହିଁଥିଲେ। ସେ ଏହାକୁ ବିକି ଟଙ୍କା ହାସଲ କରିଥାନ୍ତେ। ଏନେଇ ଜାଣିଥିଲା ତୈମୁର। ମିଳିଥିବା ରିପୋର୍ଟ ଅନୁସାରେ ଫରହାଦ ଆଜରବୈଜାନରେ ଜନ୍ମ ହୋଇଥିବା ବେଳେ ନଭେମ୍ବର ୨୦୧୨ରେ ୧.୪ ଆରବ ଡଲାରର ଋଷ ଗ୍ୟାସ୍‌ କମ୍ପାନୀରୁ ନିଜର ଅଂଶ ବିକି ଏକ ବଡ଼ ସାମ୍ରାଜ୍ୟ ଗଠନ କରିଥିଲେ ।

କିନ୍ତୁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେବା ସହ କୌଣସି ପ୍ରକାର ଭରଣପୋଷଣ ଦେବାକୁ ମନାକରିଦେଇଥିଲେ। ତେଣୁ ତାତିୟାନା ତାଙ୍କ ବିରୋଧରେ ୬ ଟି ଦେଶରେ ଏତଲା ଦେଇଥିଲେ। ସେପଟେ କୋର୍ଟଙ୍କ ରାୟକୁ ଭୁଲ ବୋଲି କହିଛନ୍ତି ଫରହାଦ । ବାରମ୍ବାର ଥାନା ଏବଂ କୋର୍ଟର ଚକ୍କର କାଟିବା ସହ ତାତିୟାନା କୌଣସି ମତେ ୧୧୫ ବର୍ଗ ମିଟର ଆଇତନର ଦୁବାଇରେ ଏକ ଜାଗା ନିଜ ନାଁରେ କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.