ବନ୍ଦ ହେଲା ବୁରାଡି କେସ୍, ପୋଲିସ ରିପୋର୍ଟ ଆଧାରରେ କ୍ଲୋଜ୍ କଲେ କୋର୍ଟ, ଗୋଟିଏ ପରିବାରର ୧୧ ଜଣଙ୍କ ହୋଇଥିଲା ମୃତ୍ୟୁ

Published By : Prameya-News7 Bureau | October 21, 2021 IST

ନୂଆଦିଲ୍ଲୀ ୨୧।୧୦: ଦିଲ୍ଲୀ ବୁରାଡିରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ମାମଲାରେ ପୋଲିସର କ୍ଲୋଜର ରିପୋର୍ଟକୁ ଆଧାର କରି କୋର୍ଟ ଗୁରୁବାର ମାମଲାକୁ ସବୁଦିନ ଲାଗି ବନ୍ଦ କରିଦେଇଛନ୍ତି। ଏଥିରେ ପୋଲିସ ୧୧ ଜଣଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୋର୍ଟଙ୍କୁ ସୂଚିତ କରିଥିଲା।  ଦିଲ୍ଲୀ ପୋଲିସ ୧ ଜୁଲାଇ ୨୦୧୮ରେ ବୁରାଡି ଘର ନମ୍ବର ୧୩୭/୫/୨ରୁ ମୋଟ ୧୧ଟି ଶବ ଜବତ କରିଥିଲା। ଘଟଣାସ୍ଥଳରୁ ପୋଲିସକୁ ଏକ ଡାଏରୀ ମଧ୍ୟ ମିଳିଥିଲା। ହୁଏତ ଏଥିରୁ ହତ୍ୟାର ରହସ୍ୟ ଖୋଲିପାରେ ବୋଲି ପୋଲିସ ଆଶା କରିଥିଲା। ତେବେ ଦୀର୍ଘ ୩ ବର୍ଷର ଉଦ୍ୟମ ପରେ ମାମଲା କୌଣସି ଦିଗରୁ ହତ୍ୟାକାଣ୍ଡ ବୋଲି ପ୍ରମାଣିତ ହୋଇ ପାରିନାହିଁ।

ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏକ ହତ୍ୟା ମୋକଦ୍ଦମା ରୁଜୁ କରି ମାମଲାର ତଦନ୍ତ ହାତକୁ ନେଇଥିଲା। ୩ ବର୍ଷ କାଳ ମାମଲାର ତଦନ୍ତ  କରିବା ପରେ ଏଥିରୁ ହତ୍ୟାର ସାମାନ୍ୟତମ ସୂରାଗ ନ ମିଳିବାରୁ ପୋଲିସ ଅପରାଧ ଶାଖା ନିରାଶ ହୋଇଥିଲା। ଏଣୁ ହୁଏତ ଏହା ଏକ ସାମୂହିକ ଆତ୍ମହତ୍ୟା ହୋଇପାରେ ବୋଲି ପୋଲିସ କ୍ଲୋଜର ରିପୋର୍ଟରେ ଦର୍ଶାଇଛି।  ମାମଲାରେ ଗତ ଜୁନ ୧୧ ତାରିଖ ଦିନ କ୍ରାଇମବ୍ରାଞ୍ଚ କୋର୍ଟଙ୍କୁ କ୍ଲୋଜର ରିପୋର୍ଟ ପ୍ରଦାନ କରିଥିଲେ।   

{"id":530783,"width":838,"height":558,"sizeSlug":"full","linkDestination":"none"}

