ନିର୍ଭୟାଦୋଷୀ ପବନ ଗୁପ୍ତାକୁ ଜେଲରେ ମାରପିଟ୍ ଘଟଣା, ପରବର୍ତ୍ତି ଶୁଣାଣି ଏପ୍ରିଲ ୮ରେ
12/03/2020 at 7:13 PM

ନୂଆଦିଲ୍ଲୀ ୧୨।୩: ନିର୍ଭୟାକାଣ୍ଡର ଅନ୍ୟତମ ଦୋଷୀ ପବନ ଗୁପ୍ତା ଗତବର୍ଷ ତା ସହ ଜେଲରେ ହୋଇଥିବା ମାରପିଟ ନେଇ ଗୁରୁବାର ଦିଲ୍ଲୀର ଏକ କୋର୍ଟରେ ପିଟିସନ ଦାଖଲ କରିଛି। ନିଜ ଓକିଲଙ୍କ ଦ୍ୱାରା ପବନ ଦାୟର କରିଥିବା ପିଟିସନରେ ଦିଲ୍ଲୀ ପୋଲିସର ୨ ଜବାନଙ୍କ ବିରୋଧରେ ଏତଲା ରୁଜୁ ଲାଗି ନିବେଦନ କରିଥିବା ବେଳେ କୋର୍ଟ ଏହାର ଶୁଣାଣି ଏପ୍ରିଲ ୮ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ପବନ ଗୁପ୍ତା ଗତବର୍ଷ ମଣ୍ଡୋଲୀ ଜେଲରେ କୈଦୀ ଥିବା ବେଳେ ଏହି ଘଟଣା ଘଟିଥିଲା। ଜେଲରେ ଦିଲ୍ଲୀ ପୋଲିସର ୨ ଜଣ ଜବାନ ମାରପିଟ କରିଥିବା ବେଳେ ସେ ଗୁରୁତର ଆହତ ହୋଇଥିଲା। ଏଥି ଯୋଗୁ ତା ମୁଣ୍ଡରେ ୧୪ଟି ଷ୍ଟିଚ୍ ବି ହୋଇଥିଲା। ମେଟ୍ରୋପାଲିଟନ ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ରୁଜୁ ଏହି ପିଟିସନରେ ନ୍ୟାୟାଧୀଶ ଏ ନେଇ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଦିଲ୍ଲୀ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି। ଏହା ସହ ମାମଲାର ପରବର୍ତ୍ତି ଶୁଣାଣି ଏପ୍ରିଲ ୮ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ମାଣ୍ଡୋଲୀ ଜେଲରେ ୨୬ ଓ ୨୯ ଜୁଲାଇରେ ଦିଲ୍ଲୀ ପୋଲିସ ଏଭଳି ଅମାନବୀୟ ଅତ୍ୟାଚାର କରିଥିବାର ସେ ଅଭିଯୋଗ କରିଛି। କନଷ୍ଟେବଲ ଅନିଲ କୁମାର ଓ ତାଙ୍କ ସାଥୀମାନେ ତାକୁ ନିସ୍ତୁକ ମାଡ ମାରିଥିଲେ। ଏଥିରେ ତତ୍କାଳୀନ ହର୍ଷବିହାର ଥାନା ଆଇଆଇସିଙ୍କ ବିରୋଧରେ ବି ପବନ ଗୁରୁତର ଅଭିଯୋଗ ଆଣିଛି। ଏଣୁ ୨ ଅଭିଯୁକ୍ତମାନଙ୍କର ଚିହ୍ନଟ ଲାଗି ତାକୁ ଜଣେ ସାକ୍ଷଭାବେ ଗ୍ରହଣ କରାଯାଉ ବୋଲି ପବନ କୋର୍ଟଙ୍କୁ ନିବେଦନ କରିଛି।