କୋର୍ଟରେ କୁନି ଶିଶୁର ବୟାନ : 'ମା ଓଢଣୀରେ ସାଇଶ୍ରୀର ତଣ୍ଟି ଚିପିଦେଲା, ନିଜେ ଶୋଇଗଲା'

Published By : Prameya-News7 Bureau | June 17, 2020 IST

ଭୁବନେଶ୍ୱର ୧୭।୦୬ : ଆ.. ନୂଆ ଗେମ୍‌ ଖେଳିବା… ଏମିତି କହି ସାଇଶ୍ରୀ ବେକରେ ପ୍ରଥମେ ଓଢ଼ଣି ଗୁଡ଼ାଇ ଚିପିବାକୁ ଲାଗିଲା ମା’ । ସାଇଶ୍ରୀ ଚିତ୍କାର କରି ୨ ମିନିଟ୍‌ରେ ଚୁପ୍‌ ହୋଇଗଲା । ତା’ପରେ କ’ଣ ହେଲା କେଜାଣି ମା’ ନିଜ ବେକରେ ଲୁଗାକୁ ଗୁଡ଼ାଇ ଟାଣି ଧରିଲା । ଟିକେ ପରେ ନିଜେ ବି ଶୋଇ ପଡ଼ିଲା । ଅଦାଲତରେ ଏମିତି କିଛି ଚାଞ୍ଚଲ୍ୟକର ବୟାନ ଦେଇଛି ରାଜୀବନଗର ସାଇଶ୍ରୀ ପାତ୍ର(୫)ର ହତ୍ୟା ଅଭିଯୁକ୍ତ ତନୁଶ୍ରୀ ପରମାଣିକଙ୍କ କୁନି ଝିଅ ପୁନମ(୬) । ଏହି ବୟାନ ଚର୍ଚ୍ଚିତ ହତ୍ୟାକାଣ୍ଡର ରହସ୍ୟରୁ ପ୍ରାୟ ପରଦା ହଟାଇଛି ।  

ଏସ୍‌ଡିଜେଏମ୍‌ କୋର୍ଟରେ ସିଆର୍‌ପିସିର ଧାରା ୧୬୪ ରେ କୁନି ଝିଅଙ୍କ ବୟାନ ରେକର୍ଡ କରାଯାଇଛି । ବୟାନ ରେକର୍ଡ ବେଳେ ବିଚାରପତିଙ୍କ ପ୍ରଶ୍ନର ଉତ୍ତର ପୁନମ୍‌ ହିନ୍ଦୀ ଭାଷାରେ ରଖିଥିଲେ । ଘଟଣା ସମ୍ପର୍କରେ ବଖାଣି ପୁନମ୍‌ କହିଥିଲେ, ଆଗ ଭଳି ସାଇଶ୍ରୀ ଆଉ ମୁଁ ସେଦିନ ବି ବାହାରେ ଖେଳୁଥିଲୁ । ଘର ଭିତରେ ଖେଳିବାକୁ ମା’ ଡାକିଲା । କିନ୍ତୁ ମୁଁ ରାଜି ହେଲିନି । ମା’ ମତେ ଘୋଷାଡି଼ ଘୋଷାଡି଼ ଘର ଭିତରକୁ ନେଇଗଲା । ସାଇଶ୍ରୀ ତା’ ଘରକୁ ପଳାଇଲା । ମୁଁ କାନ୍ଦିବାରୁ ମତେ ୟାଡ଼ୁ ସିଆଡ଼ୁ କହିଲା । କିଛି ସମୟ ପରେ ପୁଣି ସାଇଶ୍ରୀକୁ ଡାକି ଆମ ବେଡ୍‌ ରୁମ୍‌କୁ ଆଣିଥିଲା । ତାପରେ ମତେ କହିଲା, ଚାଲ୍‌ ଗୋଟେ ନୂଆ ଗେମ୍‌ ଖେଳିବା । ଏମିତି କହି ନିଜ ଓଢ଼ଣିକୁ ସାଇଶ୍ରୀ ବେକରେ ଗୁଡ଼ାଇ ଦେଲା । ସାଇଶ୍ରୀ କାନ୍ଦିବାରୁ ତା’ ବେକକୁ ଜୋର୍‌ରେ ଚାପିବାକୁ ଲାଗିଲା । ସାଇଶ୍ରୀ ଶୋଇପଡି଼ବା ଦେଖି ମା’ ଇଆଡ଼େ ସିଆଡ଼େ ଅନେଇଥିଲା । ବାହାରେ ବୁଲି ପୁଣି ରୁମ୍‌କୁ ଆସିଲା । ପରେ ନିଜ ବେକକୁ ସେଇ ଓଢ଼ଣିରେ ଗୁଡ଼ାଇ ଶୋଇ ପଡି଼ଲା ।  କୋର୍ଟରେ ପୁନମ୍‌ର ବୟାନ ରେକର୍ଡ ପରେ ତଦନ୍ତ ପ୍ରକ୍ରିୟାକୁ ଆଗେଇଛି ଖଣ୍ଡଗିରି ଥାନା ପୁଲିସ୍‌ । କହିଛି, ପୁନମ୍‌ ହିଁ ଏକମାତ୍ର ସାକ୍ଷୀ ଭାବେ ଘଟଣାସ୍ଥଳରେ ଥିଲା । ତା’ ବୟାନ ତଦନ୍ତ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ପୂର୍ବରୁ ଘଟଣା ସମ୍ପର୍କରେ ତା’ଠୁ ପଚାରି ବୁଝିଥିଲୁ । ଅସୁସ୍ଥତା ଯୋଗୁଁ ତନୁଶ୍ରୀଙ୍କ ଜେରାରେ ବିଳମ୍ବ ହେଉଛି । ସେପଟେ ପୁନମ୍‌ର ଅଳ୍ପ ବୟସ କାରଣରୁ ଘଟଣା ଭୁଲିଯିବାର ସମ୍ଭାବନା ରହିଛି । ତେଣୁ ଯଥାଶୀଘ୍ର ବୟାନ ରେର୍କଡ କରାଇଛୁ । ଅସୁସ୍ଥ ତନୁଶ୍ରୀଙ୍କ ଜେରା ପାଇଁ ଏମ୍ସ ହସ୍ପିଟାଲର ଅନୁମତିକୁ ଅପେକ୍ଷା କରିଛୁ ।

