ଆଇଏନଏକ୍ସ ମିଡିଆ ମାମଲା: ଦୀପାବଳି ଇଡି ହାଜତରେ କାଟିବେ ଚିଦାମ୍ବରମ, ଅକ୍ଟୋବର ୩୦ ପର୍ଯ୍ୟନ୍ତ ବଢିଲା ରିମାଣ୍ଡ
24/10/2019 at 7:37 PM

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ପୁଣି ରିମାଣ୍ଡରେ ନେଇଛି ଇଡି। ପ୍ରଥମ ଥର ଇଡି ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ଗୁରୁବାର କୋର୍ଟରେ ହାଜର କରାଯାଇଥିଲା। ତେବେ ମାମଲାରେ କିଛି ନୂଆ ତଥ୍ୟ ମିଳିଥିବାରୁ ପଚରାଉଚରା ଲାଗି ଆଉ ୭ ଦିନ ରିମାଣ୍ଡ ନିବେଦନ କରିଥିଲେ ଇଡି ଓକିଲ। ସେହି ଅନୁସାରେ କୋର୍ଟ ଚିଦାମ୍ବରମଙ୍କ ଇଡି ରିମାଣ୍ଡ ଅବଧି ଅକ୍ଟୋବର ୩୦କୁ ବଢାଇ ଦେଇଛନ୍ତି।
ତେବେ ଇଡିଙ୍କ ପିଟିସନକୁ କୋର୍ଟରେ ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ ବିରୋଧ କରିଥିଲେ। ଚିଦାମ୍ବରମ ଏବେ ଅସୁସ୍ଥ ଥିବା ଓ ଏଥିଲାଗି ତାଙ୍କୁ ହାଇଦ୍ରାବାଦରେ ତାଙ୍କ ଡାକ୍ତରଙ୍କୁ ଦେଖାଇବା ଲାଗି ୨ ଦିନ ଅନ୍ତରୀଣ ଜାମିନ ଦେବା ଲାଗି କୋର୍ଟଙ୍କୁ ନିବେଦନ କରିଥିଲେ। ତେବେ ମିଳିଥିବା ନୂଆ ଦସ୍ତାବେଜ ଅନୁସାରେ ତାଙ୍କୁ ଏବେ ପଚରା ଉଚରା ଜରୁରି ବୋଲି ଇଡିଙ୍କ ଓକିଲ ତଥା ସୋଲିସେଟର ଜେନେରାଲ ତୁଷାର ମେହେଟା କୋର୍ଟଙ୍କୁ ଜଣାଇଥିଲେ।
ଗତ ଅକ୍ଟୋଭର ୧୬ ତାରିଖ ଦିନ ଇଡି ଚିଦାମ୍ବରମଙ୍କୁ ପ୍ରଥମ ଥର ରିମାଣ୍ଡରେ ନେଇଥିଲେ। କୋର୍ଟ ୮ ଦିନ ରିମାଣ୍ଡ ମଞ୍ଜୁର କରିଥିବା ବେଳେ ତାଙ୍କପ ହାଜତରେ ଘର ରନ୍ଧା ଖାଦ୍ୟ ଖାଇବାକୁ ଅନୁମତି ଦେବା ସହ ବାତାନୁକୂଳିକ ପ୍ରକୋଷ୍ଠରେ ରଖିବା, ୱେଷ୍ଟର୍ଣ୍ଣ ଟୟେଲେଟ ସୁବିଧା ସାଙ୍ଗକୁ ନିଜ ଔଷଧ ସାଙ୍ଗରେ ରଖି ପାରିବେ ବୋଲି କହିଥିଲେ। ତେବେ ଅଧିକ ସମୟ ଆବଶ୍ୟକ ପଡୁଥିବାରୁ ଇଡି ରିମାଣ୍ଡ ଅବଧି ବୃଦ୍ଧି କରିବାକୁ ନିବେଦନ କରିଥିଲେ। ଯାହାକୁ କୋର୍ଟ ମଞ୍ଜୁର କରିଛନ୍ତି।