କଣ ଥିଲା ମାମଲା ?
ପୋଲିସ ପହଞ୍ଚିବା ବେଳେ ଘରର ସବୁଠାରୁ ବୟସ୍କ ସଦସ୍ୟ ନାରାୟଣୀ ଦେବୀ (୭୭)ଙ୍କ ଶବ ବିଛଣାରେ ପଡିଥିଲା। ବାକି ସଦସ୍ୟଙ୍କ ଶବ ଅଗଣାରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ମୃତକଙ୍କ ମଧ୍ୟରେ ୩ଟି ଶିଶୁ ମଧ୍ୟ ଥିଲେ। ନାରାୟଣୀଙ୍କ ଦୁଇ ପୁଅ ଭବନେଶ ଚୁଂଡାବନ୍ତ ଓ ଲଳିତ ଚୁଂଡାବନ୍ତଙ୍କ ସମେତ ଭବନେଶଙ୍କ ପତ୍ନୀ ସବିତା ତାଙ୍କ ୩ଟି ଶିଶୁ ତିନୁ, ମୋନୁ ଓ ଧ୍ରୁବ, ଲଳିତଙ୍କ ପତ୍ନୀ ଟିନା ଓ ପୁଅ ଶିବମ, ନାରାୟଣୀଙ୍କ ଝିଅ ପ୍ରତିଭା ଓ ତାଙ୍କର ଝିଅ ପ୍ରିୟଙ୍କାଙ୍କ ଶବ ଘରୁ ମିଳିଥିଲା।

ଡାୟରୀରୁ କଣ ମିଳିଥିଲା ସୂଚନା?
ଡାୟରୀ ଯାଞ୍ଚରୁ ୨୦୦୭ରେ ପରିବାରର ମୁରବୀଙ୍କ ପରଲୋକ ହୋଇଥିବାର ଜଣାପଡିଥିଲା। ଲଳିତ ଭାବୁଥିଲେ  ତାଙ୍କ ପରଲୋକଗତ ପିତା ତାଙ୍କ ସହ କଥା ହେଉଛନ୍ତି। ଏଥିରେ ପରିବାରର ସବୁ ସଦସ୍ୟ କିପରି ଥରକରେ ମରିପାରିବେ ସେ ନେଇ ବିସ୍ତୃତ ଉଲ୍ଲେଖ ଥିଲା। ପରିବାର ସଦସ୍ୟଙ୍କ ମୋବାଇଲ ଫୋନର ରିପୋର୍ଟ ଚଳିତବର୍ଷ ଆସିଥିଲା। ଫୋନଗୁଡିକର ଫରେନସିକ୍‌ ଯାଞ୍ଚରୁ ପରିବାର ଲୋକେ ଶେଷ ଥର ଲାଗି ସେମାନଙ୍କ ଫୋନଗୁଡିକର ବ୍ୟବହାର କରିଥିବାର ଜଣାପଡିଛି।

ଡାୟରୀର ହାତ ଲେଖାରୁ ପରିବାର ସଦସ୍ୟ ଆତ୍ମହତ୍ୟା କରିଥିବାର ଓ ଭିସେରା ରିପୋର୍ଟରୁ ମଧ୍ୟ ସେଇ ତଥ୍ୟ ମିଳିଛି। ମନୋବୈଜ୍ଞାନିକ ଶବ ପରୀକ୍ଷଣରୁ ପରିବାର ଲୋକେ ମରିବାକୁ ଚାହୁଁନଥିବା ଓ ପ୍ରକ୍ରିୟାରେ ସେମାନେ ପୁଣି ସ୍ୱଭାବିକ ଜୀବନ ବଞ୍ଚିପାରିବେ ବୋଲି ସମ୍ପୂର୍ଣ୍ଣ ଆସ୍ୱସ୍ଥ ଥିଲେ ବୋଲି ଜଣାପଡିଛି। ତେବେ ଏହା ଏକ ଆତ୍ମହତ୍ୟା ବୋଲି ତଦନ୍ତକାରୀ ଅଧିକାରୀମାନେ ସ୍ପଷ୍ଟ ହେବା ପରେ କୋର୍ଟଙ୍କୁ କ୍ଲୋଜର ରିପୋର୍ଟ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.