ନାବାଳିକାର ବୟାନକୁ କେମିତି ଗ୍ରହଣ କରିବ କୋର୍ଟ?
ଜଣେ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାଶଙ୍କ କହିବା ମୁତାବକ, ମାମଲାରେ ସାକ୍ଷୀ ଯଦି ସାବାଳକ ହୋଇଥାଏ, ତାଙ୍କ ବୟାନ କୋର୍ଟରେ ସହଜରେ ଗ୍ରହଣୀୟ । ନାବାଳକ କ୍ଷେତ୍ରରେ ପ୍ରଥମେ ସାକ୍ଷୀଙ୍କ ପରିପକ୍ୱତା ଯାଞ୍ଚ କରିବାକୁ ପଡ଼େ । ବୟାନ ରେକର୍ଡ ପୂର୍ବରୁ ବିଚାରପତି ବିଭିନ୍ନ ସାଧାରଣ ଜ୍ଞାନ ସମ୍ପର୍କିତ ପ୍ରଶ୍ନ ସମ୍ପୃକ୍ତ ନାବାଳକକୁ ପଚାରି ଥାନ୍ତି । ସମାନ ଢ଼ଙ୍ଗରେ ଏହି ମାମଲାର ଏକମାତ୍ର ସାକ୍ଷୀ ଭାବେ ପୁନମ୍‌ଙ୍କୁ ମଧ୍ୟ କିଛି ପ୍ରଶ୍ନ ପଚରା ଯାଇଥିବ । ଭାରତର ରାଷ୍ଟ୍ରପତି କିଏ? ତାଙ୍କ ନାମ କ’ଣ? ତାଙ୍କୁ କେତେ ବର୍ଷ? ଘରେ କିଏ କିଏ ରହୁଛନ୍ତି? ଏମିତି ଭଳି କିଛି ପ୍ରଶ୍ନର ସଠିକ୍‌ ଉତ୍ତର ପାଇବା ପରେ ବୟାନ ରେକର୍ଡ ହୋଇଥିବ ।

ଶ୍ୱାସରୁଦ୍ଧ ଯୋଗୁଁ ପ୍ରାଣ ଯାଇଛି
ସାଇଶ୍ରୀର ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସର ହସ୍ତଗତ ହୋଇଛି । ଶ୍ୱାସରୁଦ୍ଧ ହିଁ ସାଇଶ୍ରୀର ମୃତ୍ୟୁର କାରଣ ବୋଲି ଡାକ୍ତର ରିପୋର୍ଟରେ ଦର୍ଶାଇଛନ୍ତି । ଏହାଛଡ଼ା ରିପୋର୍ଟରେ ଉଲ୍ଲେଖ ହୋଇଛି, ସାଇଶ୍ରୀର ବେକରେ କଳାଦାଗ ଥିଲା । ମୃତ୍ୟୁ ପୂର୍ବରୁ ଏକ ଶକ୍ତ କପଡ଼ା ଜରିଆରେ ତାଙ୍କ ବେକକୁ ଜୋର୍‌ରେ କେହି ଚିପିଛନ୍ତି । ବେକରେ ଥିବା ରାଉଣ୍ଡ ଚିହ୍ନରୁ ଜଣାପଡୁଛି, ସାଇଶ୍ରୀର ପଛ ପାଶ୍ୱର୍ରୁ ତଣ୍ଟି ଚିପା ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.