ଗୋଟିଏ ରାତିରେ ଏମିତି କ'ଣ ଘଟିଲା ? ଏକାସଙ୍ଗେ ଫ୍ୟାନ୍‌ରେ ଝୁଲିପଡିଲେ ଦମ୍ପତ୍ତି, ମୋବାଇଲ୍ ଫୋନ୍ ଖୋଲିପାରେ ମୃତ୍ୟୁ ରହସ୍ୟ

Published By : Prameya-News7 Bureau | May 12, 2021 IST

ପ୍ରୟାଗରାଜ ୧୨।୫: ପ୍ରୟାଗରାଜରେ ପୋଷାକ ବ୍ୟବସାୟୀ ଶିବମ କେଶରୱାନୀ ଏବଂ ତାଙ୍କ ପତ୍ନୀ ନେହା କାହିଁକି ଫାଶୀ ଲଗାଇଲେ ? ଏହି ପ୍ରଶ୍ନର ଉତ୍ତର କେବଳ ଘରଲୋକଙ୍କୁ ନୁହଁନ୍ତି ବରଂ ପୋଲିସ ମଧ୍ୟ ଖୋଜୁଛି । ପ୍ରାୟ ୫ ମାସ ପୂର୍ବେ ଉଭୟଙ୍କ ବିବାହ ହୋଇଥିଲା । ପରିବାରର କାହା ସହିତ କୌଣସି ବିବାଦ ନଥିଲା । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ସମ୍ପର୍କରେ ମଧ୍ୟ ପରିବାରଲୋକ କେବେ ଶୁଣି ନଥିଲେ । ଏହା ସତ୍ତ୍ବେ ହଠାତ୍ କ’ଣ ଏମିତି ହେଲା ଯେ ଦୁହେଁ ଏକାଠି ଜାବନ ହାରିଲେ । ତେବେ ପୋଲିସ ଶିବମ ଏବଂ ନେହାଙ୍କ ମୋବାଇଲ ଜବତ କରିଛି । ମୋବାଇଲରୁ ଏହି ଦମ୍ପତିଙ୍କ ମୃତ୍ୟୁର କାରଣ ମିଳିପାରେ ବୋଲି ବିଶ୍ବାସ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଦାଣ୍ଡି ବଜାରରେ ରହୁଥିବା ଶିବମ୍ ଶଙ୍କରଲାଲ କେଶରୱାନୀଙ୍କ ଦୁଇ ପୁଅଙ୍କ ମଧ୍ୟରୁ ବଡ ଥିଲେ । ସେ ଏକ ପୋଷାକ ଦୋକାନ ଚଳାଉଥିଲେ । ବାପା ସାନପୁଅ ସୌରଭଙ୍କ ସହ ଏକ ବାସନକୁସନ ଦୋକାନ ଚଳାଉଥିଲେ । ଶିବମ୍ ଡିସେମ୍ବର ୨୦୨୦ରେ ଘୁରୁପୁର ନିବାସୀ ଶ୍ୟାମ ବାବୁ କେଶରୱାନୀଙ୍କ ଝିଅ ନେହାଙ୍କୁ ବିବାହ କରିଥିଲେ । ନେହାଙ୍କ ବାପା-ମା ସୋମବାର ସନ୍ଧ୍ୟାରେ ତାଙ୍କ ଘରକୁ ଆସିଥିଲେ ଏବଂ ସେମାନଙ୍କୁ ଦେଖାକରି ପଳାଇ ଯାଇଥିଲେ । ତାଙ୍କୁ ଏକ ଉତ୍ସବକୁ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିଯାଇଥିଲେ । ସମ୍ପର୍କୀୟଙ୍କ କହିବା ଅନୁସାରେ ରାତି ଭୋଜନ ପରେ ଶିବମ୍ ଏବଂ ନେହା ନିଜ ରୁମରେ ଶୋଇବାକୁ ଯାଇଥିଲେ ।

ତେବେ ମଙ୍ଗଳବାର ସକାଳୁ ନଉଠିବାରୁ ପରିବାର ଲୋକେ କବାଟ ବାଡେଇଥିଲେ । ମାତ୍ର କୌଣସି ଉତ୍ତର ମିଳିଲା ନାହିଁ । ଝରକା ଦେଇ ଦେଖିଲା ବେଳକୁ ଉଭୟ ଶାଢୀ ବେକରେ ଲଗାଇ ଫ୍ୟାନ୍ ରେ ଝୁଲିପଡିଛନ୍ତି । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କବାଟ ଭାଙ୍ଗି ଦମ୍ପତିଙ୍କୁ ତଳକୁ ଓହ୍ଲାଇ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ନେହାଙ୍କ ବାପଘରଲୋକ ମଧ୍ୟ ସେଠାକୁ ଆସିଥିଲେ କିନ୍ତୁ କେହି ମୃତ୍ୟୁର କାରଣ କହିପାରିଲେ ନାହିଁ । ଉଭୟ ଖୁସିରେ ରହୁଥିଲେ ବୋଲି ପରିବାର ଲୋକ କହିଥିଲେ । ତାଙ୍କର କାହା ସହିତ କୌଣସି ବିବାଦ ନଥିଲା । ପୋଲିସ ମଧ୍ୟ କୌଣସି ସୁଇସାଇଡ୍ ନୋଟ୍ ପାଇନାହିଁ । ଏଭଳି ପରିସ୍ଥିତିରେ ଆତ୍ମହତ୍ୟା କରିବାର ସଠିକ୍ କାରଣ ଖୋଜୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.