ନୂଆଦିଲ୍ଲୀ ୨୬।୧୦: ଝାଡଖଣ୍ଡ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଖଣି ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡ ଶୁଣାଣି । ଏଥିପାଇଁ ଦିଲ୍ଲୀର ରାଉଜ ଏଭେନ୍ୟ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବେ।
ଦିଲ୍ଲୀପ ରାୟଙ୍କୁ ଆଇନର ଧାରା ଅନୁସାରେ ରାୟ ଦେବେ ସ୍ବତନ୍ତ୍ର ଜଜ୍ ଭାରତ ପରାସର। କେବଳ ଦୀଲ୍ଲୀପ ରାଏ ନୁହନ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କୋଇଲା ଅଫିସର ପ୍ରଦୀପ କୁମାର ବାନାର୍ଜୀ, ନିତ୍ୟାନନ୍ଦ ଗୌତମ, କ୍ରାଷ୍ଟନ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରୱାଲ ମଧ୍ୟ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ।
୧୯୯୯ ମସିହାରେ ଝାଡଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମାଡିଆ କୋଇଲା ଖଣି ଆବଣ୍ଟନରେ ହୋଇଥିବା ଅନିମିୟତତା ମାମଲାରେ ଦିଲ୍ଲୀପଙ୍କ ସମେତ ୪ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅକ୍ଟୋବର ୬ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଅକ୍ଟୋବର ୧୪ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ସିବିଆଇ ଓ ଅଭିଯୁକ୍ତମାନଙ୍କର ଓକିଲମାନଙ୍କ ପକ୍ଷରୁ ଦଣ୍ଡବିଧାନକୁ ନେଇ ଯୁକ୍ତି ଉପସ୍ଥାପନ କରାଯାଇଥିଲା।
ସିବିଆଇ ଓକିଲ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ଯୁକ୍ତି ବାଢ଼ିଥିଲେ ଏବଂ ପ୍ରତିପକ୍ଷଙ୍କ ଆଇନଜୀବୀମାନେ ଅଭିଯୁକ୍ତଙ୍କ ବୟସ ତଥା ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା କାରଣରୁ ସେମାନଙ୍କ ବିରୋଧରେ କୋହଳ ଦଣ୍ଡ ଘୋଷଣା କରିବାକୁ ନିବେଦନ କରିଥିଲେ। ସିବିଆଇ ସ୍ବତନ୍ତ୍ର କୋର୍ଟର ବିଚାରପତି ଭରତ ପରାସର ଉଭୟ ପକ୍ଷକୁ ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିବା ସହିତ ଆଜି ସମସ୍ତ ଦୋଷୀଙ୍କୁ କୋର୍ଟରେ ଉପସ୍ଥିତ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏମାନଙ୍କ ବ୍ୟତୀତ ଝାଡ଼ଖଣ୍ଡର ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ ଖେଡାଙ୍କୁ ଦୋଷୀ ସାବ୍ୟସ୍ତ ସହ ୩ବର୍ଷ ଜେଲ ଏବଂ ୨୫ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । ସେହି ପରି ପୂର୍ବତନ ଖଣି ସଚୀବ ଏଚ ସି ଗୁପ୍ତାଙ୍କୁ ମଧ୍ୟ ୩ ବର୍ଷ ଜେଲ ଓ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା ।