ଦିଲ୍ଲୀ ଦଙ୍ଗା ଘଟଣା : ଅଭିଯୁକ୍ତ ଉମର ଖଲିଦ୍, ସରଜିଲ ଇମାମ ଓ ଅନ୍ୟମାନଙ୍କର ବିଚାର ବିଭାଗୀୟ ହାଜତ ସୀମା ବୃଦ୍ଧି କଲେ କୋର୍ଟ

Published By : Prameya-News7 Bureau | January 05, 2021 IST

ନୂଆଦିଲ୍ଲୀ ୦୫/୦୧ : ବହୁଚର୍ଚ୍ଚିତ ଦିଲ୍ଲୀ ଦଙ୍ଗା ଘଟଣାରେ ଜେଲରେ ଥିବା ଅଭିଯୁକ୍ତମାନଙ୍କ ଜାମିନ ଖାରଜ ହେବା ସହ ବିଚାର ବିଭାଗୀୟ ଅଦାଲତର ସମୟ ସୀମାକୁ ବଢାଇ ଦେଇଛନ୍ତି ଦିଲ୍ଲୀର ଏକ କୋର୍ଟ । ବେଆଇନ କାର୍ଯ୍ୟରେ ଲିପ୍ତ ଆଇନ ଅନୁଯାୟୀ ଅଭିଯୁକ୍ତ ଉମର ଖଲିଦ୍, ସାରଜିଲ ଇମାମ, ଆସିଫ୍ ଇକବାଲ ତାନହା ଏବଂ ଅନ୍ୟମାନଙ୍କ ବିଚାର ବିଭାଗୀୟ ହାଜତ ସମୟ ସୀମାକୁ ଜାନୁୟାରୀ ୧୯ ଯାଏଁ ବୃଦ୍ଧି କରାଯାଇଛି ।

ଅତିରିକ୍ତ ସେସନ୍ ଜଜ୍ ଅମିତାଭ ରାୱତ ମଧ୍ୟ ଉମର ଖଲିଦ ଦ୍ବାରା ପଠାଯାଇଥିବା ଏକ ଆବେଦନପତ୍ରରେ ଦର୍ଶାଇଛନ୍ତି ଯେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟର କୌଣସି ସତ୍ୟତା ନାହିଁ । ଏହା ସହ ଉମର ଖାଲିଦ ବ୍ୟକ୍ତିଗତ ଭାବେ କୋର୍ଟରେ ଦାଖଲ କରିଥିଲେ ଯେ, ତା ବିରୋଧରେ ଆସିଥିବା ଅଭିଯୋଗର ସବିଶେଷ ତଥ୍ୟ ଜାଣି ନାହାଁନ୍ତି ଏବଂ ଏହା ଏକ ନ୍ୟାୟଯୁକ୍ତ ବିଚାରର ଅଧିକାର ବିରୁଦ୍ଧରେ ବୋଲି ଅଭିଯୋଗ କରିଛି ଉମର ଖଲିଦ ।

ଏହାର ଜବାବରେ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଅମିତ ପ୍ରସାଦ କହିଛନ୍ତି ଯେ, ଅଭିଯୁକ୍ତମାନେ ଆଣୁଥିବା ଅଭିଯୋଗକୁ ଭିତ୍ତି କରି ସେମାନଙ୍କୁ ଜେଲ କମ୍ପ୍ୟୁଟରର ଏକ ଇ-ଚାର୍ଜସିଟର ନକଲ ପ୍ରଦାନ କରାଯିବ । ଅନ୍ୟ ଜଣେ ସହ ଅଭିଯୁକ୍ତ ଅଥାର ଖାନ କହିଛି ଯେ, ସେ ଦୁଇଥର ଡାକ୍ତରୀ ପରାମର୍ଶ ପାଇଁ ବାହାରକୁ ଯାଇଥିଲେ ଏବଂ ପ୍ରତ୍ୟେକ ଥର ୧୪ ଦିନ ପାଇଁ ତାଙ୍କୁ କ୍ୟାରେଣ୍ଟିନ୍ କରାଯାଇଥିଲା । ଏହି ସମୟ ମଧ୍ୟରେ ତାଙ୍କୁ ତାଙ୍କ ପରାମର୍ଶଦାତାଙ୍କୁ ଭେଟିବାକୁ ମଧ୍ୟ ଅନୁମତି ଦିଆଯାଇନଥିଲା ।

ଏହାକୁ ନେଇ ସରକାରୀ ଓକିଲ କହିଛନ୍ତି କ୍ୟାରେଣ୍ଟିନ୍‌ ନିୟମ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ଦ୍ଧାରଣ କରାଯାଇଥିଲା । ଏ ବାବଦରେ ପୂର୍ବରୁ ଶୁଣାଣି ସରିଛି । ନଭେମ୍ବର ୨୦୨୦ରେ କୋର୍ଟ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଗ୍ରହଣ କରିଥିଲେ ଏବଂ କହିଥିଲେ ଯେ UAPA ର ନିୟମ ଅନୁଯାୟୀ ଅଭିଯୁକ୍ତ  ଉମର ଖଲିଦ, ସାରଜିଲ ଇମାମ, ଆସିଫ୍ ଇକବାଲ ତାନହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ପ୍ରମାଣ ଅଛି ।

ସୂଚନା ଅନୁସାରେ ଦିଲ୍ଲୀ ହିଂସାରେ ମୋଟ ୭୫୦ଟି କେସ୍‌ ପଞ୍ଜିକୃତ ହୋଇଥିଲା । ଦିଲ୍ଲୀ ଦଙ୍ଗାରେ ମୋଟ ୫୩ ଜଣଙ୍କ ଜୀବନ ଯାଇଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ । ଦଙ୍ଗାରେ ସାମିଲ ହେବା ଏବଂ ଉସକାଇବା ଘଟଣାରେ ମୋଟ ୧୧୫୩ ଜଣଙ୍କ ବିରୁଦ୍ଧରେ ମାମଲା ରୁଜ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.